ସନାତନୀ ସାହିତ୍ୟ ଟୁଙ୍ଗୀରୁ ଗୋଟିଏ ବହି ଗୋଟିଏ କଥା : ସନାତନ ଏକତା 

ଭୁବନେଶ୍ୱର,୧୬/୧୨/୨୦୨୪ (ଓଡ଼ିଶା ସମାଚାର)- ଚଳିତ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବରେ ଆଧ୍ୟାତ୍ମିକ ପୁସ୍ତକର ଚାହିଦା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଶ୍ରୀମନ୍ଦିର ଷ୍ଟଲ୍, ଗୋରଖପୁର ଗୀତା ପ୍ରେସ୍, ଗାୟତ୍ରୀ ପରିବାର, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଷ୍ଟଲ୍ ଆଗରେ ଭିଡ଼ ଜମି ରହୁଛି । ଏହା ବ୍ୟତୀତ ଅନ୍ୟ ଆଧ୍ୟାତ୍ମିକ ଷ୍ଟଲ୍ ଆଗରେ ଜନ ସମାଗମ ଲୋକଙ୍କ ଆଗ୍ରହ ଆଡ଼କୁ ସଙ୍କେତ କରୁଛି । ଏସବୁ ଭିଡ଼ରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ସନାତନୀ ସାହିତ୍ୟ ଟୁଙ୍ଗୀ । ସାହିତ୍ୟ ମାଧ୍ୟମରେ ସନାତନ ଏକତା । ଏମିତି ଏକ ନିଆରା ଲକ୍ଷ୍ୟ ନେଇ ସନାତନୀ ସାହିତ୍ୟ ଟୁଙ୍ଗୀ ପାଠକ ପାଠିକାଙ୍କ ସମକ୍ଷରେ ପ୍ରସ୍ତୁତ କରିଛି ଗୋଟିଏ ମାତ୍ର ପୁସ୍ତକ “ସମଗ୍ର ବିଶ୍ୱକୁ ଭାରତର ଅଜସ୍ର ଅନୁଦାନ”। ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଲିଖିତ ଏହି କାଳଜୟୀ ପୁସ୍ତକଟି ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ସାରା ବିଶ୍ବରେ ଭାରତର ଐତିହ୍ୟ, ସଂସ୍କୃତି ଓ ପରମ୍ପରା କିପରି ଅନେକ ରାଷ୍ଟ୍ରକୁ ପ୍ରଭାବିତ କରିଛି ତାହା ଏହି ପୁସ୍ତକରେ ପ୍ରତିଫଳିତ । ବିଶ୍ବରେ ଭାରତର ସନାତନ ସଂସ୍କୃତିର ଆଦୃତି ସହ ବ୍ୟାପକତା ଏହି ପୁସ୍ତକରେ ସ୍ଥାନିତ ହୋଇଛି । ସନ୍ଧ୍ୟାରେ ଷ୍ଟଲ୍ ଆଗରେ ଭିଡ଼ ପରିଲକ୍ଷିତ ହେଉଛି । ବହି କିଣିବା ଅପେକ୍ଷା ବହିର ଉଦ୍ଦେଶ୍ୟ ଓ ଆଦର୍ଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ରାଷ୍ଟ୍ର ଓ ଧର୍ମ ନେଇ ଚାଲୁଥିବା ଚର୍ଚ୍ଚା ଧ୍ୟାନ ଆକର୍ଷଣ କରୁଛି । ଟୁଙ୍ଗୀର ଉଦ୍ୟୋକ୍ତା ଦୀନବନ୍ଧୁ ଷଡ଼ଙ୍ଗୀ କହନ୍ତି ଯେ ଏଠାରେ ବହି ବିକିବା ଉଦ୍ଦେଶ୍ୟ ନୁହେଁ ବରଂ ବହିର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ ପାଠକକୁ ଅବଗତ କରାଇବା ସହ ସମାନ ବିଚାରଧାରାର ପାଠକଙ୍କୁ ଚର୍ଚ୍ଚାର ସୁଯୋଗ ଦେଇ ରାଷ୍ଟ୍ରୀୟ ବିଚାରଧାରାରେ ସମ୍ମିଳିତ କରାଇବା ଏକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଆମର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସବୁବେଳେ ନିଜର ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ସହ ଭାରତର ଐତିହ୍ୟକୁ ନେଇ ଗୌରବବୋଧ କରିବା ପାଇଁ ଆହ୍ବାନ କରିଛନ୍ତି । ଅଥଚ ଆମର ପାଠ୍ୟ ପୁସ୍ତକରେ ଭାରତର ସେ ମହାନ୍ ଐତିହ୍ୟ ସଂସ୍କୃତି ପ୍ରତିବିମ୍ବିତ ନୁହେଁ । “ସମଗ୍ର ବିଶ୍ୱକୁ ଭାରତର ଅଜସ୍ର ଅନୁଦାନ” ପୁସ୍ତକଟି ସେ ଅଭାବକୁ ପୂରଣ କରି ଆମକୁ ଆମ ଗରିମାମୟ ଐତିହ୍ୟ ସହ ପରିଚିତ କରାଉଛି ବୋଲି କହିଛନ୍ତି ଟୁଙ୍ଗୀର ଅନ୍ୟତମ ସହଯୋଗୀ ଉଜ୍ଜଳ ପଣ୍ଡା । ଚଉଦଟି ଭାରତୀୟ ଭାଷା ସହିତ ଇଂରାଜୀ ଭାଷାରେ ଅନୁଦିତ ଏ ପୁସ୍ତକଟି ପ୍ରବାସୀ ଭାରତୀୟଙ୍କ ପାଖରେ ଏକ ଆଦୃତ ପୁସ୍ତକ ହୋଇଥିଲା ବେଳେ ରାଷ୍ଟ୍ରୀୟ ବିଚାରଧାରାର ବ୍ୟକ୍ତିଙ୍କ ପାଇଁ ଏକ ସଂଗ୍ରହଣୀୟ ପୁସ୍ତକ ବୋଲି ମତବ୍ୟକ୍ତ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ପ୍ରାନ୍ତ ଉପସଭାପତି ଟାଇଫୁନ୍ ପରିଜା । ସ୍ଵାମୀ ବିବେକାନନ୍ଦଙ୍କ ରଚିତ “ଉତିଷ୍ଠତ ! ଜାଗ୍ରତ !” ଓ ଗୋରଖପୁର ଗୀତା ପ୍ରେସରୁ ଉପଲବ୍ଧ “ସରଳ ଗୀତା” ପୁସ୍ତକ ଦୁଇଟି ମଧ୍ୟ ପ୍ରତ୍ୟେକ ଭାରତୀୟ ଯୁବକଙ୍କ ପାଖରେ ପହଞ୍ଚାଇବାକୁ ଟୁଙ୍ଗୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଟୁଙ୍ଗୀର ଅନ୍ୟତମ ସହଯୋଗୀ ମନୋରଞ୍ଜନ ମହାରଣା ଓ ଶିବ ପ୍ରସାଦ ପଟ୍ଟନାୟକ । ଅନ୍ୟ ସହଯୋଗୀମାନଙ୍କ ମଧ୍ୟରେ ଶ୍ରୀକାନ୍ତ ରଥ, ସମରଜିତ୍ ଘୋଷ, ସୁଶାନ୍ତ କୁମାର ମିଶ୍ର, ଅମ୍ଳାନ ପାଣିଗ୍ରାହୀ, ବନଜାବାସିନୀ ତ୍ରିପାଠୀ ପ୍ରମୁଖ ଟୁଙ୍ଗୀର ପରିଚାଳନା ଦାୟିତ୍ୱରେ ଅଛନ୍ତି ।

Leave a Reply

Your email address will not be published. Required fields are marked *