ବାଲିଗୁଡା,୦୯/୧୧/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଂଚଳବାସୀ । ବାଲିଗୁଡା ବ୍ଳକ ତଥା କନ୍ଧମାଳ ଜିଲାର ସୀମାନ୍ତ ପଞ୍ଚାୟତ ହେଉଛି ଖମନଖୋଲ ଓ ଲଣ୍ଡାଗାଁ। ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୩ଟି ପଞ୍ଚାୟତ ବାସୀ ସହ ସୀମାନ୍ତ ଜିଲାର ଗ୍ରାମବାସୀ ନିର୍ଭର କରିଥାନ୍ତି। କିନ୍ତୁ ଏହି ଚିକିତ୍ସାଳୟରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କିମ୍ବା ବାରଖମା ଗୋଷ୍ଠୀ ଚିକିତ୍ସାଳୟକୁ ଆସିବାକୁ କୌଣସି ସୁବିଧା ନାହିଁ । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାଲିଗୁଡା ଚିକିତ୍ସାଳୟକୁ ୪୦ କିମି ଓ ବାରଖମା ୩୦ କିମି ଦୂର । ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ଅଧିକାଂଶ ଲୋକେ ଗରିବ ଶ୍ରେଣୀର ଅଟନ୍ତି ।ଏଇ ଦୁଇ ପଞ୍ଚାୟତ ବାସୀ ଖମନଖୋଲ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଯଦି ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଆବଶ୍ୟକ ପଡେ, ତେବେ, ଅନ୍ୟତ୍ର ସ୍ଥାନାନ୍ତର କରାଯାଏ । ତେବେ ରୋଗୀଙ୍କୁ ବାଲିଗୁଡା କିମ୍ବା ବାରଖମା ଆସିବାକୁ ହେଲେ ଦୀର୍ଘ ସମୟ ଧରି ବସକୁ ଅପେକ୍ଷା କରିବା ପାଇଁ ପଡିଥାଏ । ଗ୍ରାମାବସୀ ଅଧିକ ଟଙ୍କା ଦେଇ ଗାଡି ଭଡା କରି ଆସିବାକୁ ସକ୍ଷମ ନୁହଁନ୍ତି । ତେଣୁ ତୁରନ୍ତ ଏହି ଚିକିତ୍ସାଳୟକୁ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦେଲେ ଦୁଇ ଗ୍ରାମବାସୀ ର ଶତାଧିକ ଜନସାଧାରଣ ବିଶେଷ ଉପକୃତ ହୋଇପାରିବେ। ଏହା ବ୍ୟତୀତ ଚିକିତ୍ସାଳୟରେ ଡାକ୍ତର ବାସଭବନ ଗୁଡିକ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି। ଚିକିତ୍ସାଳୟ ପରିସରରେ ଏଏନଏମ ଙ୍କ ବାସଭବନ ଦୀର୍ଘ ୮ବର୍ଷ ଧରି ନିର୍ମାଣ ଚାଲିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନି । ଏ ସମ୍ପର୍କରେ ଅଂଚଳବାସୀ ବାରମ୍ବାର ବିଡିଓ, ଉପଜିଲାପାଳ, ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନହିଁ। ତେଣୁ ତୁରନ୍ତ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ଅଂଚଳ ବାସୀ ଦାବି କରିଛନ୍ତି ।