ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ଭୁବନେଶ୍ୱର,୩୦/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ ଭିତରକନିକାରେ ଲୁଣା ଜାତୀୟ ଗଛଗୁଡ଼ିକର ଚାରାକୁ  ମ୍ୟାନ୍ ଗ୍ରୁଭ୍  ନର୍ସରୀରେ ଦେଖିବାର ସୁଯୋଗ ପାଇବେ ।

ଏଥିସହ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ, ପରିବେଶ ସହ ଅନ୍ୟ ବହି ପଢ଼ିବାର ସୁଯୋଗ ପାଇପାରିବେ । ଏହାଛଡ଼ା ମ୍ୟୁଜିୟମ୍ ର ମଜା ନେବା ସହ ଧଳା କୁମ୍ଭୀର ଗୋରୀ ଓ ମଲ୍ଲୀ, ଶ୍ୱେତାକୁ ଦେଖିପାରିବେ । ଭିତରକନିକାର ଡାଙ୍ଗମାଳଠାରେ ୬ଟି ଫାଇବର ବୋଟ୍ ଥିବା ବେଳେ ଗୁପ୍ତିଠାରେ ୪ଟି ଫାଇବର ବୋଟ୍ ବ୍ୟବସ୍ଥା ରହିଛି । ପୂର୍ବବର୍ଷ ଭଳି ପଲିଥିନ୍ କୁ ବାରଣ କରାଯିବା ସହ ଏହା ନଆଣିବା ପାଇଁ ବନଖଣ୍ଡ ପକ୍ଷରୁ ନିଷେଧ କରାଯାଇଛି ।

ଭିତରକନିକା ଫରେଷ୍ଟ ବ୍ଲକ୍ ରେ ପର୍ଯ୍ୟଟକଙ୍କ ପାଇଁ ୱାଚ୍ ଟାୱାର ନିର୍ମାଣ କରାଯାଇଛି । ମେଟା ନର୍ସରୀ ନିକଟରୁ ୬ଶହ ମିଟର ପର୍ଯ୍ୟନ୍ତ କାଠରେ ସ୍କାଏ ୱାକ୍ ନିର୍ମାଣ ହୋଇଛି । କୁମ୍ଭୀର ପ୍ରଜନନ ଋତୁ ପାଇଁ ମେଁ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ଘୋଷଣା କରାଯାଇଥିଲା । ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଆନନ୍ଦିତ ଓ ଉତ୍ସାହିତ ।

Leave a Reply

Your email address will not be published. Required fields are marked *