। ଓଡିଶାରୁ ଅତିଥି ଭାବେ ଯୋଗଦେଉଛନ୍ତି ଦୁଇଜଣ କବି।
ବ୍ରହ୍ମପୁର,୨୮/୧୨/୨୦୨୪ (ଓଡ଼ିଶା ସମାଚାର)- ଆସାମ ଲେଖକ ସଂଘ ତରଫରୁ ନିମନ୍ତ୍ରିତ ହୋଇ ଶିବସାଗର ଜିଲ୍ଳାରେ ଚଳିତ ଡିସେମ୍ବର ମାସ 28,29,30 ରେ ଆୟୋଜିତ ହେଉଥିବା ତିନିଦିନିଆ ସର୍ବଭାରତୀୟ ବହୁଭାଷୀ କବି ସମ୍ମିଳନୀରେ ଓଡିଶାରୁ ଦୁଇଜଣ ବରିଷ୍ଠ କବି ଫନି ମହାନ୍ତି ଓ ଇଂ.ଯାମିନି କାନ୍ତ ଦାସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଉଛନ୍ତି ।
ଭାରତର ବିଭିନ୍ନ ରାଜ୍ୟରୁ ଏହି ରାଷ୍ଟ୍ରୀୟ କବି ସମ୍ମିଳନୀରେ ବହୁ ପ୍ରତିଷ୍ଠିତ କବି ଯୋଗଦେଉଛନ୍ତି । ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ଭାଷାର କବିତା ପଠନ,ସାମ୍ପ୍ରତିକ ସାହିତ୍ୟର ସ୍ଥିତି ସହିତ ବିଭିନ୍ନ ବିଷୟରେ ଆଲୋଚନା ହେବ । ଭୁବନେଶ୍ୱରରେ ରହୁଥିବା କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର ପ୍ରାପ୍ତ ପ୍ରତିଷ୍ଠିତ କବି ଡ଼. ଫନି ମହାନ୍ତିଙ୍କ ସହିତ ବ୍ରହ୍ମପୁରର ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ତଥା ପ୍ରତିଷ୍ଠିତ କବି ଓ ସାହିତ୍ୟିକ ଇଂ.ଯାମିନି କାନ୍ତ ଦାସ ଉଭୟେ ଶନିବାର କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଆସାମ ଗସ୍ତରେ ଯାଇଛନ୍ତି । ପୂର୍ବରୁ ଉଭୟ ଓଡ଼ିଆ କବି ଅନେକ କବି ସମ୍ମିଳନୀରେ ଯୋଗଦେଇଥିବା ବେଳେ ଚଳିତ ଥର ଆସାମରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ କବି ସମ୍ମିଳନୀରେ ଅତିଥି ଭାବେ ଯୋଗଦେବା ସହିତ ନିଜ ଅନୁଭୂତି ସେଠାରେ ଉଭୟେ ଉପସ୍ଥାପନ କରିବେ । ଆସାମ ଗସ୍ତରେ ଯାଇଥିବା ଏହି ଦୁଇ ଓଡ଼ିଆ କବିଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।