ଜଗତସିଂହପୁର, ୦୯/୧୧/୨୦୨୪ (ଓଡ଼ିଶା ସମାଚାର)-କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ଓ ସର୍ବଭାରତୀୟ ସଂଯୋଜିତ କୃଷିଯନ୍ତ୍ରପାତି ଗବେଷଣା ପ୍ରକଳ୍ପ, ଓୟୁଏଟି, ଭୁବନେଶ୍ୱରର ମିଳିତ ପ୍ରୟାସରେ ବୋଧେଇ ପଞ୍ଚାୟତ ଅଫିସ୍ ଠାରେ ଗତ କାଲି ଶକ୍ତି ଚାଳିତ ନଡ଼ିଆ ଛଡ଼ା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପିମ୍ପଳମାଧବ ଓ ବୋଧେଇ ପଂଚାୟତର ୫୦ ରୁ ଉର୍ଦ୍ଧ ଚାଷି ଭାଇ ଓ କୃଷିଜୀବୀ ମହିଳା ଯୋଗ ଦେଇଥିଲେ । ଏହି କାର୍ଯକ୍ରମରେ କୃଷି ଯାନ୍ତ୍ରୀକ ଓ ବୈଷୟିକ ମହାବିଦ୍ୟାଳୟ, ଓୟୁଏଟି ତରଫରୁ ପ୍ରଫେସର୍ ପଦ୍ମଲୋଚନ ପ୍ରଧାନ, ସର୍ବଭାରତୀୟ ସଂଯୋଜିତ କୃଷିଯନ୍ତ୍ରପାତି ଗବେଷଣା ପ୍ରକଳ୍ପ ଓୟୁଏଟିର ମୁଖ୍ୟ ଡ଼ ପ୍ରଦୀପ୍ତ କୁମାର ସାହୁ, ସ୍ନାତକତ୍ତୋର ଛାତ୍ର ଦିଗଦର୍ଶନ କୁମାର, ମେକାନିକ ଶ୍ରୀକାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଜଗତସିଂହପୁର ଜିଲ୍ଲାର ନଡ଼ିଆ ଏକ ଅର୍ଥକାରୀ ଫସଲ । ପାକଳ ନଡ଼ିଆକୁ ବିକ୍ରୟ କରିବା ପୁର୍ବରୁ ଏହାର ଶକ୍ତି ଆବରଣ ବା ଚୋପାକୁ ଛଡାଯାଇ ବିକ୍ରୟ କରାଯାଏ । ଏହା ଛଡାଇବା ପାଇଁ ଚାଷୀମାନେ ଷଣ୍ଡୁଆସି, କଟୁରୀ ଆଦି ବ୍ୟବହାର କରିଥାନ୍ତି, ଯେଉଁଥିରେ ଅଧିକ ଶ୍ରମବଳ ବିନିଯୋଗ ହୋଇଥାଏ ଏବଂ ଅଧିକ ଖର୍ଚ୍ଚ ମଧ୍ୟ ହୋଇଥାଏ। ଓୟୁଏଟି ସ୍ଥିତ ସର୍ବଭାରତୀୟ ସଂଯୋଜିତ କୃଷିଯନ୍ତ୍ରପାତି ଗବେଷଣା ପ୍ରକଳ୍ପ (AICRP on Farm Implements & Machinary)ତରଫରୁ ଏହି ଶକ୍ତି ଚାଳିତ ନଡ଼ିଆ ଚୋପାଛଡା ଯନ୍ତ୍ର ଉଦ୍ଭାବନ କରାଯାଇଛି । ଏହି ଯନ୍ତ୍ରଟି ୦.୫ ଅଶ୍ୱଶକ୍ତି ବିଶିଷ୍ଟ ବିଦ୍ୟୁତ୍ ମୋଟର ଦ୍ୱାରା ଚାଲେ । ଏହିଯନ୍ତ୍ର ଦ୍ୱାରା ଘଣ୍ଟାକରେ ୧୫୦-୧୮୦ ନଡ଼ିଆର ଚୋପା ଛଡାଯାଇ ପାରେ ।ଏହି ଯନ୍ତ୍ରରେ ମାତ୍ର ଗୋଟିଏ ନଡିଆ ଛଡେଇବା ପାଇଁ ୪୫ ପଇସା ଖର୍ଚ୍ଚ ହୋଇଥାଏ ।ଏହା ଏକ ହାଲୁକା ଯନ୍ତ୍ର ଯାହାର ଓଜନ ମାତ୍ର ୫୩ କି.ଗ୍ରା । ତେଣୁ ଏହାକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ଆଣିବା କରିବାରେ ବିଶେଷ ଅସୁବିଧା ହୁଏନାହିଁ । ଏହାର ବଜାର ମୂଲ୍ୟ ମେସିନ୍ ପ୍ରତି ଟ.୧୨,୦୦୦ ରଖାଯାଇଛି। ଏହି କ୍ଷେତ୍ର ପ୍ରଦର୍ଶନ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଯନ୍ତ୍ରପାତି ବୈଜ୍ଞାନିକ ଡ଼ ଦ୍ବାରିକା ମୋହନ ଦାସ ପରିଚାଳନା କରିଥିଲେ । ତିର୍ତ୍ତୋଲ 4S4R କୃଷକ ଉତ୍ପାଦକ ସଂଗଠନ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।