ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନର ଉଦ୍ ଯାପନ ଉତ୍ସବ

ଜଗତସିଂହପୁର ୦୨/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜଳସଂପଦ ବିଭାଗ ଆନୁକୁଲ୍ୟରେ ପାଣିପଞ୍ଚାୟତ ପକ୍ଷପାଳନର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯଦିଓ ଏହା ଗତ ୨୯.୧୨.୨୦୨୪ ରେ ଅନୁଷ୍ଠିତ ହେବାର ନିର୍ଦ୍ଧାରିତ ଥିଲା, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମନମୋହନ ସିଂହ ଙ୍କର ଦେହାନ୍ତ ହେତୁ ଦେଶବ୍ୟାପୀ ପାଳିତ ସାତଦିନ ଧରି ଶୋକଦିବସ ପାଇଁ ଏହି ଉତ୍ସବକୁ ସ୍ଥଗିତ ରଖାଯାଇ, ଆଜି ଅନୁଷ୍ଠିତ ହୋଇଥିଲା । ଏହି ଉଦଯାପନ ଉତ୍ସବରେ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ, ମାନ୍ୟବର ବିଧାୟକ, ଜଗତସିଂହପୁର ମୁଖ୍ୟ ଅତିଥି ରୂପେ ଯୋଗଦେଇ ତାଙ୍କର ଅଭିଭାଷଣରେ ପାଣିପଞ୍ଚାୟତକୁ ଅଧିକ କ୍ରିୟାଶୀଳ କରି, ଜଳସେଚନ ସମୟରେ କେନାଲର ଶେଷ ମୁଣ୍ଡରେ ଥିବା ଚାଷଜମିକୁ ବିନାବାଧାରେ ଜଳଯୋଗାଣ କରିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଜିଲ୍ଲାର ବିଭିନ୍ନ ଉନ୍ନୟନ ବିଭାଗ ଅଧିନରେ ହେଉଥିବା ସରକାରୀ କାର୍ଯ୍ୟର ଉପଯୁକ୍ତ ମାନ ବଜାୟ ରଖିବା ଉପରେ ମାନ୍ୟବର ମୁଖ୍ୟଅତିଥି ଗୁରୁତ୍ଵପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରମାକାନ୍ତ ଭୋଇ, ମାନ୍ୟବର ବିଧାୟକ, ତିର୍ତ୍ତୋଲ, ଶ୍ରୀଯୁକ୍ତ ମନୋଜ ଭୋଇ, ଅଧ୍ୟକ୍ଷ ଜିଲ୍ଲାପରିଷଦ, ଜଗତସିଂହପୁର,  ଶ୍ରୀଯୁକ୍ତ ଜେ. ସୋନାଲ, ଜିଲ୍ଲାପାଳ ଜଗତସିଂହପୁର, ଏବଂ ଶ୍ରୀଯୁକ୍ତ ରବିନାରାୟଣ ଜେଠି (ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଜଗତସିଂହପୁର) ସମ୍ମାନୀତ ଅତିଥି ରୂପେ ଯୋଗଦେଇ ପାଣିପଞ୍ଚାୟତ ଗଠନର ଉଦ୍ଦେଶ୍ୟ, ପରିଚାଳନାଗତ ତୃଟି ଭବିଷ୍ୟତରେ ଏହାର ସଫଳ ରୂପାୟନ ତଥା ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ ଯଥା, କୃଷି, ପଶୁପାଳନ, ମତ୍ସ୍ୟ, ଉଦ୍ୟାନବିଭାଗ ଇତ୍ୟାଦିର ବିଭିନ୍ନ ସରକାରୀ ଯୋଜନାର ସୁଫଳ କିଭଳି ସାଧାରଣ ଚାଷୀଙ୍କ ପାଖରେ ପହଞ୍ଚିପାରିବ ତା ଉପରେ ଗୁରୁତ୍ଵପ୍ରଦାନ କରିଥିଲେ ।ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସନ୍ଦୀପ କୁମାର ସଭାପତିତ୍ବ କରିଥିଲେ।ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦ୍ଵାରିକାମୋହନ ଦାସ, ବରିଷ୍ଠ ବୈଜ୍ଞାନିକ, ଜିଲ୍ଲା କୃଷି ଗବେଷଣା କେନ୍ଦ୍ର, ଜଳବାୟୁ ପରିବର୍ତ୍ତନ ଓ ସମସ୍ୟା ଏବଂ ଜଳର ସୁବିନିଯୋଗରେ ଆଧୁନିକ ଜ୍ଞାନକୌଶଳ ର ଉପଯୋଗ ଉପରେ ବିସ୍ତୃତ ମତାମତ ଦେଇଥିଲେ । ଶେଷରେ ଜିଲ୍ଲା ସଂସ୍କୃତିବିଭାଗ  ଆନୁକୁଲ୍ୟରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ  ପରିବେଷଣ କରାଯାଇ ଥିଲା । ପକ୍ଷପାଳନ ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ   ଅତିଥି ବୃନ୍ଦ  ପୁରସ୍କୃତ କରିଥିଲେ । ଏହି ବୈଠକରେ ତାଳଦଣ୍ଡା ସେଚାଞ୍ଚଳ ଓ ମାଛଗାଁ ସେଚାଞ୍ଚଳ ଅନ୍ତର୍ଗତ ସମସ୍ତ ପାଣିପଞ୍ଚାୟତର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ଜିଲ୍ଲା ସ୍ତରୀୟ ଅଧିକାରୀ ମୁଖ୍ୟ ସେଚାଞ୍ଚଳ ଉନ୍ନୟନ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ପାଣି ପଞ୍ଚାୟତ ର କର୍ମକର୍ତ୍ତାମାନ ଯୋଗ ଦେଇଥିଲେ। ପରିଶେଷରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସନ୍ଦୀପ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *