ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶିନୀରେ ଜିଲାର ୪ ପ୍ରକଳ୍ପ ଜୋନସ୍ତରକୁ ମନୋନୀତ

କେନ୍ଦ୍ରାପଡା, ୨୧/୧୨/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶିନୀ ବରଗଡ ଜିଲାର ବରପାଲି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ତିନିଦିନଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ କେନ୍ଦ୍ରାପଡାର ୭ଟି ପ୍ରକଳ୍ପ ମଧ୍ୟରୁ ୪ଗୋଟି ପ୍ରକଳ୍ପ ଜୋନସ୍ତରକୁ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡିଶା ଆଦର୍ଶ ବିଦ୍ୟାଳୟ ତରାଣ୍ଡୋ ଏକାଦଶ ଶ୍ରେଣୀର ଛାତ୍ରୀ ସ୍ୱାତୀପ୍ରଜ୍ଞା ରଥ ଖାଦ୍ୟ ସ୍ୱାସ୍ଥ୍ୟ ବିଷୟବସ୍ତୁରେ ପ୍ରଥମ ସ୍ଥାନ ଓ ପଟ୍ଟାମୁଣ୍ଡାଇର ଗଙ୍ଗାରାମପୁରସ୍ଥିତ ପଂଚାୟତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପ୍ରାଣତୋଷ ପ୍ରଧାନ ବିପର୍ଯ୍ୟୟ ପରିଚାଳନାରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଜିଲା ପାଇଁ ଗୌରବ ଆଣିଛନ୍ତି । ଏହାଛଡା ଆଉ ଦୁଇଜଣ କୁନି ବୈଜ୍ଞାନିକ ଇନ୍ଦୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ରଶ୍ମିରଞ୍ଜନ ସାହୁ ବର୍ଯ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଓ ଗୋଜାବନ୍ଧ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ସନ୍ତୋଷ କୁମାର ବାରିକ ପରିବହନ ଓ ଯୋଗାଯୋଗ ପ୍ରକଳ୍ପରେ ଭାଗ ନେଇ ଜୋନସ୍ତରକୁ ମନୋନୀତ ହୋଇଛନ୍ତି । ଏହି ୪ଜଣ କୁନି ବୈଜ୍ଞାନିକ ଜିଲା ପାଇଁ ଗୌରବ ଆଣିଛନ୍ତି । ଆସନ୍ତା ୭,୮ ଓ ୯ତାରିଖରେ କୋଲକତାର ବି. ଆଇ. ଟି. ଏମ. ଠାରେ ଅନୁଷ୍ଠିତ ଜୋନସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି କୁନି ବୈଜ୍ଞାନିକମାନଙ୍କୁ ଓ ସେମାନଙ୍କର ମାର୍ଗଦର୍ଶକଙ୍କୁ ଜିଲା ବିଜ୍ଞାନ ପରିଦର୍ଶକ ନିଷିଧ କୁମାର ବାରିକ ସମ୍ପୃକ୍ତ ବିଦ୍ୟାଳୟରେ ପହଂଚି ଉତ୍ସାହିତ କରିଥିଲେ । ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଏହି ୪ଜଣ କୁନି ପ୍ରତିଭା ଓ ତାଙ୍କ ଗାଇଡ୍ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *