କଟକ ସଦର ,୦୩/୧୧/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ନିର୍ବାଚନ ମଣ୍ଡଳୀ ପୁନଃର୍ଗଠିତ ହେବା ପରେ ୨୦୦୯ ରୁ କଟକ ସଦର ସଂରକ୍ଷିତ ଆସନ ହୋଇଛି। ହେଲେ ଚଳିତ ସାଧାରଣ ନିର୍ବାଚନ ସରିବାର ଛଅ ମାସ ନପୁରୁଣୁ ଆସନ୍ତା ୨୦୨୯ ରେ କଟକ ସଦର ନିର୍ବାଚନମଣ୍ଡଳୀରୁ ସଂରକ୍ଷଣ ଉଠିବା ନେଇ ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ସାଧାରଣ ବର୍ଗର ତଥା ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନେ ଏଵେ ଠାରୁ ଭିନ୍ନଭିନ୍ନ ତରିକାରେ ସେମାନଙ୍କ ର ସଂଗଠନ ଆରମ୍ଭ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଉକ୍ତ ସଂରକ୍ଷିତ ଆସନରୁ ୨୦୦୯ ରେ ବିଜେଡ଼ି ର ଵର୍ଷିୟାନ ନେତା ଅଧ୍ୟାପକ କାଳିନ୍ଦୀ ବେହେରା ନିର୍ବାଚିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ୨୦୧୪ ଓ ୨୦୧୯ ରେ ତାଙ୍କ ପୁଅ ଚନ୍ଦ୍ର ସାରଥି ବେହେରା ସେହି ବିଜେଡ଼ିରୁ ନିର୍ବାଚନ ଜିତିଥିଲେ। ହେଲେ ଚଳିତ ୨୦୨୪ ରେ ବିଜେପିର ନବାଗତ ଯୁବ ସଂଗଠକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ର ସାରଥିଙ୍କୁ ପରାସ୍ତ କରି ବିଧାୟକ ହୋଇଥିବା ବେଳେ ବିଜେଡ଼ି ଗଡକୁ ଭାଙ୍ଗିବାକୁ ସକ୍ଷମ ହୋଇଥିବା ଜଣାଯାଇଛି। ତେବେ ଆଗାମୀ ୨୦୨୯ ରେ କଟକ ସଦର ରୁ ସଂରକ୍ଷଣ ଉଠିବା ଚର୍ଚ୍ଚା କୁ ନେଇ ଏକ ପ୍ରକାର ହଟଚମଟ ସୃଷ୍ଟି ହୋଇଛି। ତେବେ ଆଗକୁ କେଉଁ ପାଣି କେଉଁ ଆଡ଼କୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।