ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ

କାର୍ଯ୍ୟର ଉନ୍ନତ ମାନ ବଜାୟ ରଖି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମାନ୍ୟବର ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟ ଯୋଜନାରେ ଅକଟୋବର ୩୧ ସୁଦ୍ଧା ଗତବର୍ଷ ଅପେକ୍ଷା ୧୧୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇଛି

ଭୁବନେଶ୍ୱର, ୨୫/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବା ଭବନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଡିଭିଜନ୍‌ର କାର୍ଯ୍ୟ ଓ ଖର୍ଚ୍ଚ ସମ୍ବନ୍ଧୀୟ ସବିଶେଷ ତଥ୍ୟ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ ।

ଏହି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଡିଭିଜନ୍‌ ର କାର୍ଯ୍ୟ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନାଗୁଡ଼ିକ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ୨୦୨୩ ଅକଟୋବର ୩୧ ତୁଳନାରେ ୨୦୨୪ ଅକେଫାବର ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରାୟ ୧୧୦୦ କୋଟିରୁ ଊଦ୍ଧ୍ୱର୍ ଅର୍ଥରାଶି ଖର୍ଚ୍ଚ କରିପାରିଥିବା ବିଷୟରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ତଥ୍ୟ ରଖିଥିଲେ । ଏଥି ପାଇଁ ମାନ୍ୟବର ମନ୍ତ୍ରୀ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ୫ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ୩୦ ହଜାର କି.ମି. ଗ୍ରାମ୍ୟ ରାସ୍ତା ନିର୍ମାଣର ଲକ୍ଷ୍ୟକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମୀକ୍ଷା ବୈଠକରେ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ବିଭାଗର ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ମାତ୍ର ଏହିସବୁ ନିର୍ମାଣ କାର୍ଯ୍ୟର ମାନ ଉପରେ ଗୁରୁତ୍ୱ ଦେବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚଳିତ ଆର୍ଥିକ ବର୍ଷର କାର୍ଯ୍ୟ ଶେଷ କରିବା ସହ ଆଗାମୀ ଆର୍ଥିକ ବର୍ଷ ପାଇଁ ରାସ୍ତା ଓ ସେତୁ ନିର୍ମାଣ ସଂକ୍ରାନ୍ତୀୟ ପ୍ରସ୍ତାବ ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ବିତ୍ତ ପରାମର୍ଶଦାତା, ଅତିରିକ୍ତ ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ-୧, ସର୍ବୋଚ୍ଚ ଯନ୍ତ୍ରୀ-୨ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହା ସହ ରାଜ୍ୟର ସମସ୍ତ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ର ଯନ୍ତ୍ରୀମାନେ ମଧ୍ୟ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ ।

ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିବାରୁ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ କାର୍ଯ୍ୟ କରିବାକୁ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *