ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ର ଉଦଘାଟିତ

ଖୋର୍ଦ୍ଧା,୧୭/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଆଡ଼ଭାନ୍ସ୍ ଆଇ କେୟାର୍ ହସ୍ପିଟାଲ୍ (ଏଇସିଏଚ)  ଟ୍ରଷ୍ଟ୍  ଭୁବନେଶ୍ୱର ତରଫରୁ ନିରାକାରପୁର ନିକଟସ୍ଥ ବାଲିପଡ଼ା ମାର୍କେଟ୍ ସ୍ଥିତ ଅଜିତ୍ ମାର୍କେଟ୍ କମ୍ପ୍ଲେକ୍ସ୍ ଠାରେ ଏକ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ର (ଭିଜନ୍ ସେଣ୍ଟର୍) ଉଦଘାଟିତ ହୋଇଯାଇଛି ।ଏହି ଉତ୍ସବରେ ସ୍ଥାନୀୟ ବିଶିଷ୍ଟ ଶିକ୍ଷାବିତ୍,ଅବସରପ୍ରାପ୍ତ ଶିକ୍ଷକ ତଥା ସ୍ଥାନୀୟ ବିଧାୟକଙ୍କ ବଡ଼ଭାଇ ଲକ୍ଷ୍ମୀକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି,ଅବସରପ୍ରାପ୍ତ ସମବାୟ ନିରୀକ୍ଷକ ଲକ୍ଷ୍ମୀଧର ଚମ୍ପତି ମୁଖ୍ୟ ବକ୍ତା, ସାହୁପଡ଼ା ପଂଚାୟତ ସରପଞ୍ଚ ଭିକାରି ବଳିୟାରସିଂ,ସମିତିସଭ୍ୟ ,ବିଶିଷ୍ଟ ସମାଜସେବୀ ବ୍ରଜକିଶୋର ବେହେରା, ଦିବାକର ସାହୁ , ଗଗନ ପଲାଇ ସମ୍ମାନିତ ଭାବେ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିଗଣ ଅଂଚଳରେ ଟ୍ରଷ୍ଟ୍ ଦ୍ୱାରା ପରିଚାଳିତ ଉକ୍ତ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ର ଉନ୍ନତ ମାନର ଚକ୍ଷୁ ସେବା ଯୋଗାଇଦେବ ବୋଲି ଆଶାବ୍ୟକ୍ତ କରିଛନ୍ତି ।  ଏହି ଅଂଚଳରେ ଏ ପ୍ରକାର ଉତ୍ସର୍ଗୀକୃତ ସେବାର ଆବଶ୍ୟକତା ଅନେକ ଦିନରୁ ଥିଲା ଓ ତାହା ଆଜି ସମ୍ଭାବ୍ୟ ପୂରଣ ହୋଇପାରିଛି ବୋଲି ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ ଉପସ୍ଥିତ ଅତିଥିଗଣ । ଏଇସିଏଚ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ଡଃ ଅଜୟ ଚନ୍ଦ୍ର ରାୟଙ୍କ ଜ୍ୟେଷ୍ଠପୁତ୍ର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡଃ ସିଦ୍ଧାର୍ଥ  ଶଙ୍କର ରାୟଙ୍କ ସହ ଦୀପ୍ତିମୟୀ,ଗିରିଜା,ରଶ୍ମି  ଉପସ୍ଥିତ ୬୦ ଜଣଙ୍କର ଚକ୍ଷୁ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ। ଦୃଷ୍ଟି ବିଶେଷଜ୍ଞ ଡଃ ନିରଞ୍ଜନ ରାଜ ଅତିଥି ପରିଚୟ ପ୍ରଦାନ  ଓ  ଟ୍ରଷ୍ଟି ବିମଳେନ୍ଦୁ ପୃଷ୍ଟି  ଧନ୍ୟବାଦ ଅର୍ପଣ କରିଥିଲେ।ଦୀପକ ପଣ୍ଡା ,ଲିଟୁ ପୃଷ୍ଟି,ପୂଜା ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *