ହିନ୍ଦୋଳ ୦୯/୧୨/୨୦୨୪ (ଓଡ଼ିଶା ସମାଚାର)-ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଆଜିବି ଅବହେଳିତ ଅବସ୍ଥାରେ ରହିଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଅନେକ ଅଞ୍ଚଳ। ନା ଅଛି ଗମନାଗମନର ସୁବିଧା ଆଉ ନା ଅଛି ପିଇବା ପାଇଁ ଭଲ ପାଣି, ନା ଶିକ୍ଷା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବ୍ୟବସ୍ଥା ।ଏଭଳି ଏକ ବିଛିନାଞ୍ଚଳ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ବ୍ଲକ ଦଣ୍ଡିରି ପଞ୍ଚାୟତର ବାଗୁଲି ଗାଁ। ରାସୋଳ ଥାନା ଓ ବଜାର ଠାରୁ ପ୍ରାୟ ୧୪ କିଲୋମିଟର ଦୂର ମଧ୍ୟରେ ଅବସ୍ଥିତ ଏକ ହାତୀ ପ୍ରବଣ ଅଞ୍ଚଳ ହେଉଛି ଏହି ଗାଁ।
ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ,ପାନୀୟଜଳ, ଇତ୍ୟାଦି ମୌଳିକ ସୁବିଧାରୁ ବର୍ଷବର୍ଷ ଧରି ବଞ୍ଚିତ ହେଉଛନ୍ତି ଏହି ଅଞ୍ଚଳବାସୀ।ଜନବସତି ଠାରୁ ଏଠାକୁ ଆସିବାକୁ ହେଲେ ବାଟରେ ପଡେ ଅନେକ ଅଣଓସାରିଆ ବିପଦ ସଙ୍କୁଳ ରାସ୍ତା ଏବଂ ତା ସାଙ୍ଗକୁ ଥାଏ ହାତୀର ଭୟ।ଏହି ଗାଁରେ ବାସ କରୁଥିବା ସମସ୍ତ ବାସିନ୍ଦା ଗରିବ ଶ୍ରେଣୀର ଏବଂ ଦିନ ମଜୁରିଆ ଲୋକ ଅଟନ୍ତି।ବାହ୍ୟଜଗତରୁ ବିଛିନ୍ନ ଏହି ଗାଁରେ ଅକସ୍ମାତ୍ ହଠାତ୍ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଆସିବା ତ ଦୂରକଥା କେବଳ ମୃତ୍ୟୁକୁ ଅପେକ୍ଷା କରିଥାନ୍ତି ଲୋକେ। ସତେ ଯେମିତି ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ସବୁ ଯୋଜନା ଏଠାରେ ଫେଲ ମାରିଛି ଏବଂ ଏଠାରେ ଦିନେ ପାଦ ପଡୁନି ନିର୍ବାଚିତ ପ୍ରତିନିଧି ମାନଙ୍କର । ଏଠାରେ ଦୈନନ୍ଦିନ ବ୍ୟବହୃତ ପିଇବା ପାଣି ମୁନ୍ଦେ ପାଇବା ପାଇଁ ଗାଁରେ ଥିବା ମୁକ୍ତାକାଶ ଖୋଲା କୂଅରୁ ଜଳ ସଂଗ୍ରହ କରିବାକୁ ପଡେ। ଯେଉଁ ପାଣିକୁ ପିଇ ଅନେକ ଲୋକଙ୍କୁ ମଧ୍ୟ ରୋଗାକ୍ରାନ୍ତ ହେବାକୁ ପଡ଼େ। ତେବେ ଗ୍ରାମବାସୀ ମାନଙ୍କୁ ଦେଖିଲେ ଲାଗେ ସତେ ଯେମିତି କେନ୍ଦ୍ର ସରକାରଙ୍କ ଅମୃତ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଏମାନଙ୍କୁ ପାଇଁ ସାତ ସପନ ପାଲଟି ଯାଇଛି। ବାର୍ଦ୍ଧକ୍ୟ ଭତ୍ତା ଏବଂ ସରକାରଙ୍କ ରାସନ୍ ଚାଉଳ ପାଇଁ ମଧ୍ୟ ଏମାନଙ୍କୁ ସମଦଶା ଭୋଗିବାକୁ ପଡେ। ଘଞ୍ଚ ଜଙ୍ଗଲ ଏବଂ ହିଂସ୍ର ବନ୍ୟ ଜନ୍ତୁ ଘେରା ଏହି ଦୁର୍ଗମ ଅଞ୍ଚଳର ଲୋକ ମାନଙ୍କୁ ଏବେ ମଧ୍ୟ କଳାପାଣି ଭଳି ସଜ୍ଜା କାଟୁଛନ୍ତି। ତେବେ ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ସରକାରଙ୍କ ବାରମ୍ୱାର ଦୃଷ୍ଟି ଗୋଚର କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଇନଥିଲେ ସ୍ଥାନୀୟ ନେତା ଅବା ପ୍ରଶାସନ। ତେବେ ଏବେ ନୂତନ ସରକାର ନିର୍ବାଚିତ ପ୍ରତିନିଧି ଏହି ଗ୍ରାମବାସୀ ମାନଙ୍କ ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା କରି ରହିଛନ୍ତି ଅଞ୍ଚଳବାସୀ।