ଭୁବନେଶ୍ୱର,୦୧/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେଣୁ ‘ସୁସ୍ଥ ପରିବେଶ ଓ ସୁସ୍ଥ ଜୀବନ’ର ବାର୍ତ୍ତା ପ୍ରେରଣ ଉଦ୍ଦେଶ୍ୟରେ ନୂଆବର୍ଷରେ ନୂଆ ପରମ୍ପରା ଆରମ୍ଭ କରିଛନ୍ତି ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ପରଲୋକ ପାଇଁ ସାରା ଦେଶରେ ଜାତୀୟ ଶୋକଦିବସ ପାଳନ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆବର୍ଷକୁ ନିରାଡ଼ମ୍ବର ଭାବେ ପାଳନ କରାଯାଉଛି । ଏହି କ୍ରମରେ ଆଜି ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅନେକ ସାଧାରଣ ଜନତା ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତାଙ୍କ ବାସଭବନରେ ଭେଟି ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରତିବଦଳରେ ସମସ୍ତଙ୍କୁ ବିଭିନ୍ନ ରକମର ବୃକ୍ଷଚାରା ପ୍ରଦାନ କରି ନିଜର ବାଡ଼ିବଗିଚାରେ ରୋପଣ କରିବାକୁ ନିବେଦନ କରିଥିଲେ । ‘ଗଛ ବଞ୍ଚିଲେ ଆମେ ବଞ୍ଚିବା’ର ଏହି ମହାନ ଉକ୍ତିକୁ ନୂଆବର୍ଷରେ ସାରା ରାଜ୍ୟରେ ପହଞ୍ଚାଇବାର ଉଦ୍ୟମ ଆରମ୍ଭ କରିଥିବାରୁ ଶୁଭେଚ୍ଛୁମାନେ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବେଲ, ବଉଳ, ଚନ୍ଦନ, ତେଜପତ୍ର, ଅଶୋକ, ଲିଚୁ, ଆମ୍ବ, ସପେଟା, ଅର୍ଜୁନ, ସମୀ, ଅଁଳା ସମେତ ବିଭିନ୍ନ ଔଷଧୀୟ ବୃକ୍ଷଚାରା ବଣ୍ଟନ କରିଥିଲେ ।
ବୃକ୍ଷରୋପଣ ସହିତ ପରିବେଶକୁ ସୁସ୍ଥ ରଖିବା ଏବଂ ସବୁଜ ଭାରତ ଓ ସବୁଜ ଓଡ଼ିଶା ଗଠନ ନେଇ ସଂକଳ୍ପ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ ।
-0-
ସୁଜିତ ରଞ୍ଜନ ସ୍ୱାଇଁ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
