ଚାଷୀଙ୍କ ଉପରେ ଦାଉ ସାଜିଛି ଟୋଲଗେଟ ହାଇମାସ୍କ ଲାଇଟ

ଧାନଗଛରେ ଥୋଡ ଧରୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ , ଜିଲାପାଳଙ୍କୁ ଗୁହାରୀ କଲେ ଚାଷୀ
ନିରାକାରପୁର, ୧୫/୧୧/୨୦୨୩ (ଓଡ଼ିଶା ସମାଚାର)- ଜିଲାରେ ସ୍ୱଳ୍ପବର୍ଷା ଯୋଗୁଁ ମରୁଡି ସମସ୍ୟା ଦେଖାଦେଇଥିବା ବେଳେ ଚାଷୀଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସାଜିଛି ୧୬ନଂ ଜାତୀୟ ରାଜପଥ ଟୋଲଗେଟ ହାଇମାସ୍କ ଲାଇଟ୍ ।ଉଚ୍ଚ କ୍ଷମତା ସଂପନ୍ନ ଲାଇଟ୍ ଧାନ ବିଲ ଉପରେ ପଡିବା ଫଳରେ ଧାନ ଗଛ ଗୁଡିକ ଥୋଡ ନେଇପାରୁନାହିଁ । ସମାନ ସମୟରେ ବିଲରେ ଧାନ ଥୋଡ ନେଇ ଧାନ ଗଛ ଗୁଡିକ ମଥା ମାରିସରିଥିଲେ ମଧ୍ୟ ଲାଇଟ୍ ପଡୁଥିବା ଏକର ଏକର ଜମିରେ ଧାନ ଗଛ ଗୁଡିକ ସିଧା ହୋଇ ଠିଆହୋଇଛି । ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ହଜାର ହଜାର ଟଙ୍କା ଚାଷୀମାନେ ସମବାୟ ସମିତି ଓ ଗାଁ ମହାଜନ ଠାରୁ ଋଣ ନେଇ ଧାନ ଚାଷ କରିଥିବା ବେଳେ ଧାନ ବିଲରେ ଗଛ ଗୁଡିକ ଥୋଡ ନେଇନଥିବାରୁ ଚିନ୍ତାରେ ଚାଷୀ ପରିବାର । ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲା ଗୋଡିପଡା ଗ୍ରାମପଂଚାୟତ ଖଜୁରୀଆ ମୌଜାରେ ଚାଷୀମାନେ ଖରିଫ୍ ଧାନ ଚାଷ କରିଥିଲେ । ଧାନ ଗଛ ଗୁଡିକ ଭଲ ହୋଇ ବଢିବା ସହିତ ଚାଷୀ ମାନେ ଆଶା କରିଥିଲେ ।ଏବର୍ଷ ଭଲ ଫସଲ ଅମଳ ହେବ । ସମ୍ଭବହତ ଆଶ୍ୱୀନ ମାସରେ ଧାନ ଥୋଡ ଧରିବା କଥା । ଆଶ୍ୱୀନ ମାସ ଯାଇ କାର୍ତିକ ମାସ ୧୫ ତାରିଖ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଧାନ ଗଛ ଗୁଡିକ ଥୋଡ ଧରିବାରେ ନାଁ ନେଉନାହିଁ । ଲାଇଟ୍ ପଡୁନଥିବା ବିଲରେ ସମାନ ବିହନ ଏକାସମୟରେ ରୁଆ ହୋଇଥିଲେ ମଧ୍ୟ ଧାନ ଗଛ ଗୁଡିକ ମଥା ମାରିଥିବା ଦେଖିବାକୁ ମିଳିଛି ।ଏ ସଂପର୍କରେ ଖଜୁରୀଆ ମୌଜାର ଚାଷୀ ମାନେ ଏକତ୍ରିତ ହୋଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଧାନ ଫସଲର ଉପଯୁକ୍ତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।ଏ ସଂପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଶରତ ପରିଡାଙ୍କ ସହ ଯୋଗାଯୋଗ କରିବା ପରେ ସେ କହିଥିଲେ ଧାନ ଗଛ ଦିିନବେଳେ ଆଲୋକ ଗ୍ରହଣ କରିବା ରାତିରେ ଆଲୋକର ଆବଶ୍ୟକ ପଡେନି । ରାତିରେ ଧାନ ବିଲରେ ଆଲୋକ ପଡିବା ଫଳରେ ଗଛ ଗୁଡିକ ଫୁଲ ଠିକ୍ ରେ ନେଇପାରୁନଥିବା ସନ୍ଦେହ କରାଯାଉଛି । ଓଡିଶା କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ମାନଙ୍କ ଦ୍ୱାରା ଧାନ ବିଲକୁ ଅନୁଧ୍ୟାନ କରାଗଲେ ପ୍ରକୃତ ତଥ୍ୟ ଜଣାପଡିବ ।ଖୁବ୍ ଶିଘ୍ର ଧାନ ବିଲକୁ ଅନୁଧ୍ୟାନ କରାଯିବ ବୋଲି ଶ୍ରୀଯୁକ୍ତ ପରିଡା କହିଛନ୍ତି ।

Leave a Reply

Your email address will not be published. Required fields are marked *