ଗରଦପୁର,୨୩/୦୧/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତସ୍ଥିତ ଗୋତ୍ରବିଲ ଗ୍ରାମର ଗଙ୍ଗାଧର ସାହୁ । ବୟସ ଆସି ୮୫ ହେଲାଣି । ୨୦୨୮ ମସିହାରୁ ସେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ଭତା ପାଇଆସୁଥିଲେ । ହେଲେ ୨୦୨୩ ମସିହା ଜୁଲାଇ ମାସ ଠାରୁ ଆଜି ପର୍ଯ୍ୟନ୍ତ ୧୮ ମାସ ହେଲା ସେ କଳାକାର ଭତା ପାଇ ପାରି ନାହାନ୍ତି । ନିକଟସ୍ଥ ତାଳସଙ୍ଗା ୟୁକୋ ବ୍ୟାଙ୍କରେ ତାଙ୍କର ଭତା ଆକାଉଂଟ ରହିଛି । ହେଲେ ବହୁବାର ବ୍ୟାଙ୍କ କୁ ଦୌଡ଼ି ଆକାଉଂଟରେ ଭତା ଆସୁନଥିବା ଜାଣି ନିରାଶ ହୋଇ ଫେରନ୍ତି ଗଙ୍ଗାଧର । ଏମିତି ବି ନାମ ମାତ୍ର ଚାଷୀ ଭାବରେ ନିଜର ଥିବା ମାତ୍ର ୮ ଗୁନ୍ଠ ଜମି ଓ ଭାଗ ବଖରା କରି ନିଜ ପରିବାର ପ୍ରତି ପୋଷଣ କରନ୍ତି । ପନ୍ମୀ, ପୁଅ, ବୋହୁ ଙ୍କୁ ନେଇ ତାଙ୍କର ୫ ଜଚ୍ଚିଆ ପରିବାର ଦୁଃଖ କଷ୍ଟରେ ଚଳି ଆସୁଛନ୍ତି । ୨୦୨୮ ମସିହାରୁ ପାଇ ଆସୁଥିବା ମାସିକ ୧୨୦୦ ଟଙ୍କା ଲେଖା କଳାକାର ଭତା ତାଙ୍କ ତେଲ ଲୁଣ ସଂସାରକୁ ସାମାନ୍ୟ ଆଶ୍ୱସ୍ତ କରୁଥିଲା । ଚାଷ କରିବା ସହିତ ସଙ୍କିର୍ତନ କଳାକାର ଭାବରେ ଗାଁ ଏବଂ ଆଖପାଖ ଅଂଚଳରେ ସେ ଜଣେ ଜଣାଶୁଣା ସଙ୍କିର୍ତନ ଗାୟକ ଭାବରେ ପରିଚିତ । ତେବେ ୧୮ ମାସ ହେଲାଣି କଣ ପାଇଁ ତାଙ୍କ ଆକାଉଂଟକୁ ଭତା ଟଙ୍କା ଆସୁନାହିଁ, ସେ ବାବଦରେ ସେ ଜାଣି ପାରୁନାହାନ୍ତି । ପୂର୍ବରୁ କଳାକାର ଜୀବିତ ପ୍ରମାଣ ପତ୍ର ବ୍ଲକ୍ ଜରିଆରେ ଦିଆଯାଉଥିବାବେଳେ ଗତ ନଭେମ୍ବର ମାସରେ ଜୀବିତ ପ୍ରମାଣ ପତ୍ର ସେ ନିଯେ ନେଇ କେନ୍ଦ୍ରାପଡ଼ା ଜିଲା ସଂସ୍କୃତି ବିଭାଗରେ ଦାଖଲ କରିଛନ୍ତି । ତାଙ୍କ ଆଧାର କାର୍ଡ଼ ସହିତ ବ୍ୟାଙ୍କ ପାସବୁକ୍ ଜେରକ୍ସ ମଧ୍ୟ ସଂସ୍କୃତି ବିଭାଗରେ ଦାଖଲ କରି ଭତା ପାଇବା ପାଇଁ ହାରି ଗୁହାରୀ କରିଛନ୍ତି । ହେଲେ ଆଜି ସୁଦ୍ଧା ତାଙ୍କ ବ୍ୟାଙ୍କ ଆକାଉଂଟ କୁ ଭତା ଟଙ୍କା ଆସିନାହିଁ । ଫଳରେ ଅତି ଦୂର୍ବିସହ ଜୀବନ କାଟୁଛନ୍ତି ଗଙ୍ଗାଧର । ବୟସ ଏବେ ୮୫ ହୋଇ ଥିବାରୁ ଏ ସମ୍ପର୍କରେ ଅଭିଯୋଗ କରିବାକୁ ଅଫିସ ଦପ୍ତର ରେ ପହଂଚିବା ତାଙ୍କ ପାଇଁ ମଧ୍ୟ ଖୁବ କଷ୍ଟ ଦାୟକ ହେଉଛି । ଏହା ସତ୍ୱେ ଆଜି ନିଜର କାଗଜାଦି ଧରି ଗଙ୍ଗାଧର ଗରଦପୁର ବ୍ଲକ୍ କାର୍ଯ୍ୟାଳୟରେ ପହଂଚି ଭତା ପାଇବା ପାଇଁ ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପଦସ୍ଥ ଅଧିକାରୀଙ୍କୁ ଗୁହାରୀ କରିଛନ୍ତି । ଏ ସବୁକୁ ବିଚାରକୁ ନେଇ ଜିଲାପାଳ ଓ ଜିଲା ସଂସ୍କୃତି ଅଧିକାରୀ ତୁରନ୍ତ ପଦକ୍ଷେପ ନେଇ ଗଙ୍ଗାଧର ସାହୁଙ୍କ ବ୍ୟାଙ୍କ ଆକାଉଂଟ ରେ ଭତା ଟଙ୍କା ଯୋଗାଇ ଦେବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି ।
୧୮ ମାସ ହେଲା ମିଳିନି କଳାକାର ଭତା , ଦୁର୍ଦିନରେ ଗଙ୍ଗାଧର
