ମୁଖାପିନ୍ଧା ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଯୁବ ଠିକାଦାର ଗୁରୁତର ଆହତ
ରାଉରକେଲା,୨୨/୦୨/୨୦୨୫ (ଓଡ଼ିଶା ସମାଚାର)- ରାଉରକେଲା ସହରରେ ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବ ଠିକାଦାର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ରାଉରକେଲା ପୋଲିସ ଜିଲା ସେକ୍ଟର-୩ ଥାନା ଅଧୀନ ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଯୁବ ଠିକାଦାର ଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ତାଙ୍କ ବେକରେ ଗୁଳି ବାଜିଛି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ସେକ୍ଟର-୩ ଥାନା ଅଧୀନ ସେକ୍ଟର-୪ ପୋଷ୍ଟ ଅଫିସ ନିକଟରେ ଶନିବାର ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆହତ ଠିକାଦାର ହେଉଛନ୍ତି କୁଆଁରମୁଣ୍ଡା ଅଞ୍ଚଳର ବିଜୟ ଲାକ୍ରା। ବିଜୟଙ୍କ ବେକରେ ଗୁଳି ବାଜିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ କରିଥିବା ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଫେରାର ଅଛନ୍ତି। ଖବର ପାଇ ଅତିରିକ୍ତ ଏସ୍ପି ପ୍ରଭାଶଙ୍କର ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଆହତ ବିଜୟଙ୍କୁ ତୁରନ୍ତ ଆଇଜିଏଚ୍ରେ ଭର୍ତ୍ତି କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ବାଲି ଚାଲାଣକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ଆଲୋଚନା ହେଉଛି।
ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ଠିକାଦାର ବିଜୟ ସ୍ତ୍ରୀ ଓ ପୁଅ ସହ ନିଯେ କାର୍ (ନଂ. ଓଡି୧୪ଆର୍/୫୫୨୬) ଚାଳାଇ କୌଣସି ସ୍ଥାନକୁ ଯାଉଥିଲେ। ଏହି ସମୟରେ ୨ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସମ୍ମୁଖ ପଟୁ ଏକ ବାଇକରେ ଆସି କାର୍ ଚାଳକ ସିଟ୍ ପାଖରେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଫଳରେ କାର ଚଳାଉଥିବା ବିଜୟ ନିୟନ୍ତ୍ରଣ ହରାଇଥିଲେ। କାର୍ଟି ନିକଟସ୍ଥ ଏକ ପାଚେରିରେ ପିଟି ହୋଇ ଦୁର୍ଘଟଣାଗସ୍ତ ହୋଇଛି ।
ପୋଲିସ ଘଟଣାର ତଦନ୍ତ କରୁଛି। ଆହତ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ବୟାନ ରେକର୍ଡ କରାଯିବା ପରେ ଦୁର୍ବୃତ୍ତଙ୍କୁ ନିଶ୍ଚିତ ଭାବେ ଗିରଫ କରାଯିବ ବୋଲି ଅତିରିକ୍ତ ଏସ ପି କହିଛନ୍ତି ।