ଯାଜପୁର,୨୩/୧୧/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ୨୦୨୨ ଓ ଜୁଭେନାଇଲ ଜଷ୍ଟିସ୍ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ୨୦୧୫ ଉପରେ ଜିଲ୍ଲାସ୍ତରୀୟ ଅଭିମୁଖୀକାରଣ କାର୍ଯ୍ୟକ୍ରମ ସଫଳତା ର ସହ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ତରରେ ନଭେମ୍ବର ମାସକୁ ପୋଷ୍ୟ ସନ୍ତାନ ଗ୍ରହଣ ମାସ ରୂପେ ପାଳନ କରାଯାଇଥାଏ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟ କୁ ପ୍ରୋତ୍ସାହିତ କରିବା, ପିତାମାତାଙ୍କୁ ପିତୃମାତୃ ହୀନ ପରିତ୍ୟକ୍ତ ଏବଂ ସମର୍ପଣ କରିଥିବା (ଓଏଏସ୍) ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରିବା ଏବଂ ଆଇନଗତ ଏବଂ ପ୍ରକ୍ରିୟାଗତ ଢାଞ୍ଚା ବିଷୟରେ ସୂଚନା ପ୍ରଦାନ କରିବା । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପିଲାଙ୍କ ପରିବାର ର ଅଧିକାର ଉପରେ ଗୁରୁତ୍ୱlରୋପ କରାଯାଇଥିଲା, ଯାହା କି ସେମାନଙ୍କ ସୁଖ ଓ କଲ୍ୟାଣ ପାଇଁ ଜରୁରୀ ଅଟେ ।
ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଶ୍ରୀ ନିରଞ୍ଜନ କର ସ୍ୱାଗତ ଭାଷଣ ଦେଇ ଅଧିବେଶନ ଆରମ୍ଭ କରିଥିବା ବେଳେ ଯାଜପୁର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ) ଶ୍ରୀମତୀ ସବିତା ଚ୍ୟାଉ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି)ର ଅଧ୍ୟକ୍ଷା ରେକ୍ସୋନା ଜେନା ଓ ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ସଦସ୍ୟ ପ୍ରଶାନ୍ତ କୁମାର ମିଶ୍ର, ତୃପ୍ତି ଜେନା ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ ଥାନାର ଗଠିତ ସ୍ୱତନ୍ତ୍ର ଜୁଭେନାଇଲ ପୁଲିସ ୟୁନିଟ୍, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡ଼ି ସୁପରଭାଇଜର, ସ୍ବତନ୍ତ୍ର ପୋଷ୍ୟ ଗ୍ରହଣ କେନ୍ଦ୍ର କର୍ମଚାରୀ, ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ), ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ), ଚାଇଲ୍ଡଲାଇନ୍ ଏବଂ ଅନ୍ତର୍ଜାତୀୟ ନ୍ୟାୟ ମିସନ୍ ଇଣ୍ଡିଆ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ ରୁଚିକା ସାମାଜିକ ସେବା ସଂଗଠନ ଭଳି ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିତ୍ୱ କରି ୮୦ ରୁ ଅଧିକ ଜିଲ୍ଲାସ୍ତରୀୟ ଅଧିକାରୀ ଏହି ଅଭିମୁଖୀକାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନେକ ବିଶେଷଜ୍ଞଙ୍କ ନେତୃତ୍ବାଧୀନ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ବର ରୁଚିକା ସମାଜସେବା ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବେଣୁଧର ସେନାପତି ଜୁଭେନାଇଲ ଜଷ୍ଟିସ୍ ଆକ୍ଟ-୨୦୧୫ ସମ୍ପର୍କରେ ବିଷଦ ଭାବେ ବିବରଣୀ ପ୍ରଦାନ କରିଥିଲେ। ଶ୍ରୀ ନିରଞ୍ଜନ କର ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ୨୦୨୨ ଅଧୀନରେ ଅଂଶୀଦାରଙ୍କ ଭୂମିକା ଏବଂ ଦାୟିତ୍ୱ ବିଷୟରେ ସୂଚନା ଦେଇଥିଲେ। ଶିଶୁ ସୁରକ୍ଷା ୟୁନିଟ ର ଅଧିକାରୀ ଅର୍ଚ୍ଚନା କୁମାର ସାମନ୍ତ ପ୍ରକ୍ରିୟାଗତ ପ୍ରଦର୍ଶନ ସମେତ ଯତ୍ନ ଓ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ଉପସ୍ଥାପନା କରିଥିଲେ।
ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଦୁଇଟି ପୋଷ୍ୟ ପିତାମାତା ଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଶିଶୁ ହେଲ୍ପଲାଇନ ଉପରେ ସୂଚନାମୂଳକ ପୋଷ୍ଟର ଉନ୍ମୋଚନ ହୋଇଥିଲା । ଏହି ପଦକ୍ଷେପଗୁଡ଼ିକ ର ଉଦ୍ଦେଶ୍ୟ ସଚେତନତା ବୃଦ୍ଧି କରିବା ଏବଂ ପୋଷ୍ୟ ଗ୍ରହଣ ପ୍ରକ୍ରିୟାକୁ ସରଳ କରିବା।
ଯାଜପୁର ଡି.ସି.ପି.ୟୁ. ର କାଉନସେଲର ଶିଶିର କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ପୋଷ୍ୟ ସନ୍ତାନ ଗ୍ରହଣ ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ଏବଂ ପ୍ରତ୍ୟେକ ପିଲାଏକ ସ୍ନେହପୂର୍ଣ୍ଣ ଏବଂ ପୋଷଣକାରୀ ପାରିବାରିକ ପରିବେଶରେ ବଢିବାର ସୁଯୋଗ ସୁନିଶ୍ଚିତ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ ର କାଳିପ୍ରସାଦ ସାହୁ, ବିଶ୍ଵନାଥ ଦାସ ଓ ଚାଇଲିଡ଼ ହେଲ୍ପ ଲାଇନ ର ବରେନ୍ଦ୍ର କୃଷ୍ଣ ଦାସ, ବିନ୍ଦୁସାଗର ସାହୁ, ରଜତ କୁମାର ମଲ୍ଲିକ, ସସ୍ମିତା ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।