୮ମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ଉଦଯାପିତ

  ଯାଜପୁର, ୨୧/୧୨/୨୦୨୩ (ଓଡ଼ିଶା ସମାଚାର)- ଜିଲ୍ଲା ପ୍ରଶାସନ ଓ କଳିଙ୍ଗନଗର ପୁସ୍ତକ ମେଳା କମିଟିର ପକ୍ଷରୁ ଅଷ୍ଟମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା  ବୁଧବାର ରାତ୍ରୀରେ ଉଦଯାପିତ ହୋଇଯାଇଛି । କମିଟି ସଭାପତି  ଶ୍ରୀ ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଡ଼ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ଶିକ୍ଷା ସାହିତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିବାକୁ ହେଲେ ପୁସ୍ତକ ମେଳାର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

 ମୁଖ୍ୟ ବକ୍ତାଭାବେ ବିଜେବି ସ୍ୱୟଂଶାସିତ କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ସୁଧୀର ଚନ୍ଦ୍ର ଜେନା କହିଲେ ଯେ ପୁସ୍ତକ ବିନା ଶିକ୍ଷା ଓ ସଭ୍ୟତାର ସୁରକ୍ଷା ଅସମ୍ଭବ , ସାହିତ୍ୟ ମାଧ୍ୟମରେ ସଂସ୍କୃତିର ସୁରକ୍ଷା ହୋଇଥାଏ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଓଡିଶା  ଟାଇମ୍ସ ର ଜିଲ୍ଲାପ୍ରତିନିଧି  ସୁରେଶ କୁମାର କର, ଚଣ୍ଡୀ କ୍ଲବର ସମ୍ପାଦକ ଶିଶିର କୁମାର ରାଉତ ଯୋଗ ଦେଇ ପୁସ୍ତକ ମେଳା ବିଷୟ ରେ ଆଲୋକପାତ କରିଥିଲେ । ପୁସ୍ତକ ମେଳାର ମୁଖ୍ୟ ଉପଦେଷ୍ଟା ସବିତା ରାଉତ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମହାନ୍ତି ଯୋଗଦେଇ ପୁସ୍ତକ ମେଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପୁସ୍ତକ ମେଳାର ସମ୍ପାଦକ ଡ଼ କୁଶଚନ୍ଦ୍ର ପ୍ରଧାନ ବିବରଣୀ ପାଠ କରିଥିଲେ ଓ ଉପସଭାପତି ଅଧ୍ୟାପକ ଡ଼ ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ।

 ପୁସ୍ତକ ମେଳାର ମୁଖପତ୍ର “କଳିଙ୍ଗ ଦର୍ପଣ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ପର୍ବ ସମାପନ କରାଯାଇଥିଲା । ଏଥିରେ କଳିଙ୍ଗ ନଗରର ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ଡ଼ ସନ୍ତୋଷ କୁମାର ମିଶ୍ର ସମ୍ପାଦକ “ନ୍ୟୁଜ ୱାନ ଓଡ଼ିଶା”ର ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର, “ସକାଳ”ର ବ୍ୟାସନଗର ପ୍ରତିନିଧି ଯଜ୍ଞଦତ୍ତ ତ୍ରିପାଠୀ “ଓଡିଶା ଟାଇମ୍ସ”ର ସୁରେଶ କୁମାର କର, “ଡ଼ୁମାଣି ଖବର”ର ସାଗର ରଞ୍ଜନ ବେହୁରିଆ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବ୍ୟାସନଗର କଲେଜ, ଝୁମକା ଡ୍ୟାନ୍ସ ଏକାଡେମୀ, ସ୍ଟେପ ଏଣ୍ଡ ଷ୍ଟାଇଲ, ଦି ବଏଜ, ବ୍ୟାସନଗର ପବ୍ଲିକ ସ୍କୁଲ, ଦେବ ଇଣ୍ଟରନେସନାଲ ସ୍କୁଲ ଓ ପିକେ ଡ୍ୟାନ୍ସ ଏକାଡେମୀର ଛାତ୍ର ଛାତ୍ରୀ ଓ ସତ୍ୟସାହି ସଂଗଠନ ପ୍ରଜାପତି ବ୍ରହ୍ମକୁମାରୀ ସନ୍ଥ ନରହଂକାରୀ ସଂଗଠନ , ଓରିଏଣ୍ଟ ପବ୍ଲିସର ପ୍ରଭୃତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  ।ଶେଷରେ ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *