ଯାଜପୁର,୨୦/୦୮/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ‘ବେଟି ବଚାଓ ବେଟି ପଢ଼ାଓ’ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକ ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଅଭିଭାଷଣ ରଖି କନ୍ୟା ସନ୍ତାନଙ୍କ ସୁରକ୍ଷା ଓ ଶିକ୍ଷାକୁ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରି ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।
ଉକ୍ତ ବୈଠକରେ କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ସଶକ୍ତିକରଣ ଏବଂ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। କନ୍ୟା ସନ୍ତାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ଓ ପ୍ରଭାବଶାଳୀ କାର୍ଯ୍ୟପନ୍ଥା ଅବଲମ୍ବନ ଉପରେ ଆଲୋଚନା ହୋଇଥିଲା।
ବୈଠକରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଉଦ୍ଦେଶ୍ୟ ଅନୁଯାୟୀ କନ୍ୟା ସନ୍ତାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ, ବାଲ୍ୟବିବାହ ରୋକିବା, ମହିଳା ଓ କନ୍ୟାମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ସଚେତନତା, ଦକ୍ଷତା ବିକାଶ ଏବଂ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ବିଭାଗୱାରୀ ଆଲୋଚନା କରାଯାଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାଏକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀ ଦିବ୍ୟଭୂଷଣ ମହାନ୍ତି ଏବଂ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସରୋଜିନୀ ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ।
ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଗୃହ ଓ ପୋଲିସ, ଶ୍ରମ ଓ ନିୟୋଜନ, ସାମାଜିକ ସୁରକ୍ଷା, ମିଶନ ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ, ଉଚ୍ଚଶିକ୍ଷା, ଜିଲ୍ଲା କ୍ଷୁଦ୍ର ସଞ୍ଚୟ, କ୍ରୀଡ଼ା ଓ ଯୁବ ସେବା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସମେତ ବିଭିନ୍ନ ବିଭାଗର କାର୍ଯ୍ୟପନ୍ଥା ଓ ଆଗାମୀ ଯୋଜନା ଉପରେ ଆଲୋଚନା କରାଯାଇଥିଲା।
ଜିଲ୍ଲାରେ କନ୍ୟା ସନ୍ତାନଙ୍କ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରିବା ସହ ସେମାନଙ୍କ ଶିକ୍ଷା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସମାଜରେ ଲିଙ୍ଗଗତ ସମାନତା ପ୍ରତିଷ୍ଠା ପାଇଁ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।ଜିଲ୍ଲା ସଂଯୋଜକ ପ୍ରଭାତ କୁମାର ଘଡେଇ ପାୱାର ପଏଣ୍ଟ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ।
ବୈଠକ ଶେଷରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସରୋଜିନୀ ଦାସ ସମସ୍ତ ଉପସ୍ଥିତ ଅଧିକାରୀ ଓ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
