ମାର୍ଚ୍ଚ ୨ରେ ଆନ୍ଦୋଳନ ନିଷ୍ପତ୍ତି
ଭୁବନେଶ୍ୱର,୧୮/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ଏଜ ବୈଠକ ଆଜି ଏହାର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମହାସଂଘର ଆବାହକ ରବି ବେହେରା ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ବୈଠକରେ ଉପସ୍ଥିତ ରହି ବିଭିନ୍ନ ବକ୍ତା ଓଇଆରସିରେ ଆରମ୍ଭ ହୋଇଥିବା ବିଜୁଳି ଶୁଳ୍କ ବୃଦ୍ଧି ଶୁଣାଣିକୁ ବିରୋଧ କରି ଏହାକୁ ଜନ ବିରୋଧୀ ବୋଲି ମତ ଦେଇଥିଲେ । ସେଇଭଳି ଟାଟା ପାୱାର ପକ୍ଷରୁ ବିଭିନ୍ନ ଅଂଚଳରେ ଡିଜିଟାଲ ମିଟର ବଦଳାଯାଇ ଯେଉଁ ସ୍ମାର୍ଟ ମିଟର ଲଗା ଯାଉଛି ,ତାହାକୁ ବାତିଲ କରିବା, ପାୱାର କଟ୍ ବନ୍ଦ୍ କରିବାକୁ ମତ ଦେଇଥିଲେ । ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିବା ସତ୍ବେ ରାଜ୍ୟରେ ବିଜୁଳି ବର୍ଷକୁ ବର୍ଷ ମହଙ୍ଗା ହେବା ବିଦ୍ୟୁତ ସଂସ୍କାରର ବିଡମ୍ବନା ବୋଲି ଏହି ବକ୍ତାମାନେ ମତ ଦେଇଥିଲେ ।
ବିଜୁଳି ଶୁଳ୍କ ବୃଦ୍ଧି ହେଲେ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହା ଉପରେ ବ୍ୟାପକ ବିଚାର ବିମର୍ଶ କରି ଆନ୍ଦୋଳନ କରିବା ପାଇଁ ଆଗାମୀ ମାର୍ଚ୍ଚ ୨ ତାରିଖ ଅପରାହ୍ନ ୪ ଘଟିକା ସମୟରେ ୟୁନିଟ ୯ ସ୍ଥିତ ସାମ୍ୟବାଦୀ କାର୍ୟ୍ୟାଳୟରେ ସବୁ ରାଜନୈତିକ ଦଳ ଓ ଗଣ ସଂଗଠନମାନଙ୍କୁ ନେଇ ଏକ ଆଲୋଚନା ସଭା ହେବା ପାଇଁ ସ୍ଥିର କରାଗଲା । ଗତକାଲି ଓଡିଶା ହାଇଡ୍ରୋପାୱାର ଓ ଓଡିଶା ପାୱାର ଜେନେରେସନ କର୍ପୋରେସନ ପକ୍ଷରୁ ଓଇଆରସି ପକ୍ଷରୁ ଶୁଳ୍କ ବୃଦ୍ଧି ପାଇଁ ଯେଉଁ ଦାବି କରାଯଇଛି ତାହାକୁ ତୀବ୍ର ନିନ୍ଦା କରାଗଲା ।
ଏହି ବୈଠକରେ ପୂର୍ବତନ ବିଧାୟକ ତଥା ସିପିଆଇ ନେତା ନାରାୟଣ ରେଡି, ସିପିଆଇଏମେଲ ନେତା ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ସିପିଏମ ନେତା ପ୍ରଭାତ ପାଣିଗ୍ରାହୀ, କଂଗ୍ରେସ ପକ୍ଷରୁ ମାନସ ଜେନା, ରାଷ୍ଟ୍ରବାଦୀ କଂଗ୍ରେସ ନେତା ବିକ୍ରମ ସ୍ୱାଇଁ ଓ ରାଷ୍ଟ୍ରୀୟ ଜନତା ଦଳ ନେତା ହେମନ୍ତ କୁମାର ଉପସ୍ଥିତ ରହି ନିଜସ୍ୱ ମତାମତ ପ୍ରଦାନ କରିଥିଲେ ।