ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ବିଭିନ୍ନ ଉତ୍ସବ

ସାହିତ୍ୟୋତ୍ସବରେ ‘ଓଡ଼ିଆ ଅସ୍ମିତା’କୁ ଗୁରୁତ୍ୱ

ଭୁବନେଶ୍ୱର, ୨୬/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ୨୦୨୧ ବ୍ୟାଚ୍‌ ଓଡ଼ିଶା ଅର୍ଥସେବା ଅଧିକାରୀ ଶିକ୍ଷାନବିଶମାନଙ୍କ ଦ୍ୱାରା ଚାରିଦିନ ବ୍ୟାପି ବିଭିନ୍ନ ଉତ୍ସବ ଆୟୋଜିତ ହୋଇଯାଇଛି । ସାହିତ୍ୟୋତ୍ସବରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯାଇ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଚାରିଦିନ ବ୍ୟାପି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମଧୁକ୍ଷରା’, କ୍ରୀଡ଼ା ଉତ୍ସବ, ଖାଦ୍ୟ ଉତ୍ସବ ଓ ସାହିତ୍ୟୋତ୍ସବରେ ଶିକ୍ଷାନବିଶମାନେ ନିଜ ନିଜର ପ୍ରତିଭା, ଦକ୍ଷତା ଓ ଅଭିନବତ୍ୱ ପ୍ରତିପାଦନ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଲୋକନୃତ୍ୟ, ସଂଗୀତ ଓ ନାଟକ ପରିବେଷିତ ହୋଇଥିବାବେଳେ କ୍ରୀଡ଼ା ଉତ୍ସବରେ ପ୍ରତିଯୋଗୀମାନେ କ୍ରୀଡ଼ାକୌଶଳ ଓ ଶାରୀରିକ ଦକ୍ଷତା ପ୍ରଦର୍ଶନ କରିଥିଲେ । ଖାଦ୍ୟ ଉତ୍ସବରେ ସେମାନେ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ଓ ସେସବୁରେ ପାରମ୍ପରିକ ତଥା ଆଧୁନିକ ବ୍ୟଞ୍ଜନ ଶୈଳୀର ଝଲକ ମିଳିଥିଲା । ସାହିତ୍ୟୋତ୍ସବରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ‘ବର୍ଣ୍ଣନାର ବିବର୍ତ୍ତନ: ଶାସ୍ତ୍ରୀୟରୁ ସମକାଳୀନ’ ଶୀର୍ଷକ ପ୍ରସଙ୍ଗରେ ବିଶିଷ୍ଟ କବି ତଥା ସଂଗଠକ ସୂର୍ଯ୍ୟ ମିଶ୍ର, ସାହିତି୍ୟକ ଅଧ୍ୟାପକ ଡ. ନେତାଜୀ ଅଭିନନ୍ଦନ, କବି ଏବଂ ଅଧ୍ୟାପକ ଡ. ଶକ୍ତି ମହାନ୍ତି ଅଂଶଗ୍ରହଣ କରିଥିଲେ । ବକ୍ତାମାନେ ଓଡ଼ିଆ ଅସ୍ମିତା, ସାହିତ୍ୟରେ ସମକାଳୀନ ସ୍ୱର, ପାଠକ ବୃଦ୍ଧି, ଭାଷାପ୍ରୀତି, ଓଡ଼ିଆ ସାହିତ୍ୟର ଡିଜିଟାଲ ପ୍ରସାରଣ ଓ

ସାହିତି୍ୟକ କ୍ରିୟାଶୀଳତା ଉପରେ ମତାମତ ଉପସ୍ଥାପନ କରିଥିଲେ । ଏହା ସହିତ କୁଇଜ୍‌ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ମହାନ୍ତିଙ୍କ ସମେତ ବରିଷ୍ଠ ପଦାଧିକାରୀ ମଧୁସ୍ମିତା ବେହେରା, ଚିରସ୍ମିତା ସାହୁ ଓ ଶାନ୍ତା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିବାବେଳେ ଭୂମିପୂର୍ବା ମଲ୍ଲ, ଶୀତିକଣ୍ଠ ଦାଶ ଓ ସାର୍ଥକ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *