ବିକାଶ କାର୍ଯ୍ୟ ତ୍ୱରାନ୍ୱୀତ କରିବାକୁ ଗୁରୁତ୍ୱ
ଗରଦପୁର,୦୨/୦୩/୨୦୨୫(ଓଡ଼ିଶା ସମାଚାର)- ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ବୈଠକରେ ରୋଗୀ କଲ୍ୟାଣ ସମିତି ର ଅଧ୍ୟକ୍ଷ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦେଇ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତି ଭୂମି ସୁଦୃଢ଼ କରିବା ପାଇଁ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱୀତ କରିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ ।
ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନୀରଂଜନ କରଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବିଶେଷଜ୍ଞ ଡ଼ାକ୍ତର ହିମାଂଶୁ ଭୁଷଣ ଷଢ଼ଙ୍ଗି, ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ ,ସିଭିଲ ସୋସାଇଟି ସଦସ୍ୟ ନବଘନ ନାୟକ ଓ ରସିଦ ଖାଁ , ଏମିନେନ୍ଟ ସିଟିଜେନ ସଦସ୍ୟ ରଂଜିତ କୁମାର ପଣ୍ଡା , ସରପଂଚ ପ୍ରତିନିଧି ଶୈଳେନ୍ଦ୍ର କୁମାର ମହାନ୍ତି , ଅହଲ୍ୟା ଲେଙ୍କା , ବିପିଏମ ଉଷାରାଣୀ ବାରିକ , ବିଏଏମ ପ୍ରମୋଦ କୁମାର ସାହୁ ଓ ପିଏଚୟୁଓ ଶଶିରେଖା ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ବିଶେଷକରି ନିର୍ମାଣାଧିନ ଥିବା ବହୁତଳ ପ୍ରାସାଦ କୁ ଶୀଘ୍ର ସମୟ ଭିତିକ ନିର୍ମାଣ ଶେଷକରି ରୋଗୀ ସେବାରେ ନିୟୋଜିତ କରିବା ପାଇଁ ମତ ପ୍ରକାଶ ପାଇଥିଲା ।
ଏଥି ସହିତ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ଉଦବୃତ ବର୍ଷା ଜଳ ନିଷ୍କାସନ ପାଇଁ ଥିବା ନିର୍ମାଣ କାର୍ଯ୍ୟ କୁ ତୁରନ୍ତ ଆରମ୍ଭ କରିବା ପାଇଁ ବୈଠକରେ ବିଧାୟକ ଶ୍ରୀ ମହାପାତ୍ର ସମ୍ପୃକ୍ତ ବିଭାଗକୁ ନର୍ଦ୍ଧେଶ ଦେଇଥିଲେ । ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଥିବା ଡ଼ାକ୍ତର କ୍ୱାଟର ପାଇଁ ଥିବା ଲାଟିନ୍ ର ସୋକ୍ ପିଟ୍ ର ପୁନରୁଦ୍ଧାର କରିବା ପାଇଁ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା ।
ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗରଦପୁର, ମାର୍ଶାଘାଇ, ମହାକାଳପଡ଼ା, ତିର୍ତୋଲ ଓ କୁଜଙ୍ଗର ହଜାର ହଜାର ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ରେ ଏହାର ଭିତିଭୂମି କୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ଆବଶ୍ୟକ ହେଉଥିବା ସରକାରୀ ଜମି ଯୋଗାଇ ଦେବାକୁ ଏହି ଅବସରରେ ବିଧାୟକ ଶ୍ରୀ ମହାପାତ୍ର ପାଟକୁରା ଗ୍ରାମବାସୀ ଓ ଅଂଚଳର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଚଳିତ ଆର୍ଥିକ ବର୍ଷରେ ନିଦାନ ଓ ରୋଗୀ କଲ୍ୟାଣ ସମିତି ରେ ଗଛିତ ଥିବା ୩୦ ଲକ୍ଷ ରୁ ଅଧିକ ଅର୍ଥର ରୋଗୀ ସେବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ବିଭାଗରେ ଖର୍ଚ୍ଚ କରିବା ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଥିଲା ।