ଲୋହିଆ ଏକାଡେମୀ ପକ୍ଷରୁ ‘ଗାନ୍ଧୀ – ଲୋହିଆ ଓ ଆମ୍ବେଦକର : କେତେ ଭିନ୍ନ କେତେ ସମାନ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୦୬/୧୨/୨୦୨୪ (ଓଡ଼ିଶା ସମାଚାର)-  ଲୋହିଆ ଏକାଡେମୀ ପ୍ରକାଶନ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼. ବାବାସାହେବ ଆମ୍ବେଦକରଙ୍କ ସ୍ମୃତି ଦିବସ ଅବସରରେ ‘ଗାନ୍ଧୀ – ଲୋହିଆ ଓ ଆମ୍ବେଦକର – କେତେ ଭିନ୍ନ କେତେ ସମାନ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, ଲୋହିଆ ଏକାଡ଼େମୀର ପ୍ରତିଷ୍ଠାତା ସମାଜବାଦୀ ଜନନେତା  ରବି ରାୟ ସର୍ବଦା କହୁଥିଲେ ମହାତ୍ମା ଗାନ୍ଧୀଙ୍କୁ ବିଚାରଗତ ଭାବେ ବୁଝିବାକୁ ହେଲେ ଡ଼. ରାମମନୋହର ଲୋହିଆଙ୍କୁ ପଢିବାକୁ ହେବ। ଡ଼. ଲୋହିଆ ଗାନ୍ଧୀଜୀଙ୍କୁ ବିଂଶ ଶତାବ୍ଦୀର ପ୍ରମୁଖ ଉପଲବ୍ଧ ରୂପେ ଗ୍ରହଣ  କରିଥିବା ବେଳେ ଡ଼. ବାବାସାହେବ ଆମ୍ବେଦକରଙ୍କୁ ଗାନ୍ଧୀଜୀଙ୍କ ପରେ ସର୍ବୋଚ୍ଚ ନେତା ରୂପେ ଦେଖିବାକୁ ଉଚିତ ମନେ କରିଥିଲେ। ଆମ ଦେଶର ଏହି ଦୁଇ ଅଦ୍ଵିତୀୟ ନେତାଙ୍କ ନିଜ ନିଜ ଭୂମିକାରେ ଐତିହାସିକ ବ୍ୟକ୍ତି ରୂପେ ମହାନ ହୋଇ ରହିଥିଲେ ବି ଉଭୟଙ୍କ ମଧ୍ୟରେ ସାମାଜିକ ନ୍ୟାୟ  ଲଢେଇର ରାସ୍ତାକୁ ନେଇ ତୀବ୍ର ମତଭେଦ ଥିଲା। କିନ୍ତୁ ଆଜିର ସମୟର ଆହ୍ଵାନ ବିଶେଷ କରି ଆମ ଦେଶରେ ଫାସିବାଦୀ ଶକ୍ତିର ଉତଥାନ, ହିଂସା ଓ ଘୃଣାମୁଖୀ  ସାମ୍ପ୍ରଦାୟିକ ରାଜନୀତିର ଅଭିବୃଦ୍ଧି ସାଙ୍ଗକୁ ଅସମାନତା ତଥା ବୈଷମ୍ୟର ସୀମାହୀନ ବିସ୍ତାର ପରି ରାଷ୍ଟ୍ରୀୟ ସଙ୍କଟର ନିରାକରଣ ପାଇଁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ସମ୍ବିଧାନ ପ୍ରଣେତା ଡ଼. ଆମ୍ବେଦକରଙ୍କ ପ୍ରାସଙ୍ଗିକତାକୁ ସମଦୃଷ୍ଟିରେ ଦେଖିବାକୁ ଏକ ପ୍ରୟାସର ଆବଶ୍ୟକତା ରହିଛି। ସେହି ଦିଗରେ ଏହି ପୁସ୍ତିକାରେ ସମାଜବାଦୀ ଚିନ୍ତକ କିଶନ ପଟ୍ଟନାୟକ, ସମାଜ ବିଜ୍ଞାନୀ ସୁପ୍ରିୟା ମଲ୍ଲିକ, ପ୍ରଫେସର ଧନେଶ୍ୱର ସାହୁ, ବିଶିଷ୍ଟ ଐତିହାସିକ ରାମଚନ୍ଦ୍ର ଗୁହା, ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ସମାଜବାଦୀ ଚାଷୀ ନେତା ଲିଙ୍ଗରାଜ, ସାମାଜିକ କର୍ମୀ ମାନସ ଜେନା ପ୍ରମୁଖଙ୍କର ଆଲେଖଗୁଡିକୁ ନେଇ ସୁସ୍ଥ ବୌଦ୍ଧିକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଲୋହିଆ ଏକାଡେମୀର ଲକ୍ଷ୍ୟ ଆମକୁ ପ୍ରେରିତ କରୁଛି।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ବିରେନ୍ଦ୍ର ନାୟକ, ପ୍ରଫେସର ନୀଳମଣି ସାହୁ, ମହେନ୍ଦ୍ର ପରିଡା, ବିଜୟ ଉପାଧ୍ୟାୟ, ବ୍ରଜ କିଶୋର ପ୍ରଧାନ, ବ୍ରଜ କିଶୋର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ନିଜ ମତ ପ୍ରକାଶ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମାଜବାଦୀ ଚିନ୍ତକ କିଶନ ପଟ୍ଟନାୟକ, ସମାଜ ବିଜ୍ଞାନୀ ସୁପ୍ରିୟା ମଲ୍ଲିକ, ପ୍ରଫେସର ଧନେଶ୍ୱର ସାହୁ, ସମାଜବାଦୀ ଚାଷୀ ନେତା ଲିଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ପୁସ୍ତକର ଉନ୍ମୋଚନ କରିବା ସହ ନିଜ ବକ୍ତବ୍ୟ ରଖିଥିଲେ। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *