କେରଳରେ ପ୍ରେମିକା କୁ ହତ୍ୟା : ଅଭିଯୁକ୍ତ ପ୍ରେମିକ କନ୍ଧମାଳରୁ ଗିରଫ

ବାଲିଗୁଡା,୧୦/୦୪/୨୪(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲାର । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କାମଧନ୍ଦା ପାଇଁ କେରଳ ପଳାଇ ଗଲେ । ସେଠାରେ କୌଣସି କାରଣରୁ ପ୍ରେମିକାଙ୍କୁ ହତ୍ୟା କରିଥିଲା ପ୍ରେମିକ । ଏହି ଘଟଣାରେ କେରଳ ପୁଲିସ ଅଭିଯୁକ୍ତ ପ୍ରେମିକ ସାମୁଏଲ ବଡମାଝୀଙ୍କୁ କନ୍ଧମାଳ ଜିଲା ଅନ୍ତର୍ଗତ କୋଟଗଡ ଥାନାର ସୁବର୍ଣ୍ଣଗିରି ପଞ୍ଚାଯତ ରାମିନିଗୁଡାରୁ ଗିରଫ କରି ନେଇଛନ୍ତି । ରୀତିକା ସାହୁଙ୍କ ଘର ରାଇକିଆ ଥାନା ଅନ୍ତର୍ଗତ ଛାଞ୍ଚେଡି ଗ୍ରାମରେ । ଦୁହେଁ କାମଧନ୍ଦା ପାଇଁ କେରଳ ଯାଇଥିଲେ । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ ସେଠାରେ ଦୁହେଁ କେରଳ ରାଜ୍ୟର ଆରପୁଜା ଜିଲା ପୁଚାକାରୁ ଗ୍ରାମରେ ରହୁଥିଲେ । ରୀତିକା କାହା ସହିତ ସବୁବେଳେ ଫୋନରେ କ‌ଥାବାର୍ତ୍ତା କରୁଥିବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ଏପ୍ରିଲ ମାସ ୨ ତାରିଖରେ ସାମୁଏଲ ଏକ ଛୁରୀରେ ରୀତିକା ଉପରେ ମରାଣାତ୍ମକ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡ ଅବସ୍ଥାରେ ରୀତିକାଙ୍କ ଆଖପାଖଲୋକ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ । ଏହି ଘଟଣା ପରେ ସାମୁଏଲ ଫେରାର ହୋଇଯାଇଥିଲା । ଘଟଣା ସମ୍ପର୍କରେ ସେଠାକାର ଲୋକେ ରୀତିକାଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଘଟଣା ବିଷୟରେ କହିଥିଲେ । ପରେ ରୀତିକାଙ୍କ ବାପା ଶରତ ସାହୁ ଗାଁରୁ କେରଳକୁ ଯାଇଥିଲେ । ସେ ପହଞ୍ଚିବା ସମୟର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଝିଅର ମୃତ୍ୟୁ ହୋଇ ଯାଇଥିଲା। ଏହାକୁ ନେଇ ବାପା ଶରତ କେରଳର ପୁଚାକାରୁ ଥାନାରେ ଏକ ଲିଖିତ ଏତଲା କେଶ ନଂ.୨୬୮/୨୪ ରେ ରୁଜୁକରି ତଦନ୍ତ ଆରମ୍ଭ କରିଥିଲା କେରଳ ପୁଲିସ । ଅଭିଯୁକ୍ତକୁ ଖୋଜାଖୋଜି ପରେ କେରଳରେ ନପାଇବାରୁ ଅଧିକ ତନାଘନା ପାଇଁ କୋଟଗଡ ପୁଲିସର ସହାୟତା ନେଇଥିଲେ । କୋଟଗଡ ପୁଲିସ ସହାୟତାରେ ଅଭିଯୁକ୍ତ କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ଫଚାୟତ ରାମନିଗୁଡାରେ ରହୁ‌ଥିବା ସୂଚନା ପାଇ ସେଠାରୁ ଗିରଫ କରିଛି କେରଳ ପୁଲିସ । ଅଭିଯୁକ୍ତର ଘର କୋଟଗଡ ଥାନା ଅନ୍ତର୍ଗତ ରାଙ୍ଗାପାଙ୍ଗା ଗ୍ରାମରେ ବୋଲି କୋଟଗଡ ଥାନା ଅଧିକାରୀ ଦୀପ୍ତି ରଂଜନ ବେହେରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *