ସମ୍ବଲପୁର ଠାରେ “ଲୋକାଲ୍ ଚମ୍ପିଆନ୍” ପ୍ରଶିକ୍ଷଣରେ ପଞ୍ଚାୟତ ପ୍ରତିନିଧିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ୧୦ଟି ପରାମର୍ଶ

ଗାଁର ବିକାଶ ହେଲେ ଦେଶର ବିକାଶ ହେବ – ଧର୍ମେନ୍ଦ୍ର ପ୍ରଧାନ

୧.      ସବୁ ଗ୍ରାମ ପଞ୍ଚାୟତରେ ନିରନ୍ତର ଭାବେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ଯୋଜନା ହେଉ

୨.      ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟକୁ ବିଶେଷ ପ୍ରାଥମିକତା ଦିଆଯାଉ

୩.      ଶିଶୁର ଜନ୍ମରୁ ଆରମ୍ଭ କରି ଦ୍ୱାଦଶ ପଢିବା ପର୍ଯ୍ୟନ୍ତ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ଉପରେ ଦୃଷ୍ଟି ଦିଆଯାଉ ।

୪.      ପଞ୍ଚାୟତରେ ରୋଜଗାରକୁ ବ୍ୟବସ୍ଥିତ କରିବା ପାଇଁ ବ୍ୟାପକ ଯୋଜନା ହେଉ

୫.      ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଆସୁଥିବା ଟଙ୍କାର ସଦୁପଯୋଗ କରିବା ପାଇଁ ପରାମର୍ଶ ଦିଆଯାଉ

୬.      ସ୍ଥାନୀୟ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଚାଷୀ, ବୁଣାକାର ଓ ଅନ୍ୟ ବର୍ଗର ଲୋକଙ୍କୁ ଉପାଦେୟ ପରମର୍ଶ ଦେବା

୭.      ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ପରି ଅନ୍ୟ ଯୋଜନା ଗୁଡିକର ସଠିକ୍ ସୂଚନା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରିବା

୮.      ସମ୍ଭାବ୍ୟ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଗାଁର ପରିବେଶକୁ ସୁରକ୍ଷିତ ରଖିବା ସହ ସଚେତନତା ତିଆରି କରିବା ପାଇଁ ହେବ

୯.      ଚାଷରେ ରସାୟନ ସାର ବ୍ୟବହାର କମ୍ କରିବା ସହ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା

୧୦.   ଭାରତ ସରକାର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକୁ ନେଇ ଏକ ପୁସ୍ତକ ପ୍ରକାଶନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ

ସମ୍ବଲପୁର, ୦୫/୦୧/୨୦୨୫ (ଓଡ଼ିଶା ସମାଚାର)- ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ଗଠନର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା କେବଳ ଗାଁର ସାମଗ୍ରିକ ବିକାଶ ଦ୍ୱାରା ହିଁ ସମ୍ଭବ ହେବ । ଗାଁର ବିକାଶ ନ ହେଲେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ ବୋଲି ରବିବାର ସମ୍ବଲପୁର ଠାରେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା “ଲୋକାଲ୍ ଚମ୍ପିଆନ୍” ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଆମ ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଏକ ମଜଭୂତ୍ ବ୍ୟବସ୍ଥା । ଗ୍ରାମାଞ୍ଚଳର ବିକାଶ ତଥା ଗାଁରେ ବସବାସ କରୁଥବା ଲୋକମାନଙ୍କର ଜୀବନଜୀବିକାରେ ପରିବର୍ତ୍ତନ ଆଣିବାରେ ପଞ୍ଚାୟତିରାତ ଅନୁଷ୍ଠାନ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗ୍ରାମ ପଞ୍ଚାୟତଗୁଡ଼ିକ ମଧ୍ୟରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସୁସ୍ଥ ପ୍ରତିଯୋଗିତା କରିବାର ଲକ୍ଷ୍ୟ ନେଇ ଲୋକାଲ୍ ଚମ୍ପିଆନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଗ୍ରାମୀଣ ବିକାଶ ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକର କିପରି ସଠିକ୍  ପରିଚାଳନା ହେବ,  ସେ ଲକ୍ଷ୍ୟ ନେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସ୍ଥାନୀୟ ନେତୃତ୍ୱ, ଜନପ୍ରତିନିଧିଙ୍କ ଭୂମିକା ଓ ଆଞ୍ଚଳିକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଲୋକାଲ୍ ଚମ୍ପିଆନ ପ୍ରଶିକ୍ଷଣ ହେଉଛି । ସମ୍ବଲପୁର ଜିଲ୍ଲା ଗ୍ରାମାଞ୍ଚଳର ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଓ ଅନ୍ୟା ନ୍ୟ ଉପରେ ଯେଉଁ ଦୀର୍ଘମିଆଦୀ ଯୋଜନା ହେବ, ତା’ର ମୂଳ ଆଧାର ପଞ୍ଚାୟତିରାଜ ବ୍ୟବସ୍ଥା ହେବ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସହ ଜଡ଼ିତ ସମସ୍ତଙ୍କୁ ୧୦ଟି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଛନ୍ତି ସବୁ ଗ୍ରାମ ପଞ୍ଚାୟତରେ ନିରନ୍ତର ଭାବେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ଯୋଜନା ହେଉ । ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟକୁ ବିଶେଷ ପ୍ରାଥମିକତା ଦିଆଯାଉ । ଶିଶୁର ଜନ୍ମରୁ ଆରମ୍ଭ କରି ଦ୍ୱାଦଶ ପଢିବା ପର୍ଯ୍ୟନ୍ତ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ଉପରେ ଦୃଷ୍ଟି ଦିଆଯାଉ ।  ପଞ୍ଚାୟତରେ ରୋଜଗାରକୁ ବ୍ୟବସ୍ଥିତ କରିବା ପାଇଁ ବ୍ୟାପକ ଯୋଜନା ହେଉ । ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଆସୁଥିବା ଟଙ୍କାର ସଦୁପଯୋଗ କରିବା ପାଇଁ ପରାମର୍ଶ ଦିଆଯାଉ ।  ସ୍ଥାନୀୟ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ଚାଷୀ, ବୁଣାକାର ଓ ଅନ୍ୟ ବର୍ଗର ଲୋକଙ୍କୁ ଉପାଦେୟ ପରମର୍ଶ ଦେବା ଦରକାର ।

 ସେହିପରି ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ପରି ଅନ୍ୟ ଯୋଜନା ଗୁଡିକର ସଠିକ୍ ସୂଚନା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରିବାକୁ ହେବ । ସମ୍ଭାବ୍ୟ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଗାଁର ପରିବେଶକୁ ସୁରକ୍ଷିତ ରଖିବା ସହ ସଚେତନତା ତିଆରି କରିବା ପାଇଁ ପଡିବ । ଚାଷରେ ରସାୟନ ସାର ବ୍ୟବହାର କମ୍ କରିବା ସହ ଜୈବିକ ଚାଷ କରାଇବା ପାଇଁ ପ୍ରୋତ୍ସାହନ ଦେବାକୁ ହେବ  । ଭାରତ ସରକାର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକୁ ନେଇ ଏକ ବିଧିବଦ୍ଧ ପୁସ୍ତକ ପ୍ରକାଶନ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରମାଗତ ଭାବରେ ଅନେକ ଶିକ୍ଷିତ ଯୁବକ ଯୁବତୀମାନେ ପଞ୍ଚାୟତିରାଜ ବ୍ୟବସ୍ଥାରେ ସାମିଲ ହେବା ଗଣତନ୍ତ୍ର ପାଇଁ ଶୁଭଙ୍କର ଅଟେ । ରାଜ୍ୟର ଗ୍ରାମ ପଞ୍ଚାୟତ ଗୁଡ଼ିକ ନିଜର କଲ୍ୟାଣକାରୀ କାର୍ଯ୍ୟ ମାଧ୍ୟମରେ ଜାତୀୟ ସ୍ତରରେ ପୁରସ୍କୃତ ହେବା ଆମ ପାଇଁ ଗୌରବମୟ ଉପଲବ୍ଧି ସେ ମତପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *