୧୫୦ କିମି କୁ ଭଡ଼ା ୫୦୦ ଟଙ୍କା
ଭୁବନ, ୦୫/୦୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଉଥିବା ନାଇଟ କୋଚ ବସ୍ ଯାତ୍ରୀ ଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ରୁ ସମ୍ବଲପୁର ଚାଲୁଥିବା (ଲକି)ବସ୍ ଟି ଧାର୍ଯ୍ୟ ଭଡ଼ା ଠାରୁ ଦୁଇ ତିନିଗୁଣ ଅଧିକ ଭଡ଼ା ନେଉଥିବା ସହିତ ଯାତ୍ରୀ ଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗ ରୁ ପ୍ରକାଶ ଯେ,ଦେବାନନ୍ଦ ସାହୁ ନାମକ ଜନୈକ ସାମ୍ବାଦିକ ଗତ ଡିସେମ୍ବର ୩୦ ତାରିଖ ସୋମବାର ଦିନ ସପରିବାର ବାଲେଶ୍ଵର ବୁଲିବାକୁ ଯାଇଥିଲେ । ଭୁବନ ଫେରିବା ନିମନ୍ତେ ରାତି ୯ ଘଟିକା ସମୟରେ ବାଲେଶ୍ଵର ବସ୍ ଷ୍ଟାଣ୍ଡରେ ଓଡ଼ି ୦୨ ଏ ଏମ ୨୬୪୩ ନମ୍ବର ବିଶିଷ୍ଟ ଲକି ଟ୍ରାଭେଲ୍ସ ବସ୍ ରେ ବସିଥିଲେ । ବାଲେଶ୍ଵର ରୁ ଭୁବନ ସମୁଦାୟ ୧୫୫ କିମି ହେଉଥିବା ବେଳେ ସଂପୃକ୍ତ ବସ୍ କଣ୍ଡକ୍ଟର ଜଣକା ୫୦୦ ହିସାବରେ ୪ ଜଣଙ୍କ ଠାରୁ ବିନା ଟିକେଟରେ ୨୦୦୦ ଟଙ୍କା ନେଇଥିଲେ । ସାମ୍ବାଦିକ ଶ୍ରୀ ସାହୁ ଏହାର ପ୍ରତିବାଦ କରି ଟିକେଟ ମାଗିବାରୁ ସିଟ୍ ନମ୍ବର ୧୭,୧୯,୨୦,୨୧ ଭଡ଼ା ୧୯୦୦ ଟଙ୍କା ଲେଖି ଶହେ ଟଙ୍କା ଫେରସ୍ତ ଦେଇଥିଲେ । ୧୫୫ କିମି କୁ ଭଡ଼ା କେତେ ହେଉଛି ବୋଲି ସାମ୍ବାଦିକ ଶ୍ରୀ ସାହୁ ପ୍ରଶ୍ନ କରିବାରୁ ରାତି ଗାଡ଼ି ୫୦୦ ତଳକୁ ଭଡ଼ା ନାହିଁ ବୋଲି ଅଜବ ଯୁକ୍ତି ବାଢ଼ିଥିଲେ । ଏହା ସହିତ ସେହି ଲକି ବସ୍ ଟି ଭୁବନ ସହର ମଧ୍ୟରେ ପ୍ରବେଶ ନକରି ରାତି ସାଢ଼େ ୧୨ ଘଟିକା ସମୟରେ ଦୁଇ କିମି ଦୂର ବାଇପାସ ଛକରେ ଓହ୍ଲାଇ ଦେଇଥିଲା । ଫଳରେ ଶୀତ ରାତିରେ ପ୍ରବଳ ଥଣ୍ଡାରେ ହଇରାଣ ହରକତ ହୋଇ ଘରେ ପହଞ୍ଚିଥିଲେ । ସାମ୍ବାଦିକ ଶ୍ରୀ ସାହୁ ନ୍ୟାୟ ପାଇଁ ଢେଙ୍କାନାଳ ଏବଂ ବାଲେଶ୍ଵର ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଭୁବନ ସହର ଦେଇ ରାଉରକେଲା,ସମ୍ବଲପୁର, କୋଲକାତା,ହଳଦିଆ ପ୍ରଭୃତି ଅଞ୍ଚଳକୁ ଚାଲୁଥିବା ନାଇଟ କୋଚ ବସ୍ ଗୁଡ଼ିକ ସହର ମଧ୍ୟରେ ପ୍ରବେଶ ନକରି ବାଇପାସ ପଟେ ଯାଉଥିବାରୁ ଭୁବନ ଲୋକ ହଇରାଣ ହରକତ ହେଉଛନ୍ତି । ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।