ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ରାଜ୍ୟପାଳ

ନୂଆ ଶିକ୍ଷାନୀତି ସମ୍ପର୍କରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ
ଭୁବନେଶ୍ୱର,୧୮/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ନୂଆ ଶିକ୍ଷାନୀତି-୨୦୨୦ ସମ୍ପର୍କରେ ଶିକ୍ଷକ ସମାଜ
ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ଗୁରୁତ୍ୱାରୋପ କରିଛନ୍ତି । ରାଜଭବନରେ ଉଚ୍ଚ ଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ସମୀକ୍ଷା କରି ରାଜ୍ୟପାଳ ଏହି ଗୁରୁତ୍ୱାରୋପ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ ।

ପାୱାରପଏଣ୍ଟ ପ୍ରେଜେନ୍ଣ୍ଟେସନ୍ ମାଧ୍ୟମରେ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିଷଦ ବିବରଣୀ ଉପସ୍ଥାପନ କରାଯାଇଥିଲା । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଥିବା ଆହ୍ୱାନ ସମ୍ପର୍କରେ ଆଲୋକପାତ କରି ଏ କ୍ଷେତ୍ରରେ ଉଚ୍ଚ ଶିକ୍ଷାର ମାନବୃଦ୍ଧି, ଭିତିଭୂମିର ଉନ୍ନତି ସହିତ ଉଚ୍ଚ ଶିକ୍ଷାକୁ କିପରି ଅଧିକ ସହଜ ଲବ୍ଧ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତି କରାଯାଇପାରିବ ସେ ସମ୍ପର୍କରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୁରଜ ଓ କମିଶନର ତଥା ଶାସନ ସଚିବ ଶ୍ରୀ ଅଗ୍ରୱାଲ ଅବଗତ କରାଇଥିଲେ ।

ରାଜ୍ୟରେ ଉଚ୍ଚ ଶିକ୍ଷାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉପାଦେୟ ପରାମର୍ଶ ଦେବା ସହ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷାନୀତିର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକୀୟ ତାଲିମ ଏବଂ ସଚେତନନା ସୃଷ୍ଟି ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ । ଏତଦ ବ୍ୟତିତ ପାଠ୍ୟକ୍ରମର ଆଧୁନିକୀକରଣ, ଡିଜିଟାଲ ଶିକ୍ଷାର ସମ୍ପ୍ରସାରଣ, ଇଣ୍ଡଷ୍ଟ୍ରି-ଏକଡେମିଆ ସହଯୋଗର ଆବଶ୍ୟକତା ଉପରେ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।

ବିଶ୍ୱ ବିଦ୍ୟାଳୟ ପରିଚାଳନା, ଗବେଷଣାକୁ ପ୍ରୋତ୍ସାହନ ଯୋଗାଇବା, ଛାତ୍ରଛାତ୍ରୀମାନଙ୍କୁ ଭଲ କ୍ୟାରିଅର ଗଢ଼ିବା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ସରକାରଙ୍କ ଲକ୍ଷ ଓ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟରେ ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ ଏବଂ ଅନ୍ତର୍ନିବେଶୀ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

Leave a Reply

Your email address will not be published. Required fields are marked *