ବିପନ୍ନ ମୁହାଁ ହେବନିତ ବ୍ଲକ-ଏନଏସି ଭାଇଚାରର ଗତି ?
କଳାହାଣ୍ଡି ୨୫/୧୨/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ-ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ-ଜୁନାଗଡ଼ ଉତ୍ସବ ଘୁମୁରା ପାଇଁ ଆଜି ଜୁନାଗଡ଼ ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଡ଼ିଓ ଦେବବ୍ରତ କର, ଉପାଧ୍ୟକ୍ଷ ପ୍ରମୋଦ ବେହେରା,କର୍ତ୍ତବ୍ୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ, ଅତିରିକ୍ତ ତହସିଲଦାର, ବିଏସଏସଓ,ପ୍ରମୁଖ ମଞ୍ଚାସିନ ଥିଲେ। ବ୍ଲକର ସରପଞ୍ଚ ସଂଘ ସଭାପତି, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଦାଧିକାରୀ, ସାମ୍ବାଦିକ ସଂଘର ସଦସ୍ୟ ପ୍ରମୁଖ ଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ଉତ୍ସବ ଘୁମୁରା-ଜୁନାଗଡ଼ ଉତ୍ସବ ପ୍ରତିବର୍ଷ ସ୍ଥାନୀୟ ଜୁନାଗଡ଼ ହାଇସ୍କୁଲ ପଡିଆ ଠାରେ ଦୀର୍ଘ ବର୍ଷ ଆୟୋଜିତ ହୋଇ ଆସୁଛି।ହେଲେ ଏଥର ବ୍ଲକ ପ୍ରଶାସନ ଅଲଗା ଭାବେ ଏହି ଉତ୍ସବ ଗ୍ରାମାଞ୍ଚଳରେ, ଏକ ପଞ୍ଚାୟତରେ କରାଯିବା ନିଷ୍ପତି ନିଆଯିବା ଘୋଷଣାକୁ ଅନେକ ସହଜରେ ଗ୍ରହଣ କରି ନ ଥିଲେ। ସରପଞ୍ଚ ସଂଘ ସଭାପତି ତଥା ମୁଣ୍ଡୁରଗୁଡା ସରପଞ୍ଚ ଏହି ନିଷ୍ପତିକୁ ପୁନଃବିଚାର କରାଯାଇ, ଗୋଟିଏ ଜାଗାରେ ହିଁ ଉତ୍ସବ କରାଯିବାକୁ ମତ ରଖିଥିଲେ। ସାମ୍ବାଦିକ ସଂଘ ତରଫରୁ ମଧ୍ୟ ତଦନୁରୂପ ମତ ପ୍ରକାଶ ପାଇଥିଲା। କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫-ଜୁନାଗଡ଼ ମହୋତ୍ସବ ଏକ ସ୍ଥାନରେ ନ କରି ବ୍ଲକ ଓ ଏନଏସି ଭିନ୍ନ ଭିନ୍ନ ସ୍ଥାନରେ କରାଯିବା ନିଷ୍ପତିକୁ କଳା, ସଂସ୍କୃତି, ଐତିହ, ପରମ୍ପରା ଓ ଭାଇଚାରକୁ ଭଲ ପାଉଥିବା ଲୋକେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫,ଜୁନାଗଡ଼ ମହୋତ୍ସବ ଜୁନାଗଡ଼ ସହରରେ ହିଁ କରାଯିବା ଦିଗରେ ଜିଲ୍ଲାପାଳ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।