ଉପର ଲିଖିତ ଶିର୍ଷକଟି ଆପଣମାନଙ୍କୁ ନିଶ୍ଚିତ ଭାବେ ଅଡ଼ୁଆ ଲାଗୁଥିବ।କାହିଁକି ନାଁ,ଲୋକଟି କହୁଛି ମୁଁ ତ ମଲିଣି,ଆଉ ମାରିବା ମୋତେ କଣ ଆବଶ୍ୟକ।ଆଜିର ବିଷୟବସ୍ତୁ ଟିକିଏ ଭିନ୍ନ ରହିବ,ହଁ ସମାଜରେ ଏମତି କିଛି ସ୍ଵାଭିମାନି ବ୍ୟକ୍ତି ଅଛନ୍ତି ଯାହାକି କୌଣସି ଅସହ୍ୟ ପରିସ୍ଥିତି କୁ ସାମ୍ନା କରି ନପାରି ଅଫେରା ରାଇଜକୁ ଚାଲିଯାଆନ୍ତି।ତେବେ ଏଠାରେ ପ୍ରଶ୍ନ ଉଠୁଛି ମାରିବା ଆଉ ମରିବାର ପ୍ରସଙ୍ଗ କୋଉଠୁ ଆସିଲା।ଆସନ୍ତୁ ନିଶ୍ଚିତ ଜାଣିବା ଏକ ଉଦାହରଣରୁ ମୁଁ ଏଠାରେ ଦୁଇ ପକ୍ଷ ବିଷୟରେ କିଛି କଥା କହିବାକୁ ଚାଂହୁଛି,ଯେପରି କି ଯୁଧ୍ୟ ସରିବା ପୂର୍ବରୁ ଗୋଟେ ପକ୍ଷ ନିଜର ଦୁର୍ବଳତାର ଅଭାବବୋଧ ଅନୁଭବ କରି ବିବେକର ଇଙ୍ଗିତ ଅନୁସାରେ ନିଜ ଆଡୁ ଆତ୍ମସମର୍ପଣ କରିଥାଏ,ଏଥିରୁ ବୁଝାପଡ଼େ ପକ୍ଷଟି ନିଶ୍ଚିତ ମାନସିକ ସ୍ତରରେ ଦୁର୍ବଳ ହୋଇସାରିଛି ସାମ୍ନା କୁ ଆଉ ସମ୍ମୁଖୀନ କରିପାରିବନି।ଏହା ନୁହେଁ ଯେ ତା ପାଖରେ ସାମର୍ଥ୍ୟ ବା ସୈନ୍ୟସାମନ୍ତ ନାଁହାନ୍ତି,ନାଁ ସେ ତାର ସ୍ବାଭିମାନକୁ ଆଖିରେ ରଖି କିଛି ପରିସ୍ଥିତି ଓ ପରିବେଶକୁ ଲକ୍ଷ କରି ପଛେଇ ଯିବାକୁ ବାଧ୍ୟ ହୁଏ।ଯେଉଁଠି ଅନ୍ୟ ପକ୍ଷଟି ଜିତିବାର ଡିଣ୍ଡିମ ପିଟି ସାରିଥାଏ,ଏହା ମଧ୍ୟ ସ୍ଵଭାବିକ।ମୁଁ ଏଠାରେ କୌଣସି ସୈନ୍ୟ ସାମନ୍ତ ଗୋଳାବାରୁଦ ବ୍ୟବହୃତ ଯୁଧ୍ୟ କଥା କହୁନାହିଁ,ଆଜିର ଯୁବସମାଜରେ ପୁଅ ଝିଅ ମାନଙ୍କର ମାନସିକ ଯୁଧ୍ୟ ବିଷୟରେ କିଛି କହିବି।ପ୍ରଥମେ କହିବାକୁ ଚାହେଁ ଯେ,ମୁଁ ବିଲକୁଲ ମନୋବିଜ୍ଞାନର ଛାତ୍ରୀ ନୁହେଁ କିମ୍ବା ଏତେ ଟିକି ନିଖି କାହାର ମାନସିକତା କୁ ମଧ୍ୟ ପଢିନାହିଁ ଏହା ସହଜ ବି ନୁହେଁ,କିନ୍ତୁ ଯାହା ଏହି ସମାଜରେ ଘଟୁଛି ଓ ଭବିଷ୍ୟତରେ ଘଟିବାର ସମ୍ଭାବନା ଅଛି କିଞ୍ଚିତ ଆଲୋଚନା ନିଶ୍ଚିତ ରଖିପାରିବି।ନାରୀ କଣ ଖାଲି କାନ୍ଦିପାରେ,ବିଲକୁଲ ନୁହେଁ, ପୁରୁଷ ଆଖିରେ ବି ଲୁହ ଭରି ରହିଛି ଆଉ ସେ ବି ଯନ୍ତ୍ରଣା ସହି ନପାରି କାନ୍ଦିପାରେ ,ଏହା ମୋ ମତରେ ସତ୍ୟ।ବର୍ତ୍ତମାନ ଦେଖିବାକୁ ଗଲେ କେତେକ ପରିବାରରେ ପୁରୁଷ ଟି ଅତ୍ୟନ୍ତ ମାନସିକ ଚାପଗ୍ରସ୍ତ ହୋଇ ନୈରାଶକୁ ଆବୋରି ଜୀବନକୁ ଖିନଭିନ୍ନ କରିଦେଉଛି,ଆଉ ଶେଷରେ ଅତ୍ୟନ୍ତ ଅସହ୍ୟ ହୋଇ ଆତ୍ମହତ୍ୟା କୁ ନିଜର କରୁଛି।ଯାହା ଆଜି ମୋ ଆଲୋଚନାର ବିଷୟ ବସ୍ତୁ।ଏପରି ସବୁ ଅଶାନ୍ତିର ଘଟଣାକୁ ନେଇ ଚାଂଚଲ୍ୟକର ସବିଶେଷ ବିବରଣୀ ପ୍ରତିଦିନ ନାମୀ ଦାମୀ ଖବରକାଗଜ ର ପୃଷ୍ଠା ମଣ୍ଡନ କରୁଛି।ଯାହାକୁ ପଢି ଆମେ ଖାଲି ଆହାଃ, ଓଃ, ଚୁ ଚୁ ହୋଇ ପୁଣି ଖବକାଗଜ କୁ ମୋଡି ମାଡି ଥୋଇ ଦେବା ଛଡା ଅନ୍ୟ କିଛି ବାଟ ଖୋଜୁନାଁହୁ। ହଁ ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଯୁଗ ଯୁଗ ଧରି ମାନବ ସମାଜ ପୁରୁଷ ଓ ନାରୀ କୁ ନେଇ ଗଠିତ ଯାହା ସତ୍ୟ।ବର୍ତ୍ତମାନ ନାରୀ ପୁରୁଷଙ୍କ ସମାନତାକୁ ନେଇ ଅନେକ ପ୍ରଶ୍ନ,ବିଭିନ୍ନ ଆଲୋଚନା ସମାଲୋଚନା,ତର୍କ ବିତର୍କ ଚାଲିଛି,ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ନାରୀ ମାନଙ୍କୁ ସବୁଠି ଅଗ୍ରାଧିକାର ଦିଆଯାଉଛି ପାଠପଢା ଠାରୁ ଆରମ୍ଭ କରି ଚାକିରୀ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ।ପୂର୍ବରୁ ଏହି କଥା ରହିଛି ଯେ ଜଣେ ଉଚ୍ଚ ଶିକ୍ଷିତା ମାଆଟିଏ ତାର ପିଲା ମାନଙ୍କୁ ଉତ୍ତମ ଶିକ୍ଷା ଦେବା ସହ ପରିବାରର ସୁ ଗଠନ ବା ନିଜର ସ୍ନେହ ଶ୍ରଦ୍ଧା ଭଲ ପାଇବାରେ ସଭିଙ୍କୁ ଗୋଟିଏ ଡୋରରେ ବାନ୍ଧି ରଖିବା ଠାରୁ ଆରମ୍ଭ କରି ରୋଜଗାର କ୍ଷମ ହୋଇ ସ୍ବାମୀ ଙ୍କୁ ସାହାଯ୍ୟ କରିଥାଏ।ସେଥି ପାଇଁ ତ ନାରୀ କୁ ଉଚ୍ଚାସନରେ ବସାଯାଇଥାଏ।କିନ୍ତୁ ଅଧୁନା ସମାଜରେ ଠିକ ଓଲଟା ଦେଖାଯାଉଛି।ନାରୀଟିଏ ତାର ସ୍ବାଧୀନତାକୁ ଅପବ୍ୟବହାର କରି ନିଜର ଅହଂ ଭାବ ପରିପ୍ରକାଶ ସହ ସ୍ୱାମୀ ଓ ଶାଶୁ ଶଶୁରଙ୍କ ଦିଅର ନଣନ୍ଦ ସମ୍ପୂର୍ଣ୍ଣ ପରିବାର କୁ ହେୟ ମନେ କରୁଛିଏବଂ ଆଧୁନିକତାର ଦ୍ୱାହି ଦେଇ ସଂସ୍କାର,ସମ୍ପର୍କ କୁ ପାଦରେ ଆଡେଇ ଦେଉଛି।ବିଶେଷ ଭାବେ ଦେଖିବାକୁ ମିଳୁଛି ଉଚ୍ଚ ଶିକ୍ଷିତ ପୁଅ ଝିଅ ଙ୍କ ଵିଵାହ ର ମାତ୍ର କିଛି ଦିନ ଅନ୍ତେ ତିକ୍ତତା ଏତେ ବଢି ଯାଉଛି ଯେ ନିଜ ଭିତରେ ତାହା ସମାଧାନ ନ ହୋଇ ଶେଷରେ କୋର୍ଟ କଚେରୀରେ ବିଛେଦ ହେଉଛି।ତଥାପି ଏହି ଅଧ୍ୟାୟର ଶେଷ ହେଉନାହିଁ, ସେମାନଙ୍କ ଅହଂ ବା ଜିଦ୍ଦି ପାଇଁ ତାଙ୍କ ଔରସରୁ ଜନ୍ମିତ ପିଲାଟି ବିଚରା କାହାର ହେବ ବୁଝି ପାରୁନି।ଏ ପରିସ୍ଥିତି ରେ ପୁରୁଷଟି ସ୍ତ୍ରୀର ଦାଉ,ଶଶୁର ଘରର ତାଗିଦ,ବାପା ମାଆ ଭାଇ ଭଉଣୀଙ୍କ ସ୍ନେହ ଶ୍ରଦ୍ଧା ପାଖରେ ହାର ମାନୁଛି।ମାରନା – ମୁଁ ମଲିଣି ଏହି ଢଗଟି ଆମକୁ ଏଠାରେ ସୂଚାଇ ଦେଉଛି ଯେ ମଣିଷ ବେଳେ ବେଳେ ନିଜ ସ୍ୱାଭିମାନ ଓ ସମାଜରେ ନିଜର ସମ୍ମାନ ବଞ୍ଚାଇବାକୁ ଯାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି।ସବୁଠି ପ୍ରାୟେ ଦେଖାଯାଉଛି ପୁଅଟି ଯଦି ପରିବାରକୁ ସୁଚାରୁ ରୁପେ ଚଳାଇନିଏ ତେବେ ତାକୁ ସଫଳ ପୁରୁଷର ଆଖ୍ୟା ମିଳିଥାଏ।କୌଣସି କାରଣ ବଶତଃ ତାର କାର୍ଯ୍ୟକ୍ରମରେ ସାମାନ୍ୟ ତ୍ରୁଟି ଦେଖାଦିଏ ତେବେ ତାର ଆଦର୍ଶ ଶିକ୍ଷା ଓ ଯୋଗ୍ୟତାକୁ ନେଇ ସର୍ବ ସମ୍ମୁଖରେ ନିନ୍ଦା କରାଯାଏ।ଆଉ ପରିବେଶ ରଣକ୍ଷେତ୍ର ପାଲଟିଯାଏ,ଯାହା ମହାଭାରତ ଯୁଧ୍ୟ ଠାରୁ କିଛି କମ ନୁହେଁ।ଦୁଃଖ ଲାଗୁଛି ମଣିଷ ଶିକ୍ଷିତ ହେଉଛି ସବୁ ଅସମ୍ଭବକୁ ସମ୍ଭବ କରିପାରୁଛି।ହେଲେ ବିଶ୍ୱାସ ଭଲ ପାଇବା ଓ ମାନବିକତାର ସତ୍ତା କାହିଁକି କମି ଯାଉଛି।ପାରସ୍ପରିକ ବୁଝାବଣା ଓ ବିଶ୍ଵାସ ରେ ଗଢ଼ିଉଠିଥିବା ସମ୍ପର୍କରେ କିଛି ସର୍ତ୍ତ ଅବିଶ୍ୱାସ ଆସି ଉଭା ହେଉଛି ଯାହାକି ଦାୟିତ୍ବବାନ ପୁରୁଷ ଶେଷରେ ବଳି ପଡୁଛି।ଉଦାହରଣ ସ୍ୱରୂପ ଏହି କିଛି ଦିନର ଛାଞ୍ଚଲ୍ୟକର ଖବର ବେଙ୍ଗାଲୁର ର 34 ବର୍ଷୀୟ ଜଣେ ଯୁବ ଏ ଆଇ ଇଂଜିନିୟରଙ୍କ ଆତ୍ମହତ୍ୟା,ଏହି ବିଷୟରେ ବହୁତ ଆଲୋଚନା ସମାଲୋଚନା ସାରା ଦେଶରେ ଚାଲିଛି।ମୁଁ ଯତକିଞ୍ଚିତ ସୋସିଆଲ ମିଡ଼ିଆରୁ ଜାଣିଛି,ଜେନରାଲ ମ୍ୟାନେଜର ଭାବେ କାର୍ଯ୍ୟରତ ଯୁବକ ବିବାହ ବିଛେଦ୍ଦ ପରେ ମଧ୍ୟ ସ୍ତ୍ରୀ ଏବଂ ସ୍ତ୍ରୀ ପକ୍ଷ ଲୋକ ମାନଙ୍କର ଅତ୍ୟନ୍ତ ମାନସିକ ଚାପ ସହି ନପାରି ଏପରି ଚରମ ନିଷ୍ପତ୍ତି ଯୁବକଟି ନେଇଛି।ଖାଲି ଏହି ଗୋଟିଏ ଇଂଜିନିୟର ଭାଗ୍ୟରେ ଏମତି ଘଟୁନି ସହ ସହ ଯୁବକଙ୍କ ମଧ୍ୟରେ ଏପରି ଘଟୁଛି।ଭାରତରେ ଏକ ଅନୁସନ୍ଧାନରୁ ଜଣାପଡିଛି ପ୍ରାୟ 49 ପ୍ରତିଶତ ପୁରୁଷ ନିର୍ଯ୍ୟାତିତ।ତେବେ ଏଥିରେ କଣ ପରିବର୍ତ୍ତନ ଆସିବନି।କାହିଁକି ନୁହେଁ ଯେଉଁଠି ମଣିଷ ନିଜକୁ ଶ୍ରେଷ୍ଠ ପ୍ରାଣୀ ବୋଲି ବିବେଚିତ କରେ ସେଠି କିଛି ଅସମ୍ଭବ ନୁହେଁ। ଆମ ମାନସିକତାକୁ ଆମେ ବଦଳେଇ ପାରିଲେ ଏପରି କାର୍ଯ୍ୟର ନିଶ୍ଚିତ ପୂର୍ଣ୍ଣଛେଦ ପଡିବ।ନାରୀ ଙ୍କୁ ସର୍ବଂସହା କୁହାଯାଉଥିଲା,ଏବେ ଆଉ ଏପରି ଉଦାହରଣ ନାହିଁ।ଦେଖାଯାଉଛି କେତେକ ଜାଗାରେ ସ୍ୱାମୀକୁ ସ୍ତ୍ରୀ ଅପାରଗ ପୁରୁଷ ଅସଫଳ ଏପରି ଅନେକ କଥା କହି ଗାଳି କରିବାର ଏହା କଣ ଏକ ନିର୍ଯ୍ୟାତନା ନୁହେଁ କି।ଶୈଶବରୁ ଯୌବନ ଯାଏ ବଡ କରିଥିବା ପିତା ମାତାଙ୍କୁ ମଧ୍ୟ ଆଶ୍ରାବ୍ୟ ଭାଷାରେ ଗାଳି କରନ୍ତି।ଯାହା ଦ୍ୱାରା ପୁଅ ଟିର ସହିବାର ଶେଷ ସୀମା ହୋଇଯାଇଥାଏ।ତେଣୁ ଏସବୁ ପରିବର୍ତ୍ତନ ପାଇଁ ସମସ୍ତଙ୍କ ଦାୟିତ୍ୱ ରହିଛି।କିଛି ଝିଅର ପିତାମାତା ଯଦି ବିବାହ ପୂର୍ବରୁ ସାମାନ୍ୟ ସଂସ୍କାର ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇ ପଠାନ୍ତେ ତେବେ ଏସବୁ କିଛି ମାତ୍ରାରେ କମି ଯାଆନ୍ତା।ପୁଅ ଝିଅ ମଧ୍ୟରେ ବୁଝାବଣା ଠିକ ରହିଲେ ମଧ୍ୟ ସମସ୍ୟା ବିଲକୁଲ ଆସିବନି।ସହନଶୀଳତା,ବିଶ୍ଵସନୀୟତା, ନମ୍ରତା, ନିଜ ଭୁଲକୁ ସ୍ୱୀକାର କରିବା, ଅନ୍ୟକୁ ସମ୍ମାନ ଦେବା ଓ ସ୍ୱାର୍ଥପରତା ଛାଡି ନିଷ୍ଠାପର କାର୍ଯ୍ୟ କଲେ ସମ୍ପର୍କର ମର୍ଯ୍ୟାଦା ବଢିବ ଓ ଆଗାମି ପିଢ଼ିର ସୁରକ୍ଷା ସହ ନିଜେ ସାରାଜୀବନ ଖୁସିରେ ଜୀବନ ଯାପନ କରି ପାରିବେ।
-0-
ରଶ୍ମୀ ସାମଲ, ଭୁବନେଶ୍ୱର