ମିଳିତ ଚଢ଼ାଉରେ ବିଚଣା ନଦୀ ପଠାରୁ ୧୯ ଟି ହାଇୱା, ୨ ପ୍ରୋକଲିନ ଜବତ

ପାଟକୁରା ୧୫/୦୨/୨୦୨୫ (ଓଡ଼ିଶା ସମାଚାର)-  ଗତକାଲି ରାତିରେ ଗରଦପୁର ତହସିଲ ଅଧୀନ ପଦ୍ମପୁର ଗ୍ରାମପଞ୍ଚାୟତ ର ବିଚଣା ଚିତ୍ରୋତ୍ପଳା ନଦୀ ପଠାରୁ ୧୯ ଗୋଟି ହାଇୱା ଓ ୨ଗୋଟି ପ୍ରୋକଲିନକୁ ଜବତ କରାଯାଇଛି  । କେନ୍ଦ୍ରାପଡା ଉପଜିଲ୍ଲାପାଳ, ଗରଦପୁର ତହସିଲଦାର, ଜିଲ୍ଲା ମାଇନିଂ ଅଧିକାରୀ ଓ ପାଟକୁରା ଥାନା ର ମିଳିତ ଚଢ଼ାଉରେ ଗାଡିଗୁଡିକୁ ଜବତ କରାଯାଇଥିଲା  ।

ଚିତ୍ରୋତ୍ପଳା ନଦୀର ବିଚଣା ନଦୀ ଘାଟରୁ ବେଆଇନ ଭାବେ ବାଲି ଉଠାଇବାକୁ ଏହି ଗାଡି ଗୁଡିକ ଆସିଥିବାର ଅଭିଯୋଗ ହୋଇଥିବା ଜଣାଯାଇଛି  । ସରକାରୀ ସ୍ତରରେ ବିଚଣା ନଦୀ ବାଲିଘାଟ ନିଲାମ ହୋଇନାହିଁ ବୋଲି ଗରଦପୁର ତହସିଲଦାର ତୃପ୍ତି ଦାଶ ସୂଚନା ଦେଇଛନ୍ତି  । ଏହି ବାଲି ଘାଟ ନିଲାମ ହୋଇନଥିବା ସତ୍ୱେ ଏଠାରେ ବେଆଇନ ଭାବେ ବାଲି ଉଠୁଥିବା ଅଭିଯୋଗ ହୋଇଆସୁଛି ବୋଲି ଜିଲ୍ଲା ମାଇନିଂ ଅଧିକାରୀ ରଂଜିତ ବେହେରା କହିଥିଲେ  ।

ଏଣୁ ଉପଜିଲ୍ଲାପାଳ, ତହସିଲଦାର, ପାଟକୁରା ଥାନା ଓ ମାଇନିଂ ବିଭାଗ ର ମିଳିତ ଉଦ୍ୟମରେ ଅତର୍କିତ ଭାବେ ଚଢ଼ାଉ କରାଯିବାରୁ ଗାଡି ଗୁଡିକ ଜବତ କରିହେଲା ବୋଲି ଜିଲ୍ଲା ମାଇନିଙ୍ଗ ଅଧିକାରୀ ରଂଜିତ କୁମାର ବେହେରା ସୂଚନା ଦେଇଛନ୍ତି  । ରାତି ଯୋଗୁ ଡ୍ରାଇଭରମାନେ ଗାଡି ଛାଡି ପଳାଇଯିବାରୁ ସେମାନଙ୍କୁ ଅଟକାଇ ହେଲାନି ବୋଲି ସେ କହିଥିଲେ  । ଆଇନଗତ ଦିଗ ଉପରେ ପାଟକୁରା ଥାନା ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମାଇନିଂ ଅଧିକାରୀ କହିଥିଲେ  । ଥାନା ପରିସରରେ ସ୍ଥାନ ଅଭାବ ଯୋଗୁ ଜବତ ଗାଡିଗୁଡିକ ହରିଦାସପୁର ସ୍କୁଲ ଖେଳ ପଡିଆରେ ରଖାଯାଇଛି ବୋଲି ସେ କହିଥିଲେ  ।

Leave a Reply

Your email address will not be published. Required fields are marked *