ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ
କଟକ, ୦୯/୧୨/୨୦୨୪ (ଓଡ଼ିଶା ସମାଚାର)- କଟକ ମହାନଗର ନିଗମ ଦ୍ୱାରା ବିଡ଼ାନାସୀ ଅଞ୍ଚଳର ୧ ନମ୍ବର ଓ୍ବାର୍ଡରେ ଡ୍ରେନ୍ କାମ ଚାଲିଥିବାବେଳେ ରବିବାର ଘଟିଛି ଏକ ଅଘଟଣ। ଡ୍ରେନ୍ ପାଖ ପାଚେରୀ ଭୁଷୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି। ଏଥିସହ ଜଣେ ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ବିନା ସୁରକ୍ଷା, ବିନା ନାମ ଫଳକ ଏବଂ ବିନା ନିରୀକ୍ଷକରେ କିଭଳି ଚାଲିଥିଲା ନିର୍ମାଣ କାର୍ୟ୍ୟ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସିଏମସିର ଜଣେ ଠିକାଦାର ଏହି ଡ୍ରେନ ନିର୍ମାଣ କାର୍ୟ୍ୟ ହାତକୁ ନେଇଥିଲେ। କାର୍ୟ୍ୟ ସମୟରେ ୫ ଜଣ ଶ୍ରମିକ ନିୟୋଜିତ ରହିଥିଲେ। ୩ ଦିନ ପୂର୍ବରୁ ଏମାନେ କାମ ଆରମ୍ଭ କରିଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ ଠିକାଦାର କାମ ନ ରୋକି ଡ୍ରେନ କାର୍ୟ୍ୟ ଜାରି ରଖିଥିଲେ । କୌଣସି ସୁରକ୍ଷା ବ୍ୟବସ୍ଥା ନ ନେଇ ଏହି କାର୍ୟ୍ୟ ଜାରି ରଖିଥିଲେ । ଡ୍ରେନ ପାଖ ପାଚେରୀ ହଠାତ ଭୁଷୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି। ଆଜି ଶେଷକୃତ୍ୟ ପାଇଁ ତାଙ୍କ ମୃତଦେହ ନିଆଯାଇଛି । ମୃତ୍ୟୁକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ମୃତଦେହକୁ ସହର ପରିକ୍ରମା କରାଯାଇଛି । ଶବ ଶୋଭାଯାତ୍ରାରେ ଶ୍ରମିକ ମାନେ ସାମିଲ ହୋଇଛନ୍ତି । କ୍ଷତିପୂରଣ ଦାବି କରିଛନ୍ତି । ମୃତକ ହେଉଛନ୍ତି ବକ୍ସିବଜାର ପଟାପୋଲ ଅଂଚଳର ଏସ ଶଙ୍କର (୨୮) ଓ ଆହତ ଶ୍ରମିକ ହେଉଛନ୍ତି ପଟାପୋଲ ଅଂଚଳର ୱାଇ ବିଜୟ କୁମାର ଆଲିଆସ୍ ଇଜା (୫୫) ।
ଏହି ଘଟଣାରେ ମେୟର ସୁବାସ ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ନିର୍ମାଣ କାର୍ଯ୍ୟ ସମୟରେ କାର୍ଯ୍ୟ ସ୍ଥଳରେ ଠିକାଦାର କିମ୍ବା ସୁପରଭାଇଜର ଉପସ୍ଥିତ ନରହିବା ହାୟିତ୍ୱହିନତା ବୋଲି କହିବା ସହ ଏହି ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ ଟଇମ୍ ଗଠନ କରାଯାଇଥିବା କହିଛନ୍ତି । ଅତିରିକ୍ତ କମିଶନର କଳ୍ପତରୁ ବେହେରା ଏହି ଟିମ୍ ର ମୁଖ୍ୟ ରହିଛନ୍ତି ।କାର୍ଯ୍ୟ ନିବାହୀ ଯନ୍ତ୍ରୀ ଭକ୍ତ ସେଠି ଓ ଅନ୍ତର୍ଯ୍ୟାମୀ ପାତ୍ର ଏହି କମିଟିରେ ରହିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିରୁ ୪ ଲକ୍ଷ ଟଙ୍କମାର ଅନୁକମ୍ପା ମୂଳକ ସହାୟତା ପାଇଁ ସୁପାରିଶ କରାଯାଇଥିବା ସେ କହିଛନ୍ତି ।