ରାଉରକେଲା, ୨୩/୧୧/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )- ସହର ସେବା ସମିତିର ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଭଞ୍ଜ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସମ୍ମାନିତ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ନବୀନ ଦାସ, ସହର ସେବା ସମିତିର ଆବାହକ ତଥା ଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତି, ଟ୍ରଷ୍ଟି ସୁନୀଲ କାୟଲ, ଟ୍ରଷ୍ଟି ତଥା ସଭାପତି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ମଞ୍ଚାସୀନ ଥିଲେ। ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ନିମନ୍ତ୍ରିତ ଅତିଥିଗଣ ପ୍ରଦୀପ ପ୍ରଜ୍ବଳନ କରି ମାଲ୍ୟାର୍ପଣ କରିଥିଲେ। ମୁଖ୍ଯ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଓ୍ବାଇ ହେମଲତା ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ଯଅତିଥି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନିଜ ବକ୍ତବ୍ୟରେ କହିଥିଲେ ଯେ, ରାଉରକେଲାର ବିକାଶ ସମ୍ଭବ ଯେତେବେଳେ ରେଲୱେ ଏବଂ ବିମାନ ବନ୍ଦରର ବିକାଶ ସମ୍ପୂର୍ଣ୍ଣ ରୂପେ ସମ୍ଭବ ହୋଇପାରିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟଙ୍କ ମିଳିତ ପ୍ରୟାସ ତଥା ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଏହା ସମ୍ଭବ।
ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ନିଜ ରାଜନୈତିକ ଜୀବନ ତଥା ୨୦୦୪ରେ ପ୍ରଥମ ଥର ବିଧାୟକ ଏବଂ ପରବର୍ତ୍ତୀ ସମୟରେ ମନ୍ତ୍ରୀ ହେବା ପରେ ରାଉରକେଲାର ବିକାଶକୁ କିପରି ତ୍ବରାନ୍ବିତ କରିଥିଲେ, ତଥା ବିକାଶ କିପରି ନିରନ୍ତର ପ୍ରକ୍ରିୟା ତାହା ନିଜ ବକ୍ତବ୍ୟରେ କହିଥିଲେ। ଏଥିସହିତ ରାଉରକେଲା ସହର ସେବା ସମିତି ପ୍ରତିବର୍ଷ ରାଉରକେଲାର ବିକାଶକୁ ନେଇ କିପରି ପ୍ରୟାସ କରୁଛନ୍ତି, ତାହାର ପ୍ରଶଂସା କରିଥିଲେ। ସହର ସେବା ସମିତିର ଅଧ୍ୟକ୍ଷ ଶୈଳେନ୍ଦ୍ର ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ, ସହର ସେବା ସମିତି ନଭେମ୍ବର ୨୧ ତାରିଖକୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମ ଦିନ ଏବଂ ସହର ସେବା ସମିତିର ପ୍ରତିଷ୍ଠା ଦିବସକୁ ପାଳନ କରିଆସୁଛି। ଏହି ଅବସରରେ ଟ୍ରଷ୍ଟି ସୁନୀଲ କାୟଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭାପତି ଶ୍ରୀ ଦାଶ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ନାଗରିକ ଙ୍କୁ ସଚେତନତା ଓ ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ପାଇଁ ପ୍ରୟାସ କରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିହାର ରାୟ ଓ ବିରେନ ସେନାପତି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ସଙ୍ଗୀତଜ୍ଞ ବୁଦ୍ଧ ପ୍ରସାଦ ରାଓ, କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, କଣ୍ଠଶିଳ୍ପୀ ତଥା ଅଭିନେତା ଭାଷ୍କର ପୁହାଣ ଏବଂ କଣ୍ଠଶିଳ୍ପୀ ଗୁଲସନ ନବୀନଙ୍କୁ ଉତ୍ତରୀୟ, ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ସର୍ବଶେଷରେ ସ୍ମୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସନ୍ଧ୍ୟା ଅଧିବେଶନ ରେ ମ୍ୟୁଜିକ ଥେରାପି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସଂଗଠନର ଟ୍ରଷ୍ଟି ପୁଷ୍ପା ଲେଙ୍କା, ଚନ୍ଦ୍ର ଶେଖର ପାଢ଼ୀ, ପ୍ରମୁଖ ସହଯୋଗ କରିଥିଲେ ।
ସହର ସେବା ସମିତିର ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ପାଳିତ
