ନିଆଳି ମାଧବଙ୍କ  ମନ୍ଦିରରୁ  ଶ୍ରୀ ଜୀଉ ଙ୍କ ପାଇଁ ଶ୍ରୀକ୍ଷେତ୍ର ପୁରୀ ଗଲା ପୋଢୁଆଁ ଭାର । 

 କଟକ,୨୨/୧୧/୨୦୨୪ ( ଓଡିଶା ସମାଚାର /ଅଭୟ ଜେନା) – ଆସନ୍ତାକାଲି ଶନିବାର ଓଡ଼ିଆ ଙ୍କ ମହାନ ପର୍ବ ପ୍ରଥମାଷ୍ଟମୀ ।  ପରମ୍ପରା ଅନୁଯାୟୀ ଜ୍ୟେଷ୍ଠ ସନ୍ତାନ ମାନଙ୍କୁ ମାମୁଁ ଘର ପଢୁଆଁ କରିବାର ବିଧି ରହିଛି. ।  ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀ ମନ୍ଦିରରେ ଶ୍ରୀ ଜୀଉ ହେବେ ପଢୁଆଁ ।  ଏଥିପାଇଁ ପାରମ୍ପରିକ ପ୍ରଥା ଏବଂ ରୀତିନୀତି ଅନୁଯାୟୀ ଶୁକ୍ରବାର ଦିନ ନିଆଳି ବ୍ଲକ୍ ମାଧବ ପଞ୍ଚାୟତର  ମାଧବାନନ୍ଦ ଜିଉଙ୍କ ମନ୍ଦିରରୁ  ପୁରୀ ଶ୍ରୀ ମନ୍ଦିରକୁ ଯାଇଛି ନୂଆ ବସ୍ତ୍ର ସହ ଅଷ୍ଟମୀ ଭାର ।  ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀ ଜୀଉ ହେବେ ପୋଢୁଆଁ।  ଏଥିପାଇଁ ଶ୍ରୀ ଜୀଉ ଙ୍କୁ ନୂଆ ବସ୍ତ୍ର ଲାଗି ସହ ସ୍ବତନ୍ତ୍ର ଭୋଗ ନୀତି ହୋଇଥାଏ। ଶ୍ରୀ ଜୀଉ ଙ୍କ ମାମୁଁଘର ଭାବେ ପରିଚିତ କଟକ ଜିଲ୍ଲା ନିଆଳି ବ୍ଲକ୍ ମାଧବସ୍ଥିତ ପ୍ରାଚୀ ନଦୀ କୂଳରେ ଅବସ୍ଥିତ  ପୁରାତନ ମାଧବାନନ୍ଦଙ୍କ ମନ୍ଦିର । ଏହି ମନ୍ଦିରରୁ ପୁରୀ ଶ୍ରୀ ମନ୍ଦିରକୁ ପ୍ରଥମାଷ୍ଟମୀରେ ପୋଢୁଆ ଭାର  ମାଧବାନନ୍ଦ ଜୀଉ ବିକାଶ ପରିଷଦ ଓ ଜଗନ୍ନାଥପ୍ରେମୀଙ୍କ ସହଯୋଗରେ  ପଠାଯାଇଥାଏ । ଆଜି ସକାଳେ ଶ୍ରୀ ମାଧବଙ୍କ ସ୍ନାନ ଓ ମାର୍ଜନା ପରେ ମହାପ୍ରଭୁଙ୍କୁ ରାଜା ରାଜେଶ୍ଵର ବେଶରେ ସଜ୍ଜିତ କରାଯାଇଥିଲା । ପରେ ମାଧବଙ୍କ ମନ୍ଦିରରୁ ଭାର ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଆଗେଆଗେ ଭୋଇ ସେବକମାନେ ଆଦି ପତାକା ଧରି ଯାଇଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିସହ ପାଇକ ଆଖଡ଼ା, ରାମତାଳି, ଲଉଡ଼ି ଖେଳ ପ୍ରଦର୍ଶନ କରାଯାଇଥିଲା। ଶ୍ରୀ ଜୀଉ ଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ସହ ପୋଢୁଆଁ ଭୋଗ ନିମନ୍ତେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ଡାଲି, ପାଚିଲା କଦଳୀ, ଘିଅ, ଅଳେଇଚ, ଲବଙ୍ଗ ସମେତ ପାନ, ଗୁଆ ଆଦି  ଭାରରେ ଯାଇଥିବା  ମାଧବାନନ୍ଦ ବିକାଶ ପରିଷଦ ଓ ପୋଢୁଆଁ ଭାର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *