ହାତୀ ଆକ୍ରମଣରେ ଯୁବକ ଗୁରୁତର

ହିନ୍ଦୋଳ ୦୧/୧୧/୨୦୨୪ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦଶଦିନ ନଯାଉଣୁ ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ହିନ୍ଦୋଳ ଉପଖଣ୍ଡ ବର୍ତମାନ ହାତୀ ଘେରରେ,ଯେତେବେଳେ ବି ପଦାକୁ ବାହାରିଲା ମାତ୍ରେ ହାତୀ ହାବୁଡ଼ରେ ପଡିବା ସାର । ଦୈନନ୍ଦିନ ହାତୀ ଆକ୍ରମଣରେ ମୃତାହତ ହେବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଏପଟେ ହାତୀ ବ୍ୟାପକ ଫସଲ ଉଜାଡି ଦେଉଥିବାରୁ ଚାଷ କାର୍ଯ୍ୟ ମଧ୍ୟ ଠପ । ଖବରରୁ ଜଣାପଡିଛି ଆଜି ସକାଳ ୮ଘ ସମୟରେ ହିନ୍ଦୋଳ ବ୍ଲକ ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳ ମାଧପୁର ପଂଚାୟତ କାନ୍ତୋକୋଳ ଗ୍ରାମର ଦିନମଜୁରିଆ ତଥା ସ୍ବର୍ଗତ ନଟବର ବିଶ୍ୱାଳଙ୍କ ପୁଅ ଗିରିଶ ବିଶ୍ୱାଳ(୫୫) ସେ ମଜୁରୀକରୁଥିବା ବଡ଼ଗୋଳ କାଜୁବଗିଚାକୁ ମଜୁରୀ କରିବାକୁ ଯାଇଥିବାବେଳେ ବଣୁଆ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ।  ଫଳରେ ହାତୀ ତାଙ୍କୁ କଚାଡି ଦଳି ଦେଇଥିଲା ଏବଂ ଗିରିଶ ଗୁରୁତର ଆହତ ହୋଇଥିଲେ । ପାଟିତୁଣ୍ଡ ଶୁଣି ଗ୍ରାମବାସୀମାନେ ତାଙ୍କୁ ତୁରନ୍ତ ହିନ୍ଦୋଳ ଡାକ୍ତରଖାନା ଆଣିଥିଲେ । ମାତ୍ର ତାଙ୍କର ହାତଗୋଡ଼, ଛାତି ପିଞ୍ଜରା ହାଡ଼ ଭାଙ୍ଗି ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ରେଫର କରାଯାଇଛି । ଖବର ପାଇ ହିନ୍ଦୋଳ ରେଞ୍ଜର ଓ ବନକର୍ମଚାରୀ ଆସି କିପରି ଆହତ ଗିରିଶ ସହାୟତା ପାଇପାରିବେ ସେଥିପାଇଁ ଉଦ୍ୟମ ଚଳାଇଛନ୍ତି ଏବଂ ଆହତ ଗିରିଶଙ୍କୁ ବନବିଭାଗ ନିୟମଅନୁଯାଇ ଆବଶ୍ୟକ ସହାୟତା ଯୋଗାଇଦିଆଯିବ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି । ତେବେ କେବେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ହାତୀ-ମଣିଷ ଲଢେଇ ବନ୍ଦ ହେବ? କେବେ ମଣିଷ ମରିବା କିମ୍ବା ହାତୀ ମରିବା ବନ୍ଦ ହେବ? ଏଥିପାଇଁ କେଉଁଠି ରହିଲା ଅସୁବିଧା ତାହାର କାରଣ କେବେ ଖୋଜିବେ ସରକାର ଓ ବନବିଭାଗ, କେବେ ନିଆଯିବ ଠୋସ ପଦକ୍ଷେପ?ଏହିଭଳି ନାନା ଆଶଙ୍କାରେ ଅତିଷ୍ଟ ଜନସାଧାରଣ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି l

Leave a Reply

Your email address will not be published. Required fields are marked *