ଜଗତସିଂହପୁର, ୨୫/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ,ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜଗତସିଂହପୁର ଜିଲ୍ଲା ର ପାରାଦ୍ଵୀପ ଗସ୍ତରେ ଆସି ଆଇ ଓ ସି ଏଲ ଗେଷ୍ଟ୍ ହାଉସ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଥିଲେ। ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଥମେ ବିଭିନ୍ନ ତୈଳ କମ୍ପାନୀ ତଥା ଗ୍ୟାସ ରିଫାଇନରି କମ୍ପାନୀ ମାନଙ୍କୁ ଜିଲ୍ଲା ରେ ଗ୍ୟାସ ଓ ତୈଳ ଯୋଗଣ ର ସ୍ଥିତି ସମ୍ବନ୍ଧ ରେ ପଚାରି ବୁଝିଥିଲେ। ହିତାଧୀକାରୀ ମାନେ ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ଗ୍ୟାସ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପେଟ୍ରୋଲ ପମ୍ପ ଗୁଡିକରେ ତୈଳ ର ମାନ ପରୀକ୍ଷଣ, ସାନ୍ଦ୍ରତା ମାପ ଆଦି ଉପରେ ଗୁରୁତ୍ବ ଦେବା ସହ ଫ୍ରଡ୍ ସପ୍ଲାଏ ରୋକିବା ପାଇଁ ପଦକ୍ଷେପ ନେବାପାଇଁ କହିଥିଲେ। ଏଥିପାଇଁ ସମୟନ୍ତର ରେ ପେଟୋଲ ପମ୍ପ ଗୁଡ଼ିକୁ ଚେକିଂ ପାଇଁ ସେ ଯୋଗାଣ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ନୂତନ ଡିପୋ ରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବା, ତେଲ ବା ଗ୍ୟାସ ର ମାନ ନିର୍ଦ୍ଧାରଣ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି କମ୍ପାନୀ ର ଗ୍ୟାସ ଲିକ୍ ଜନିତ ଦୁର୍ଘଟଣା ରେ ପ୍ରାଣ ହରାଉଥିବା ବ୍ୟକ୍ତି ଙ୍କ ପରିବାର କୁ ଅନ୍ୟୁନ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାପାଇଁ ମନ୍ତ୍ରୀ କମ୍ପାନୀ ମାନଙ୍କୁ କହିଥିଲେ।କମ୍ପାନୀ ମାନଙ୍କ ଠାରୁ ଆଗତ ସି ଏସ ଆର୍ ଫଣ୍ଡ କୁ ଜିଲ୍ଲା ର ଉନ୍ନତି ମୂଳକ କାର୍ଯ୍ୟ ରେ ଲଗାଇବାକୁ ମାନ୍ୟବର ମନ୍ତ୍ରୀ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ।
ଏହାପରେ ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲା ରେ ଧାନ ମଣ୍ଡି ଖୋଲିବା ତଥା ଧାନ କିଣା ବିଷୟ ରେ ସମୀକ୍ଷା କରିଥିଲେ।ଧାନର FAQ ମାନ କେନ୍ଦ୍ର ସରକାର ନିର୍ଧାରଣ କରିଛନ୍ତି। ତେଣୁ ପ୍ରତ୍ୟେକ ଚାଷୀଭାଇ ମାନେ ଉନ୍ନତ ମାନର ଧାନ ଆଣି ମଣ୍ଡିରେ ଦେବା ସହିତ ସରକାରଙ୍କ ଠାରୁ ନିର୍ଦ୍ଧାରିତ ମୂଲ୍ୟ ପାଆନ୍ତୁ ବୋଲି ସେ ଯୋଗାଣ ଅଧିକାରୀ ଙ୍କୁ କହିଥିଲେ। ଚଳିତ ବର୍ଷ କଟନି ଛଟନି ପାଇଁ କୌଣସି ନିୟମ କରାଯାଇ ନାହିଁ। ଜାନୁଆରୀ ୩୧ ତାରିଖ ସୁଦ୍ଧା ସମସ୍ତ ଖାଉଟି ମାନେ ନିଜର e-KYC କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।ଯଦି ବାହାର ରାଜ୍ୟରେ କେହି e-KYC କରିପାରୁ ନାହାନ୍ତି,ତେବେ ୧୯୬୭ କୁ ଫୋନ୍ କଲେ ଏହାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ। ଧାନ ସଂଗ୍ରହ ବେଳେ ମିଲର୍ ମାନେ ଚାଷୀଙ୍କୁ ଭଲ ଅଖା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ରେ ମିଲର ଅଭାବରୁ କେବଳ କୁଜଙ୍ଗ, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ୍ ରେ ଧାନ କିଣା ଚାଲିଥିବା ବେଳେ ଅନ୍ୟ ୫ ଟି ବ୍ଲକ୍ ରେ ଧାନ କିଣା ହୋଇପାରିନାହିଁ। ସେଥିପାଇଁ ଜିଲ୍ଲାପାଳ ମନ୍ତ୍ରୀ ଙ୍କୁ ଅନ୍ୟ ଜିଲ୍ଲା ରୁ ମିଲର ନିଯୁକ୍ତି ପାଇଁ ମତ ଦେଇଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ଏ ଦିଗରେ ବିଚାର ବିମର୍ଷ କରି ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ଏହାଛଡା ଜିଲ୍ଲା ରେ ମନୋନୀତ ମିଲର ମାନଙ୍କୁ ସେମାନଙ୍କ ଜଣାଶୁଣା ରେଥିବା ଅନ୍ୟ ମିଲର୍ ମାନଙ୍କୁ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଧାନମଣ୍ଡି ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପ୍ରତ୍ୟେକ ମଣ୍ଡିରେ ଚାଷୀଙ୍କ ପାଇଁ ବିଶ୍ରାମ ସ୍ଥଳୀ, ପାନୀୟ ଜଳ ଇତ୍ୟାଦି ସୁବ୍ୟବସ୍ଥିତ ଭାବରେ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାପାଳ ତଥା ଯୋଗାଣ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲାରେ ଖୋଲା ଯାଇଥିବା ମଣ୍ଡି ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ,ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ , ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ , ସହକାରୀ ନିବନ୍ଧକ କୋ ଅପରେଟିଭ ସୋସାଇଟି, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି,ଆଇ ଓ ସି ଏଲ, ଏଚ ପି ସି ଏଲ, ବି ପି ସି ଏଲ, ଗେଲ୍ ର ବିଭାଗୀୟ ଅଧିକାରୀ,ମିଲର ପ୍ରମୁଖ ଏହି ବୈଠକ ରେ ଅଂଶ ଗ୍ରହଣ କରି ନିଜର ମତ ଉପସ୍ଥାପନ କରିଥିଲେ ।