ବାରୋ ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ଜିଲାପାଳଙ୍କ ନିର୍ଦେଶରେ ତଦନ୍ତ କରିବେ ସହକାରୀ ନିବନ୍ଧକ

କେନ୍ଦ୍ରାପଡ଼ା,୨୯/୧୧/୨୦୨୪(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପ୍ରାଥମିକ କୃଷି ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲାପାଳଙ୍କ ନିର୍ଦେଶ କ୍ରମେ ସେହିସବୁ ଅଭିଯୋଗ ତଦନ୍ତ କରିବେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ।  ବାରୋ ଗ୍ରାମ ପଂଚାୟତର ପ୍ରାକ୍ତନ ସରପଂଚ ଭାଗିରଥୀ ଜେନା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ବାରୋ ସେବା ସମବାୟ ସମିତିରେ ସମ୍ପାଦକ ଭାବରେ ଥିବା ଶ୍ରୀହର୍ଷ ମହାନ୍ତି ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହି କୋଟି କୋଟି ଟଙ୍କା ହଡପ କରିବା ସହିତ ଅଗଣତାନ୍ତ୍ରିକ ଓ ବେଆଇନ ଭାବେ କାର୍ଯ୍ୟ କରିଚାଲିଛନ୍ତି । ସମ୍ପାଦକ ସମିତିର ଅଂଶଧନ ହଡପ କରିବା ସହିତ ଏକାର୍ଣ୍ଣବର୍ତୀ ପରିବାରର ସଦସ୍ୟମାନଙ୍କୁ ୭/୮ଟି ଋଣ ଦେବା, କୋଟିଏ ଟଙ୍କା ଆତ୍ମସାତ୍ କରିବା ନେଇ ଖବର କାଗଜରେ ସମ୍ପାଦକଙ୍କ ଫଟୋ ପ୍ରକାଶ ପାଇବା, ଜମାକାରୀଙ୍କୁ ଜମା ଟଙ୍କା ନ ମିଳିବା, ବିନା ସଭ୍ୟରେ ନୋଟ୍ ବନ୍ଦୀ ସମୟରେ ଫେକ୍ ଆକାଉଂଟ ଖୋଲି କଳାଧନକୁ ଧଳା କରିବା, ଋଣ ଲଗାଣ ଓ ଋଣ ଜମା ବାବଦରେ ପ୍ରତି ଗ୍ରାମରେ ଦଲାଲ ନିଯୁକ୍ତି କରି ଲାଂଚ ଖାଇବା, ସାର ଓ ଓøଷଧ ଚାଷୀମାନଙ୍କୁ ନ ଦେଇ ଚଢାଦରରେ ଖୋଲା ବଜାରରେ ବିକ୍ରୀ କରିବା, ହରିଲୁଟ୍ କରିଥିବା ତ୍ରିଲୋଚନପୁର ଗ୍ରାମର ବିଧବା ମହିଳାଙ୍କ ସ୍ଥାୟୀ ଜମା ୨୦ହଜାର ଟଙ୍କାର ମୂଳ ଓ ସୁଧ ଅର୍ଥକୁ ଡିଆରସିଏସ୍ ଙ୍କ ନିର୍ଦ୍ଧେଶନାମାକୁ ବେଖାତିର କରି ଫେରସ୍ତ ନକରିବା, ୨୦୧୮ ମସିହା ଖରିଫ ଚାଷରେ ଗରିବ ଚାଷୀ ଦାଖଲ କରିଥିବା କୃଷି ବୀମା ବାବଦ ୪୯ ପ୍ରତିଶତ ଛାଡ ହୋଇଥିବା ୪୨୯ଜଣ ଚାଷୀଙ୍କ ପ୍ରାୟ ୮୦ଲକ୍ଷ ଟଙ୍କାକୁ ସମ୍ପାଦକ ଓ ତତ୍କାଳୀନ ସିସିବି ଶାଖା ପରିଚାଳକ ଚଳୁ କରିବା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପତ୍ର ଅନୁସାରେ ମଣ୍ଡିରେ ଧାନ ଦେଉଥିବା ଚାଷୀଙ୍କୁ ଅଖା ନ ଫେରାଇବା, ଚାଷୀଙ୍କୁ ସମିତିରେ ଉଚିତ୍ ସମ୍ମାନ ପ୍ରଦାନ କରା ନଯିବା, ନୂତନ ସଭ୍ୟ ପାଇଁ ଆବେଦନ କଲେ ତାହା ଗ୍ରହଣ ନ କରିବା, ବାରୁଅ ପ୍ରାଥମିକ ସେବା ସମବାୟ ସମିତିର ସ୍ଥିତିବାନ ଜମି ହଡପ କେଶକୁ ସମ୍ପାଦକ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ପ୍ରଭୃତି ଅଭିଯୋଗ ପତ୍ରରେ ଶ୍ରୀ ଜେନା ଦର୍ଶାଇଛନ୍ତି । ଏହି ଅଭିଯୋଗ ଉପରେ ଜିଲାପାଳଙ୍କ ନିର୍ଦ୍ଧେଶକ୍ରମେ ସମବାୟ ସମିତି ସମୂହର ଉପ ସହକାରୀ ନିବନ୍ଧକ ତଥା ତଦନ୍ତ ଅଧିକାରୀ ତଦନ୍ତ କରିବା ପାଇଁ ନୋଟିସ ପ୍ରଦାନ କରିଛନ୍ତି । ସେ ବାରୋ ସେବା ସମବାୟ ସମିତିର ଋଣଗ୍ରହୀତା ଚାଷୀ, ସଦସ୍ୟ, ଅଭିଯୋଗକାରୀ ଶ୍ରୀ ଜେନା, ସିସିବି କେନ୍ଦ୍ରାପଡା ଶାଖାର ପରିଚାଳକ, ସମବାୟ ସମିତି ସମୂହର ବରିଷ୍ଠ ସହକାରୀ ନିବନ୍ଧକ ପ୍ରମୁଖଙ୍କୁ ନୋଟିସ ମାଧ୍ୟମରେ ଜଣାଇଛନ୍ତି ଯେ ଆସନ୍ତା ଡିସେମ୍ବର ମାସ ୩ ତାରିଖ ପୂର୍ବାହ୍ନ ସାଢେ ୧୧ଟା ସମୟରେ ସମବାୟ ସମିତି ସମୂହର ବରିଷ୍ଠ ସହକାରୀ ନିବନ୍ଧଙ୍କ କାର୍ଯ୍ୟାଳୟରେ ଶ୍ରୀ ଜେନାଙ୍କ ଅଭିଯୋଗର ଶୁଣାଣି କରାଯିବ ।  କିନ୍ତୁ ଅଭିଯୋଗକାରୀ ଶ୍ରୀ ଜେନା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଅର୍ଥ ଆତ୍ମସାତ୍ କରୁଥିବା ସଂସ୍ଥାରେ ଏହାର ତଦନ୍ତ କରାନଯାଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ତଦନ୍ତ କରାଯିବାକୁ ସେ ଜିଲାପାଳଙ୍କୁ ବିନମ୍ର ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *