କେନ୍ଦ୍ରାପଡ଼ା,୨୮/୧୧/୨୦୨୪(ଓଡ଼ିଶା ସମାଚାର)-ଷ୍ଟେଟବ୍ୟାଙ୍କ ଆଂଚଳିକ ବାଣିଜ୍ୟ କାର୍ଯ୍ୟାଳୟ, ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କର ପେନସନର୍ସମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପାରାଦୀପର ମାନବସମ୍ବଳ ବିକାଶ ପରିଚାଳକ ସୁକାନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଷ୍ଟେଟବ୍ୟାଙ୍କ ପେନସନର୍ସ ସଂଘ, ଭୁବନେଶ୍ୱର ସର୍କଲର ଆଂଚଳିକ ସମ୍ପାଦକ ଗଣେଶ୍ୱର ମେକାପ ଏହି ବୈଠକକୁ ପରିଚାଳନା କରିବା ସହିତ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । ମାନବ ସମ୍ବଳ ପରିଚାଳକ ଶ୍ରୀ ସାହୁ ସମସ୍ୟା ସମାଧାନର ପ୍ରତିଶୃତି ପ୍ରଦାନ କରିଥିଲେ । ଦୀର୍ଘଦିନର ଦାବି କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ଡିସପେନ୍ସାରୀ (ଚିକିତ୍ସା କେନ୍ଦ୍ର) ଖୋଲାଯାଉ ନଥିବାରୁ ବୈଠକରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା । ଆସନ୍ତା ବୈଠକରେ ଏହି ଦାବିର ଅଗ୍ରଗତି ସମ୍ପର୍କରେ ଜଣାଇବାକୁ ବୈଠକରେ ଦାବି କରାଯାଇଥିଲା । ଏହି ବୈଠକରେ ପେନସନର୍ସ ସଂଘର କେନ୍ଦ୍ରାପଡା ଜିଲା ସମ୍ପାଦକ ଉଦୟନାଥ ସାହୁ, ସ୍ୱାଧୀନ କୁମାର ଦାଶ, ଶରତ ମୁଦୁଲି, ଅତୁଲ ଚନ୍ଦ୍ର ଗିରି, ଦୁର୍ଯେ୍ୟାଧନ ସେଠୀ, ଗୋଲକ ବିହାରୀ ବେହେରା, ନିତ୍ୟାନନ୍ଦ ସେଠୀ, ବିଜୟ ନାୟକ, ସୁନାକର ଜେନା, ରାମଚନ୍ଦ୍ର ସେଠୀ, ହରିପଦ ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଷ୍ଟେଟବ୍ୟାଙ୍କ ପେନସନର୍ସଙ୍କ ସମସ୍ୟା ସମାଧାନ ବୈଠକ
