ରାଉରକେଲା,୧୭/୦୨/୨୦୨୫ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )-ରାଜ୍ୟର ଏକ ଅଗ୍ରଣୀ ପ୍ରକାଶକ ସଂସ୍ଥା ‘ଲେଖାଲେଖି’ ଦ୍ୱାରା ଆୟୋଜିତ ଦ୍ବିତୀୟ ରାଉରକେଲା ସାହିତ୍ୟ ଉତ୍ସବ ଆଦର୍ଶ ପାଠାଗାର ସ୍ଥିତ ଆଦର୍ଶ ସାହିତ୍ୟ ଘର ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡ. ଅଶ୍ବିନୀ କୁମାର ରାୟ ଯୋଗଦାନ କରି କହିଲେ ମହାକୁମ୍ଭରେ ବୁଡ ପକାଇଲେ ଯେଭଳି ନିର୍ବାଣ ପାଇବାର ଆଶା ସଂଚାର ହୋଇଥାଏ ଠିକ୍ ସେହି ଭଳି କବି ଲେଖକଙ୍କ ସର୍ଜ୍ଜନାରେ ସାହିତ୍ୟ ଋଧିମନ୍ତ ହେବା ସହିତ ସମାଜ ଆଲୋକିତ ହେବାର ଆଶା ସଂଚାର ହୋଇଥାଏ ।
ମୁଖ୍ୟଅତିଥି ଭାବେ ବରିଷ୍ଠ ସଂଗଠକ ତଥା ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ ଯୋଗଦାନ କରି କହିଲେ ଧିରେ ଧିରେ ସମାଜରୁ ପାଠକ ସଂଖ୍ୟା କମିଯାଉଛି । ଏ ସମ୍ପର୍କରେ ସାହିତି୍ୟକମାନେ ତର୍ଜମା କରିବା ଉଚିତ୍ । ସମ୍ମାନିତ ଅତିଥି ଭାବେ ଆରଏମସି ର ଯୁଗ୍ମ ସହକାରୀ ଆୟୁକ୍ତ ପଲ୍ଲବୀ ନାୟକ ଯୋଗଦାନ କରି ପୁସ୍ତକ ଓ ସାହିତ୍ୟିକଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ପ୍ରାରମ୍ଭରେ ରାଉରକେଲା ସାହିତ୍ୟ ଉତ୍ସବର ନିର୍ଦ୍ଦେଶକ କବି ସୁଶାନ୍ତ କୁମାର ନାୟକ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସୁଚିତ୍ରା ଲେଙ୍କା ଓ ସାଥିଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରା ଯାଇଥିଲା । ଏହି ଅବସରରେ ସାହିତ୍ୟ ସାଧନା ଓ କୃତି ପାଇଁ ଡ. ଅଶ୍ବିନୀ କୁମାର ରାୟ, ଡ.ସୁଚିତ୍ରା ମହାନ୍ତି ଏବଂ ଶିକ୍ଷୟିତ୍ରୀ ବାସନ୍ତୀ ପ୍ରୁଷେଠଙ୍କୁ ରାଉରକେଲା ସାହିତ୍ୟ ମେଳା ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ପରେପରେ ‘ଗୀତି ଗଙ୍ଗୋତ୍ରୀ’ କାର୍ୟ୍ୟକ୍ରମରେ ଚାରି ଜଣ ଗୀତି କବି ଶ୍ବେତ କୁମାର ବେହେରା, ବିଜ୍ଞାନ ମହାନ୍ତି, ଧିରେନ ଆଚାର୍ୟ୍ୟ ଓ ବଂଶୀଧର ସେଠୀଙ୍କ ଦୁଇଟି ଲେଖାଏ ଗୀତି କବିତାକୁ ଆବୃତ୍ତି କରିଥିଲେ କବି ପ୍ରକାଶ ଚନ୍ଦ୍ର ସେଠୀ, ରୀନାରାଣୀ ସ୍ବାଇଁ, ପ୍ରଦୀପ୍ତ କୁମାର ବେହୁରା ଓ ହରପ୍ରିୟା ସାମଲ। ‘ସୁପରହୀଟ୍ ଓଡ଼ିଆ ପୋଏଟ୍ରୀ’ ପର୍ୟ୍ୟାୟରେ ତିନି ଜଣ ବରିଷ୍ଠ କବି ଆଶୁତୋଷ ପରିଡ଼ା, ପୀତାମ୍ବର ତରାଇ ଓ ଅଭୟ ନାୟକଙ୍କ ଦୁଇଟି ଲେଖାଏ କବିତାକୁ ଆବୃତ୍ତି କରିଥିଲେ କବି ଆର୍ତ୍ତତ୍ରାଣ ମହାପାତ୍ର, ସୁସ୍ମିତା ମହାପାତ୍ର ଓ ପ୍ରଦୀପ୍ତ କୁମାର ବେହୁରା।
ଶେଷ ପର୍ୟାୟରେ କବି ସୁଶାନ୍ତ କୁମାର ନାୟକ ଓ କବୟିତ୍ରୀ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ କବି କୃପାସିନ୍ଧୁ ନାୟକ, ଅଶ୍ବିନୀ କୁମାର ରାୟ, ଗୌତମ ଦାସ, ହରିହର ବେହେରା, କନକଲତା ମିଶ୍ର, ଗୀତାରାଣୀ ବେହେରା, ଲକ୍ଷ୍ମୀ ପଣ୍ଡା, ତପସ୍ବିନୀ ସାହୁ, ଚିନ୍ମୟୀ ପୁରୋହିତ ଆଦି ପଚିଶ ଜଣ କବି କବିତା ପାଠ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମହାଶ୍ୱେତା ସାହୁ, ଅଶୋକ ପଟ୍ଟନାୟକ, ପ୍ରଶାନ୍ତ କୁମାର ପତି, ବ୍ରଜେନ୍ଦ୍ର ଦାଶ, ସୁକାନ୍ତ ଖୁଣ୍ଟିଆ, ଗଙ୍ଗାଧର ପୁହାଣ, ସୂର୍ୟ ନାରୟଣ ପଣ୍ଡା, ରଶ୍ମି ସାହୁ ଆଦି ସହରରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉକ୍ତ ସଭାରେ ‘ରାଉରକେଲା ସାହିତ୍ୟ ପତ୍ର’ ସହ କବି ହୃଷିକେଶ ସାହୁଙ୍କ କବିତା ସଂକଳନ ‘ଚେତନାର ଅନ୍ତସ୍ବର’ ଉନ୍ମୋଚିତ ହୋଇଥିଲା। ଶେଷରେ ରାଉରକେଲା ସାହିତ୍ୟ ପତ୍ର ସଂପାଦକ ହୃଶିକେଷ ସାହୁ ଅନୁଷ୍ଠାନର ଆଭିମୁଖ୍ୟ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
