ଜ଼ିଲ୍ଲା ସ୍ତରୀୟ ନବଜାତ ଶିଶୁ ସପ୍ତାହ ପାଳନ

ଜଗତସିଂହପୁର,୧୬/୧୧/୨୦୨୩ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ନବଜାତ ଶିଶୁ ସପ୍ତାହ ପାଳନ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଉକ୍ତ ସପ୍ତାହ ନଭେମ୍ବର ମାସ ୧୫ ତାରିଖରୁ ୨୧ ତାରିଖ ପର୍ୟ୍ୟନ୍ତ ପାଳିତ ହୁଏ । ଉକ୍ତ ସଭାକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରାଯାଇଥିଲା । ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ ଏ ବର୍ଷର ବାର୍ତ୍ତା : “ପ୍ରତ୍ୟେକ ନବଜାତ ଶିଶୁକୁ ସୁନିଶ୍ଚିନ୍ତ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନ ଓ ଯତ୍ନ ଶିଶୁର ଜନ୍ମଗତ ଅଧିକାର” ଗୋଷ୍ଟି ଓ ଆନୁଷ୍ଠାନିକ ସହଭାଗିତାରେ ନବଜାତ ଶିଶୁର ଯତ୍ନ କିପରି ସଠିକଭାବେ ନେଇ ଶିଶୁ ମୃତ୍ୟୁ ହାର କମାଇ ପାରିବା ସଚେତନ କରିବା ଏହି ସପ୍ତାହ ପାଳନର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ଯେ ନବଜାତ ଶିଶୁ କହିଲେ ଜନ୍ମରୁ ୨୮ ଦିନ ମଧ୍ୟରେ ସମୟକୁ କୁହାଯାଏ, ଯେଉଁ ସମୟ ଶିଶୁପାଇଁ ଅଧିକ ଗୁରୁତ୍ୱପୂର୍ଣ ଅଟେ । ଏହି ସମୟରେ ହିଁ ଅଧିକ ଶିଶୁ ଯତ୍ନରେ ଭୁଲ ହେଲେ ମୃତ୍ୟୁ ବରଣ କରିଥାନ୍ତି । ତେଣୁ ଡାକ୍ତରଖାନାରୁ ଆରମ୍ଭ କରି ମାଆ ଓ ପରିବାରର ସମସ୍ତ ସଦସ୍ୟଙ୍କର ଦାୟିତ୍ୱ ହେବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ନିଜ ଅଭିଭାଷଣରେ ନବଜାତ ଶିଶୁ ସପ୍ତାହ ପାଳନର ଆଭିମୁଖ୍ୟ ଓ ଗୋଷ୍ଟୀ ସ୍ତରରେ ଆଶା ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ । ଯାହାଦ୍ୱାରା ସବୁ ପରିବାରରେ ସଚେତନତାର ବାର୍ତ୍ତା ପହଂଚିପାରିବ । ଶିଶୁ ଜନ୍ମ ହେବାକ୍ଷଣି ମା କ୍ଷୀର ଖାଇବା ଓ କଙ୍ଗାରୁ ମଦର କେୟାର ଦେବା, ଯାହାଦ୍ୱାରା ଶିଶୁ ଶରୀରର ଉସ୍ମତା ରକ୍ଷା ହେଇପାରିବ । ଜନ୍ମ ପରେ ବି .ସି .ଜି ., ହେପାଟାଇଟିସ-ବି ଓ ପୋଲିଓ ଟୀକାକରଣ ସୁନିଶ୍ଚିନ୍ତ କରିବା ଏବଂ ଯଦି କିଛି ବିପଦ ସଂକେତ ଥାଏ ,ତେବେ ଯଥାଶୀଘ୍ର ଚିକିତ୍ସା ପାଇଁ ଡାକ୍ତରଖାନାକୁ ପ୍ରେରଣ କରିବା । ସବୁ ଶିଶୁ ଯେମିତି ଡାକ୍ତରଖାନାରେ ଜନ୍ମ ହେବେ ସେ ସଚେତନତା କରିବା ଆମ ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଜୟ ସ୍ୱାଇଁ ଏକ ପ୍ରେଜେଣ୍ଟସନ ଦେଖେଇଥିଲେ ଓ ନବଜାତ ଶିଶୁମାନଙ୍କର କଣ ସବୁ ଅସୁବିଧା ଦେଖାଦିଏ ଘରେ ଓ ଡାକ୍ତରଖାନାରେ କେମିତି ସେସବୁକୁ ଚିକିତ୍ସା କରାଯାଏ ସେ ବିଷୟରେ ବୁଝାଇଥିଲେ । ନବଜାତ ଶିଶୁର କେଉଁ ସବୁ ପରୀକ୍ଷା କରି ବିପଦ ଶଙ୍କୁଳ ଶିଶୁ ଚିହ୍ନଟ କରିବା ଯଥା – ସୁସ୍ଥ ଶିଶୁ ମିନିଟକୁ ୬୦ ଥର ନିଶ୍ୱାସ ନେଇଥାଏ ଯଦି ତାଠାରୁ ଅଧିକ କି କମ ହୁଏ ତାକୁ, ଯଦି ଶିଶୁକୁ ବାତ ମାରେ, ଶିଶୁ ଯଦି ନ କାନ୍ଦି ନିସ୍ତେଜ ରହେ,ଯଦି ନିଶ୍ୱାସ ପ୍ରଶ୍ୱାସ ନେବା ବେଳେ ଛାତି ତଳଭାଗ ଭିତରକୁ ପଶିଯାଏ ,ମାଆ କ୍ଷୀର ଯଦି ଖାଇନପାରେ ଓ ଜ୍ୱର ରହେ , ତେବେ ଶିଶୁଟି ବିପଦ ସଙ୍କେତ ବୋଲି ଜାଣିବା ଓ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ । ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ଏହି ଜନ୍ମର ୨୮ ଦିନ ମଧ୍ୟରେ ଶିଶୁ ମୁର୍ତ୍ତୃ ହାର ସବୁଠୁ ଅଧିକ, ତେଣୁ ନବଜାତ ଶିଶୁକୁ ଯତ୍ନ ହସ୍ପିଟାଲରେ ଓ ଘରେ ଠିକ ଭାବେ ନେଇପାରିଲେ ଆମେ ଏହି ମୂଲ୍ୟବାନ ଜୀବନ ବଞ୍ଚେଇ ପରିବା ବକ୍ତବ୍ୟ ରଖିଥିଲେ । ପ୍ରସୂତି ମାଆମାନଙ୍କ ମଧ୍ୟରେ ଏକ କୁଇଜ଼ ପ୍ରତିଯୋଗିତା କରାଯାଇ ବିଜେତା ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଜ଼ିଲ୍ଲା ସ୍ତରରୁ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଭା ପରିଚାଳନା କରିଥିଲେ । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଜ଼ିଲ୍ଲାସ୍ତରରୁ ସସ୍ମିତା କାନୁନଗୋ ଏନ. ଆର .ସି . କାଉନସେଲର ,ସୁସ୍ମିତା ରାଉତ ଆର.ଏମ.ଏନ.ସି.ଏଚ.କାଉନସେଲର, ନର୍ସିଂ ଅଫିସର ଜ୍ୟୋତିର୍ମୟୀ ସାହୁ ,ଅନିମା ବଳ, ସବିତା ଭୋଇ ଙ୍କ ସହ ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ପ୍ରସୂତି ମାଆ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *