ଜଳବାୟୁ ପରିବର୍ତନ ପ୍ରସଙ୍ଗରେ ସାହିତି୍ୟକମାନେ ସ୍ୱର ଉଠାନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର,୧୯/୦୧/୨୦୨୫(ଓଡ଼ିଶା ସମାଚାର)-ଜଳ ବାୟୁ ପରିବର୍ତନ ପ୍ରସଙ୍ଗରେ ସାହିତି୍ୟକମାନେ ସ୍ୱର ଉଠାଇବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ଜାନୁଆରୀ ୧୯ ତାରିଖ ଦିନ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ “ବିଶ୍ୱମୁକ୍ତି” ଆନୁକୂଲ୍ୟରେ ବିଶ୍ୱରେ ଜଳବାୟୁ ପରିବର୍ତନରେ ଭାରତୀୟ ଭାଷା ଓ ସଂସ୍କୃତି ଉପରେ ପ୍ରଭାବ ତଥା ବିଚାର ସଂପର୍କରେ ଅଷ୍ଟମ ତ୍ରି-ଦିବସୀୟ ରାଷ୍ଟ୍ରୀୟ କର୍ମଶାଳା ଓ ବହୁଭାଷୀ କାବ୍ୟପାଠର ଉଦ୍ୟାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟିଏହି ଆହ୍ୱାନ ଦେଇଛନ୍ତି । ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଜଳବାୟୁ ପରିବର୍ତନ କେବଳ ଏକ ପରିବେଶଗତ ଚ୍ୟାଲେଞ୍ଜ ନୁହେଁ ବରଂ ସାଂସ୍କୃତିକ ଐତିହ୍ୟ ସମେତ ଜୀବନର ପ୍ରତ୍ୟେକ ଦିଗ ଉପରେ ଗଭୀର ପ୍ରଭାବ ପକାଇଥାଏ । ପ୍ରକୃତି ଏବଂ ସଂସ୍କୃତି ମଧ୍ୟରେ ସଂପର୍କ ଭାରତୀୟ ସଭ୍ୟତାର ଏକ ମୌଳିକ ଉପାଦାନ ହୋଇ ଆସିଛି ।ଭାରତୀୟ ସାହିତ୍ୟ ଏହାର ବିଶାଳତା, ବିବିଧତାଏବଂ ପରିବେଶଗତ ଚେତନାରେ ସମୃଦ୍ଧ ।ଆମର ପ୍ରାଚୀନ ଗ୍ରନ୍ଥ, ଲୋକ ପରମ୍ପରା ଏବଂ ସାହିତି୍ୟକ କୃତୀଗୁଡ଼ିକ ପ୍ରାୟତଃ ମାନବ ଜୀବନ ଏବଂ ପରିବେଶ ମଧ୍ୟରେ ଏକ ପାରସ୍ପରିକ କି୍ରୟାକୁ ପ୍ରତିଫଳିତ କରିଥାଏ । ତଥାପି, ଆଜି ଆମେ ଯେଉଁ ଦ୍ରୁତ ପରିବେଶଗତ ପରିବର୍ତନ ଦେଖୁଛୁ ତାହା ଧିରେ ଧିରେ ଏହି ସମନ୍ୱୟକୁ ବ୍ୟାହତ କରୁଛି ।ଏହି ବାଧା ଗୁଡ଼ିକ କେବଳ ପରିବେଶଗତ ନୁହେଁ ବରଂ ଭାଷାଗତ ଓ ସାଂସ୍କୃତିକ ମଧ୍ୟ ।ଏହା ଆମଭାଷା ଓ ପରଂପରାକୁ ପ୍ରଭାବିତ କରୁଛି ବୋଲି ରାଜ୍ୟପାଳ କହିଥିଲେ । ଆଜି ପରିବେଶ ସଚେତନତା ଜାଗ୍ରତ କରିବା ଏବଂ ଭବିଷ୍ୟତ ପୀଢ଼ିକୁ ପ୍ରେରଣା ଦେବା ପାଇଁ ସାହିତ୍ୟର ବ୍ୟବହାର ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେଏବଂ ପ୍ରାଣୀ ଜଗତକୁ ସୁସ୍ଥ ଓ ସଶକ୍ତ ରଖିବା ପାଇଁ ସାହିତି୍ୟକମାନେ ନିରନ୍ତର କଲମ ଚାଳନା ଜାରି ରଖିବାକୁ ରାଜ୍ୟପାଳ ଡ. କମ୍ଭମ୍ପାଟି ଆହ୍ୱାନ ଜଣାଇଥିଲେ ।
ଏହି ସମାରୋହରେ ପୂର୍ବତନ ଲୋକସଭା ସାଂସଦ ତଥା “ବିଶ୍ୱମୁକ୍ତି”ରଚେୟାରମ୍ୟାନ ଡ ପ୍ରସନ୍ନ କୁମାର ପାଟ୍ଟଶାଣୀ, କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଡ଼ ଅଚୁ୍ୟତ ସାମନ୍ତ,ଭାରତ ସରକାରଙ୍କ ଆର.ସି.ଏମ୍.ଆର. ର ଏଡିଜି ଡ଼ଃ ସଂଘମିତ୍ରା ପତି, ଇଷ୍ଟର୍ଣ୍ଣକୋଲ୍ ଫିଲଡ୍ ଲିଃ ର ପୂର୍ବତନ ସି.ଏମ୍.ଡ଼ି. ଶ୍ରୀମତୀ ଆହୁତି ସ୍ୱାଇଁ, “ବିଶ୍ୱମୁକ୍ତି”ର ସଂପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ପରିବେଶ ପରିବର୍ତନ ଦ୍ୱାରା କିପରି କଳା, ସଂସ୍କୃତି, ଭାଷା ଓ ସାହିତ୍ୟ ପ୍ରଭାବିତ ହେଉଛି ସେ ସଂପର୍କରେ ଅବତାରଣା କରିଥିଲେ ।ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବିଭିନ୍ନ ଭାଷାର କୃତୀ ସାରସ୍ୱତ ସାଧକଙ୍କୁ ସଂବର୍ଦ୍ଧିତ କରାଯିବା ସହିତ ବିଭିନ୍ନ ଭାଷାର ପୁସ୍ତକ ଉନ୍ମୋଚନ କରାଯାଇଥିଲାଏବଂ“ବିଶ୍ୱମୁକ୍ତି”ର ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା ।
-୦-
ସଂଜୀବବାରିକ,ରାଜ୍ୟପାଳଙ୍କଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *