ସ୍ୱାଧୀନତା ସଂଗ୍ରାମ ଓ ଜନ ଆନ୍ଦୋଳନର ଫଳଶୃତି ଭାରତୀୟ ସମ୍ବିଧାନ
ଗାନ୍ଧୀବାଦୀ ଡାକ୍ତର ବିଶ୍ୱଜିତଙ୍କୁ ‘ଲୋକସ୍ୱର ସମ୍ମାନ ୨୦୨୪’
ଭୁବନେଶ୍ୱର,୨୪/୧୧/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ସମ୍ବିଧାନ କେବଳ ସମ୍ବିଧାନ ପ୍ରଣୟନ ସଭାର ଫଳଶୃତି ନୁହେଁ, ଆମ ଦେଶରେ ସ୍ଵାଧୀନତା ସଂଗ୍ରାମ ମାଧ୍ୟମରେ ଏହା ପୂର୍ବରୁ ହୋଇଥିବା ଆନ୍ଦୋଳନ ଫଳରେ ଯେଉଁ ବାତାବରଣ ତିଆରି ହୋଇଥିଲା, ସେସବୁ ଜନ ଆନ୍ଦୋଳନର ପ୍ରଭାବ ଆମେ ଭାରତୀୟ ସମ୍ବିଧାନ ଭିତରେ ଦେଖିବାକୁ ପାଇଥାଉ। ସ୍ଵାଧୀନତା ପରେ ମଧ୍ୟ ସଙ୍ଗଠିତ ହୋଇଥିବା ହୋଇଥିବା ବିଭିନ୍ନ ଜନ ଆନ୍ଦୋଳନର ପ୍ରଭାବରେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଖାଦ୍ୟ ସୁରକ୍ଷା, ସୂଚନା ଅଧିକାର, ମହିଳା ଅଧିକାର ଭଳି ଅନେକ ଜନସ୍ବାର୍ଥ ସମ୍ବଳିତ ଦାବୀକୁ ସମ୍ବିଧାନରେ ସାମିଲ କରାହୋଇଅଛି ବୋଲି ଲୋହିଆ ଏକାଡେମୀ ଠାରେ ଲୋକସ୍ଵରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ମନୋରଞ୍ଜନ ମହାନ୍ତି ‘ସମ୍ବିଧାନ ସୁରକ୍ଷାରେ ଜନ ଆନ୍ଦୋଳନର ଭୂମିକା’ ଶୀର୍ଷକ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶିଷ୍ଟ ସମାଜବାଦୀ ନେତା ଦେବପ୍ରସାଦ ରାୟଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା କହିଲେ ଯେ, କେନ୍ଦ୍ର ସରକାର ସମ୍ବିଧାନ ବଦଳାଇବା ପାଇଁ ଯୋଜନା ଚଳାଇଛି, କାରଣ ଆଦିବାସୀ, ଦଳିତ, ପଛୁଆ ବର୍ଗର ହାତରେ ଥିବା ଜଳ, ଜଙ୍ଗଲ, ଜମି ସବୁ ଲୁଟିନେଇ ସହଜରେ କର୍ପୋରେଟ୍ ହାତରେ ଟେକିଦେଇପାରିବ।
ଏହି ଉତ୍ସବରେ ଗାନ୍ଧୀବାଦୀ ଯୁବନେତା ତଥା ସର୍ବୋଦୟ ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ ଡାକ୍ତର ବିଶ୍ୱଜିତଙ୍କୁ ‘ଲୋକସ୍ୱର ସମ୍ମାନ ୨୦୨୪’ ରେ ସମ୍ମାନିତ କରାଯାଇଥିଲା। ଲୋକସ୍ଵରର ସଭାପତି ବ୍ରଜ କିଶୋର ପ୍ରଧାନ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅର୍ଜୁନ ଚରଣ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ଅତିଥିମାନେ ଲୋକସ୍ୱର ଲୋଗୋ ଉନ୍ମୋଚିତ କରିଥିଲେ। ଏହି ସଭାରେ ବିଶିଷ୍ଟ କବି ଶୈଳଜ ରବି, ପ୍ରଫେସର ଆଶା ହଂସ, ନାଗାର୍ଜୁନ ସେଠୀ, ମାନସ ଜେନା, ସୁଧୀର ପଟ୍ଟନାୟକ, ବିଶ୍ୱପ୍ରିୟ କାନୁନଗୋ, ମିହିର ପ୍ରତାପ ଦାସ, ବିଶ୍ଵନାଥ ବେହେରା, ଅନ୍ତର୍ୟ୍ୟାମୀ ବରାଳ, ସଂସାରି ସାହୁ, ଆନନ୍ଦିକା ସାମନ୍ତରାୟ, ରୁବେୟା ବେଗମ୍, ନିଳୟ ଆରନ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।