ଜନ ଗହିଳି ତଥା ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନକୁ ଗୁରୁତ୍ୱ
ସମସ୍ତ କାର୍ଯ୍ୟକ୍ରମର ସୁଚାରୁ ରୂପେ ପରିଚାଳନା ପାଇଁ ଏସଓପି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର,୨୬/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଗାମୀ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା-୨୦୨୫କୁ ଦୃଷ୍ଟିରେ ରଖି ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ମୁଖ୍ୟଶାସନସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଗୃହ (ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟଶାସନସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି ଖୁରାନିଆଙ୍କ ସମେତ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପୁରୀ ଏବଂ ରାଜ୍ୟ ପୁଲିସ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ବିଶେଷ କରି ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଜନଗହଳି ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା।
ପୁରୀଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ରଥଯାତ୍ରା ସମେତ ଅନ୍ୟ ସମୟରେ ମଧ୍ୟ ବର୍ଷସାରା ବହୁ ସଂଖ୍ୟାରେ ଜନ ସାଧାରଣ ଓ ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ। ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ବଡଦାଣ୍ଡ ଏବଂ ପୁରୀ ବେଳାଭୂମିରେ ନିୟମିତ ଭାବେ ଭିଡ଼ ଦେଖାଦେଇଥାଏ। ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥାଏ । ତେଣୁ ଟ୍ରାଫିକ ପରିଚାଳନା ଓ ଭିଡ଼ନିୟନ୍ତ୍ରଣ କରିବା, ଅପରାଧ ରୋକିବା ଓ ଆଇନ ଶୃଙ୍ଖଳା ପରିଚାଳନା ପାଇଁ ରିୟଲ ଟାଇମ ମନିଟରିଂ ଦୃଷ୍ଟିରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା, ପୁରୀ ସହର, ବଡ଼ଦାଣ୍ଡ ଓ ପୁରୀ ବେଳାଭୂମି ଆଦି ପ୍ରମୁଖ ୩୪୩ ସ୍ଥାନରେ ସିସିଟିଭି ସ୍ଥାପନ ପାଇଁ ପୁଲିସ ପ୍ରଶାସନତରଫରୁ ପ୍ରସ୍ତାବ ଦିଆଯାଇଛି।
ତନ୍ମଧ୍ୟରେ ଉତ୍ତରା ଛକରୁ ମାଳତୀ ପାଟପୁର ,ପୁରୀ ଗ୍ରୀଡ୍ ଷ୍ଟେସନରୁ କୋଣାର୍କ, ବାଲିଘାଇରୁ ନିମାପଡ଼ା, ମଙ୍ଗଳାଘାଟରୁ ସାତପଡ଼ା, ମାଳତିପାଟପୁରରୁ ମଙ୍ଗଳାଘାଟ, ମଙ୍ଗଳାଘାଟରୁ ବଡଦାଣ୍ଡ, ପୁରୀ ବଡ଼ଦାଣ୍ଡ, ବଡ଼ଦାଣ୍ତରୁ ସମୁଦ୍ରକୂଳ, ସମୁଦ୍ର କୂଳ ଅଂଚଳ, ବଡଦାଣ୍ଡରୁ ଗ୍ରୀଡ୍ ଷ୍ଟେସନ, ପାର୍କିଂ ସ୍ଥଳ, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସହିତ ପୁରୀ ସହରର ଗଳି ଓ ଉପଗଳି ଆଦିରେ ବିଭିନ୍ନ ସ୍ଥାନରେ ଏହି ସମସ୍ତ ସିସିଟିଭି ଲଗାଯିବା ପାଇଁ ପ୍ରସ୍ତାବ ରଖାଯାଇଛି ।
ଏଥିପାଇଁ ଭିତ୍ତିଭୂମି ଓ ବୈଷୟିକ ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।ଆମର ସିସିଟିଭି ବ୍ୟବସ୍ଥା ଯେପରି ଜାତୀୟ ସ୍ତରୀୟ ହେବ, ସେଥିପ୍ରତି ଭିତ୍ତିଭୂମି ପ୍ରସ୍ତୁତି ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।ଏଥି ସହିତ ରଥଯାତ୍ରା ପରିଚାଳନା ସଂପର୍କିତ ସମସ୍ତ କାର୍ଯ୍ୟ ପ୍ରସ୍ତୁତି ପାଇଁ ମାନବ ପରିଚାଳନା ପଦ୍ଧତି (ଏସ.ଓ.ପି) ପ୍ରସ୍ତୁତି କରିବାକୁ ପୁଲିସ ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଆଗାମୀ ରଥଯାତ୍ରା-୨୦୨୫ପରିପ୍ରେକ୍ଷୀରେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର କାର୍ଯ୍ୟ କରିବ। ବିଭିନ୍ନ ବିଭାଗର ଅଧିକାରୀମାନେ ସେହି ନିୟନ୍ତ୍ରଣ କକ୍ଷରେ ରହି ବିଭାଗ ସମ୍ପର୍କିତ କାର୍ଯ୍ୟ ପରିଚାଳନା କରିବେ। ସିସିଟିଭି ସ୍ଥାପନ ଓ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସୁରକ୍ଷା,ଅପରାଧ ନିୟନ୍ତ୍ରଣ, ଭିଡ଼ନିୟନ୍ତ୍ରଣ,ଆକସ୍ମିକ ଦୁର୍ଘଟଣା ଘଟିଲେ ଠିକ୍ ସମୟରେ ତ୍ୱରିତ ପଦକ୍ଷେପ ନିଆଯିବା ସହସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜରୁରୀ କାଳୀନ ପଦକ୍ଷେପ ନିଆଯାଇପାରିବ।
ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗତ୨୦୨୪ ବର୍ଷ ରଥଯାତ୍ରାରେ ପୁରୀରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପୂର୍ବ ଅନୂଭୂତି ଉପସ୍ଥାପନା କରିବା ସହିତ ଓ ଆଗାମୀ୨୦୨୫ରଥଯାତ୍ରା ପାଇଁ ପ୍ରସ୍ତୁତି ସଂପର୍କରେ ତଥ୍ୟ ରଖିଥିଲେ। ଉପସ୍ଥିତ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଆଗାମୀ ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି ନେଇ ନିଜ ନିଜର ସୁଚିନ୍ତିତ ମତ ଦେଇଥିଲେ । ବୈଠକରେ ସମନ୍ୱିତ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।
ପ୍ରକାଶ ଥାଉକି, ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମାଜୁନ୍୧୧, ଶ୍ରୀଗୁଣ୍ଡିଚା ଯାତ୍ରା ଜୁନ୍୨୭, ବାହୁଡା ଯାତ୍ରା ଜୁଲାଇ୫ ଓ ସୁନାବେଶ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହେବ। ତେବେ ଚନ୍ଦନ ଯାତ୍ରା ଠାରୁ ଆରମ୍ଭକରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରା ସମୟର ସମେତ କାର୍ଯ୍ୟକ୍ରମକୁ ସବୁବିଭାଗର ସମନ୍ୱୟରେ ଯେପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତହେବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିରଖିବ ବୋଲି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
ପୁଲିସ ମହାନିର୍ଦ୍ଦେଶକ ଶ୍ରୀଖୁରାନିଆ କହିଛନ୍ତି ଯେ, ଲୋକମାନଙ୍କ ଧାର୍ମିକ ଭାବନା ବୃଦ୍ଧିପାଉଛି। ଆଗାମୀ ରଥଯାତ୍ରାରେ ଗତବର୍ଷ ଅପେକ୍ଷା ଅଧିକ ଜନଗହଳି ଆଶା କରାଯାଉଛି। ଏଥିପାଇଁ ଏବେଠାରୁ ଯଥେଷ୍ଟ ପ୍ରସ୍ତୁତି କରିବାର ଆବଶ୍ୟକତାରହିଛି। ବୈଠକରେ ମଧ୍ୟ ଯାନବାହନ ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା ।
-0-
ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
