“ମୁଁ ଜଣେ ଅଦ୍ଵିକା ଲିଡର, ମୋର ନେତୃତ୍ଵ ନେବାର କ୍ଷମତା ଅଛି” – ନାରାରେ ଗୁଞ୍ଜିଲା କଳିଙ୍ଗ ଷ୍ଟାଡିୟମ
– କିଶୋରୀ-କିଶୋରମାନଙ୍କ ସହ ସକାଳ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
– ରୁଚି ଓ ପ୍ରତିଭାର ବିକାଶ ହେଲେ ହିଁ ସମାଜର ବିକାଶ ସମ୍ଭବ ହୋଇପାରିବ : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଭୁବନେଶ୍ୱର,୨୮/୦୨/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଯୋଗ ମାଧ୍ୟମରେ ମାନସିକସ୍ତରରେ ସୁସ୍ଥ ରହିଲେ ନିର୍ଣ୍ଣୟ ନେବାର କ୍ଷମତା ବୃଦ୍ଧି ପାଇବ । କିଶୋର ବୟସରେ ସୁଯୋଗ ମିଳିଲେ କିଶୋର- କିଶୋରୀମାନଙ୍କ ପ୍ରତିଭା ଓ ଦକ୍ଷତାର ବିକାଶ ହୋଇପାରିବ ଓ ସେମାନଙ୍କ ଭବିଷ୍ୟତ ସହ ସମାଜ ବି ସୁଦୃଢ ହୋଇପାରିବ ବୋଲି ରାଜ୍ୟସ୍ତରୀୟ କିଶୋରୀ-କିଶୋର ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।
ରାଜ୍ୟର ସମସ୍ତ କିଶୋର – କିଶୋରୀ ଜଣେ ଜଣେ ଅଦ୍ଵିକା ଲିଡର ବୋଲି ସେ ଉଲ୍ଲେଖ କରିଛନ୍ତି । ନିଜ ଦକ୍ଷତା ବିକାଶର ନେତୃତ୍ଵ ନେବା ସହ ବାଲ୍ୟ ବିବାହ ଭଳି ସାମାଜିକ ବ୍ୟାଧିକୁ ଦୃଢ ବିରୋଧ କରିବା ପାଇଁ ସେ ପିଲାମାନଙ୍କୁ ପ୍ରେରଣା ଯୋଗାଇଥିଲେ ।

ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ – ୨୦୨୫ ଉପଲକ୍ଷେ ଅଦ୍ଵିକା କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ଵିଦିବସୀୟ ରାଜ୍ୟସ୍ତରୀୟ କିଶୋରୀ-କିଶୋର ସମାବେଶ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପିଲାମାନଙ୍କ “ସକାଳ ଯୋଗ” କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ତା ପରେ କିଶୋର- କିଶୋରୀମାନଙ୍କୁ ଉତ୍ସାହିତ କରିବା ସହ ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡିଆ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯବଂଶୀ ସୂରଜ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ମହିଳା ଓ ଶିଶୁ ବିକାଶର ଏହି ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ଏହିଭଳି କାର୍ଯ୍ୟକ୍ରମ କିଶୋରୀ- କିଶୋର ମାନଙ୍କ ମଧ୍ୟରେ ନେତୃତ୍ଵ ନେବା, ଦଳଗତ କାର୍ଯ୍ୟ ଓ ଖେଳୁଆଡ଼ ମନଭାବ ଗୁଣ ବିକଶିତ କରିବାରେ ସାହାଯ୍ୟ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

ବ୍ଲକସ୍ତରରେ ବିଭିନ୍ନ ପ୍ରତିଯୋଗିତା ପରେ ପ୍ରଥମ ଦିବସରେ ରାଜ୍ୟସ୍ତରରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ଯଥା ବାଦ-ବିବାଦ, ନୃତ୍ୟ, ଚିତ୍ରକଳା, ବ୍ୟାଡମିଣ୍ଟନ ଏବଂ ପୁଚି ପ୍ରତିଯୋଗିତା, ଦକ୍ଷତା ବିକାଶ ଯଥା – ହସ୍ତଶିଳ୍ପ, ନେତୃତ୍ୱ ଓ ଆତ୍ମରକ୍ଷା କର୍ମଶାଳା ଓ ସାଂସ୍କୃତିକ ପ୍ରଦର୍ଶନରେ ଲୋକନୃତ୍ୟ ନାଟକ ଓ ସଙ୍ଗୀତ ପ୍ରଦର୍ଶନ, ପ୍ରେରଣାଦାୟୀ ଆଲୋଚନରେ କ୍ୟାରିଅର, ସ୍ୱାସ୍ଥ୍ୟ ଏବଂ ସଶକ୍ତିକରଣ ଉପରେ ବିଶେଷଜ୍ଞ ଆଲୋଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉପସ୍ଥିତ ଥିଲେ ।
-0-
ତନୁଜା ମହାନ୍ତି ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
