ଜଗତସିଂହପୁର ରେ ପଞ୍ଚଦଶ ଜାତୀୟ ମତଦାତା ଦିବସ ୨୦୨୫ ପାଳିତ

ଜଗତସିଂହପୁର, ୨୫/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ପଞ୍ଚଦଶ ଜାତୀୟ ମତଦାତା ଦିବସ,୨୦୨୫ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଶ୍ରୀ  ରବି ନାରାୟଣ ଜେଠୀ  ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଶ୍ରୀ ଜେଠୀ ଉପସ୍ଥିତ ସମସ୍ତ ଅଧିକାରୀ,କର୍ମଚାରୀ, ଛାତ୍ରଛାତ୍ରୀ ତଥା ନୂତନ ଭୋଟରଙ୍କୁ  ଆଜି ଦିବସ ପାଇଁ ମତଦାତା ସଂକଳ୍ପ ପାଠ କରାଇଥିଲେ, ଯେଉଁଥିରେ ପ୍ରତ୍ୟେକ ନାଗରିକ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଦେଶର ଗଣତାନ୍ତ୍ରିକ ପରମ୍ପରା ର ମର୍ଯ୍ୟାଦା ବଜାୟ ରଖିବା ସହ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମା କୁ ଅକ୍ଷୁର୍ଣ୍ଣ ରଖି ମତ ଦାନ କରିବାକୁ ଶପଥ ନେଇଥିଲେ। ୧୮ ବର୍ଷ ହେବା ମାତ୍ରେ ନିଜକୁ ଭୋଟର ତାଲିକାରେ ପଞ୍ଜୀକୃତ କରାଇ ଦେଶର ଶାସନରେ ଭାଗୀଦାର ହେବା ନିମନ୍ତେ ଆହ୍ଵାନ ଦେବା ସହ ଏକକ ଭୋଟ୍ ର ମହତ୍ତ୍ଵ ପ୍ରତିପାଦନ କରିଥିଲେ। ଜିଲ୍ଲା ରେ ସମସ୍ତ ବି.ଏଲ୍. ଓ, ବି.ଏଲ୍. ଓ ସୁପର ଭାଇଜରମାନେ ଘରକୁ ଘର ବୁଲି ନୂତନ ଭୋଟର ପଞ୍ଜୀକରଣ, ମୃତ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଥିବା ଭୋଟର ମାନଙ୍କ ନାମ ବାଦ ଦେବା ଓ ସଂଶୋଧନ କରିଛନ୍ତି, ସେଥିପାଇଁ ଶ୍ରୀ ଜେଠୀ  ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏବର୍ଷ ଜାତୀୟ ମତଦାତା ଦିବସ ର ଥିମ୍ ” ଭୋଟ ଦେବାର ଅନୁଭୂତି ଅଟେ ଅତୁଳନୀୟ, ନିର୍ବାଚନରେ ମୁଁ ଭୋଟ ଦେବି ନିଶ୍ଚୟ ” ଉପରେ ଗୁରୁତ୍ଵ ଦେଇ ସଚେତନ ମତଦାତା ହିଁ ଭାରତ ର ମହାନ୍ ଲୋକତନ୍ତ୍ର କୁ ସୁଦୃଢ଼ କରିପାରିବେ ବୋଲି ସେ ମନ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ଓଡ଼ିଆ ଓ ଇଂରାଜୀ ବକ୍ତୃତାଏବଂ ପ୍ରବନ୍ଧ  ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଏବଂ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବି. ଏଲ୍. ଓ, ବି. ଏଲ୍.ଓ ସୁପରଭାଇଜର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଡେପୁଟି କଲେକ୍ଟର,ନିର୍ବାଚନ ବିଭାଗ, ସନ୍ଧ୍ୟାଞ୍ଜଳୀ ମାଝୀ  କାର୍ଯ୍ୟକ୍ରମ ପରିଚାଳନା କରିବା ସହ ୧୫ ତମ ଜାତୀୟ ମତଦାତା ଦିବସ ର ଅଭିବାଦନ ଜଣାଇଥିଲେ ତଥା ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ବି.ଏଲ.ଓ, ବି.ଏଲ୍.ଓ ସୁପରଭାଇଜର ମାନଙ୍କ ପ୍ରଶଂସା କରିଥିଲେ।ସହାୟକ ଜିଲ୍ଲାପାଳ, କଳ୍ପିତା କୁମାରୀ ଜେନା ସ୍ବାଗତ ଅଭିଭାଷଣ ରଖିବା ସହ ଉପସ୍ଥିତ ସମସ୍ତଙ୍କୁ ମତଦାତା ଦିବସ ର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ ଏବଂ ଏହି ଦିବସର ଉଦ୍ଦେଶ୍ୟ ବୁଝାଇବା ସହ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ପଞ୍ଜୀକୃତ ହେବା ପାଇଁ ସଚେତନ କରାଇଥିଲେ।ଶେଷରେ ସହାୟକ ଜିଲ୍ଲାପାଳ, କଳ୍ପିତା କୁମାରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ସମସ୍ତ ବିଭାଗ ର ଅଧିକାରୀ ଓ କର୍ମକର୍ତ୍ତା,ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜାତୀୟ ମତଦାତା ଦିବସ ଉପଲକ୍ଷେ ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା, ଉପ ଜିଲ୍ଲାପାଳ, ଶ୍ରୀ ପ୍ରଶାନ୍ତ କୁମାର ତରାଇ ଏହାର ଶୁଭାରମ୍ଭ କରିଥିଲେ। ଯେଉଁଥିରେ ଡେପୁଟି କଲେକ୍ଟର, ନିର୍ବାଚନ ବିଭାଗ, ସନ୍ଧ୍ୟାଞ୍ଜଳି ମାଝୀ ,ଡେପୁଟି କଲେକ୍ଟର, ଅଭିଯୋଗ , ପ୍ରଶାନ୍ତ କୁମାର ସେଠୀ,ସହାୟକ ଜିଲ୍ଲାପାଳ, କଳ୍ପିତା କୁମାରୀ ଜେନା, ସହାୟକ ଜିଲ୍ଲାପାଳ, ରାଜେଶ କୁମାର ସାହୁ, ନିର୍ବାଚନ ବିଭାଗ ତଥା ଅନ୍ୟାନ୍ୟ ବିଭାଗର କର୍ମ କର୍ତ୍ତା,ବିଦ୍ୟାଳୟ ଓ ମହାବିଦ୍ୟାଳୟ, ନେହେରୁ ଯୁବ କେନ୍ଦ୍ର ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ  ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *