ବିଶ୍ୱ ସ୍ତରୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡ଼ିଶା ସରକାର ଏବଂ ଜିପାଇଗୋ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର,୧୬/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରେ ନର୍ସିଂ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଅଣସଂକ୍ରାମକ ରୋଗ ଚିକିତ୍ସା, ପୁଷ୍ଟିସାଧନ ଏବଂ ଜରୁରୀକାଳୀନ ପ୍ରସୂତୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହଲିଙ୍ଗଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଏବଂ ଜିପାଇଗୋ(ଜନ୍ ହପ୍ କିନ୍ସ ଆନ୍ତର୍ଜାତୀୟ ସ୍ତ୍ରୀ ରୋଗ, ପ୍ରସୂତୀ ଓ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ଉପଲକ୍ଷେ ଲୋକସଭା ଭବନ ସଭାଗୃହ ଠାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଶାସନ ସଚିବ ଡଃ ସନ୍ତୋଷ ମିଶ୍ର ଏବଂ ଜିପାଇଗୋଙ୍କ ତରଫରୁ ସଂସ୍ଥାର ଜାତୀୟ ନିର୍ଦ୍ଦେଶକ ଡଃ ଅମିତ୍ ଶାହ ଚୁକ୍ତି ପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି ବୁଝାମଣା ପତ୍ରର କୌଣସି ଆର୍ଥିକ ଲେଣଦେଣ ଉପରେ ପର୍ଯ୍ୟବେସିତ ନୁହେଁ । ଏହା ସମ୍ପୂର୍ଣ୍ଣ ସେବା ଭିତ୍ତିକ । ବିଶ୍ୱ ସ୍ତରୀୟ ଗୁଣାତ୍ମକ ସେବା ନିମନ୍ତେ ଜ୍ଞାନ ଓ ପ୍ରାଜ୍ଞତାର ଆଦାନ-ପ୍ରଦାନ ଉପରେ ଏହି ବୁଝାମଣା ପତ୍ର ଆଧାରିତ ।

        ଏ ବିଷୟରେ ସୂଚନା ଦେଇ ମନ୍ତ୍ରୀ ଡଃ ମହାଲିଙ୍ଗ କହିଥିଲେ ଯେ ବୁଝାମଣା ପତ୍ର ଦ୍ୱାରା ଜିପାଇଗୋ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ଓ ସହଭାଗିତା ପ୍ରତିଷ୍ଠା ହେବ । ମୁଖ୍ୟତଃ ସ୍ୱାସ୍ଥ୍ୟସେବାର ବିଶ୍ଳେଷଣ, ଯୋଜନା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବୈଷୟିକ ସହାୟତା, ବିଭିନ୍ନ ଜିଲ୍ଲା ଓ ରାଜ୍ୟ ମଧ୍ୟରେ ଅଭିଜ୍ଞତା ଓ ଶିକ୍ଷାର ଆଦାନ-ପ୍ରଦାନ, ବିଶ୍ୱ ସ୍ତରୀୟ ସର୍ବୋତ୍ତମ ପ୍ରଣାଳୀ ଗୁଡିକୁ ଓଡ଼ିଶାର ଆବଶ୍ୟକତା ଅନୁଯାୟୀ କର୍ଯ୍ୟାୟନ; ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ବିଶ୍ୱ ସ୍ତରୀୟ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବୈଷୟିକ ପରାମର୍ଶ; ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ବ୍ୟବସ୍ଥାର ଦୃଢ଼ୀକରଣ; ପ୍ରଶିକ୍ଷକମାନଙ୍କର ଦକ୍ଷତା ବିକାଶ, ଡିଜିଟାଲ ଏବଂ ଇ-ଲର୍ନିଙ୍ଗ ପ୍ଲାଟଫର୍ମର ବ୍ୟବହାର, ସିମୁଲେଶନ ଆଦି ଏହି ସହଯୋଗିତାର ଅନ୍ତର୍ଭୁକ୍ତ ।

        ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଏସ୍. ଅଶ୍ୱଥିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ  ନିର୍ଦ୍ଦେଶକମାନେ ବୁଝାମଣା ପତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉପ ଶାସନ ସଚିବ ଅରୁଣା ତ୍ରିପାଠୀ ସଭା ଆୟୋଜନର ସଂଯୋଜନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

-0-

ରଶ୍ମିରେଖା ସାହୁ ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *