ମୂଳ ରତ୍ନଭଣ୍ଡାରକୁ ଫେରିଲା ମହାପ୍ରଭୁଙ୍କ ଅଳଙ୍କାର

ପୁରୀ,୨୩/୦୯/୨୦୨୫(ଓଡ଼ିଶା ସମାଚାର)-ରଥଯାତ୍ରା -୨୦୨୪ ସମୟରେ ମୂଳ ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଓ ସାମଗ୍ରୀ ସବୁ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା । ସଂରକ୍ଷଣ ତଥା ମରାମତି ପରେ ନୂଆ ରୁପ ପାଇଥିବା ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ମଙ୍ଗଳବାର ସ୍ଥାୟୀ ଭାବରେ ସ୍ଥାନାନ୍ତରଣ ହୋଇଛି ।

ଶୁଭବେଳା ପୂର୍ବାହ୍ନ ୧୦ ଟା ୫୫ ମିନିଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକ୍ ଅପରାହ୍ନ ୨ ଟା ୫୫ ମିନିଟ୍ ସମୟରେ ଶେଷ ହୋଇଥିଲା । ଶୁଭବେଳାରେ ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟମାନେ ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ଆଶୀର୍ବାଦ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଟ୍ରେଜେରିରୁ ଆସିଥିବା ଚାବିରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅସ୍ଥାୟୀ ଭିତର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖଟଶେଜ ଘର ଖୋଲାଯାଇଥିଲା । ସମସ୍ତ ବହୁମୂଲ୍ୟ ସାମଗ୍ରୀ ସେଠାରୁ ସ୍ଥାୟୀ ଭିତର ଭଣ୍ଡାରକୁ ନିଆଯାଇଥିଲା । ସମସ୍ତ ଅଳଙ୍କାର ଓ ସାମଗ୍ରୀ ଯିବା ପରେ ବ୍ୟବସ୍ଥା ଅନୁସାରେ ମୂଳ ଭିତର ରତ୍ନଭଣ୍ଡାରକୁ ତାଲା ପକାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା ଏବଂ ସମ୍ପୃକ୍ତ ଚାବି ଜିଲା ଟ୍ରେଜେରିରେ ଜମା ଦିଆଯାଇଛି ।

Leave a Reply

Your email address will not be published. Required fields are marked *