ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୫ ଉପଲକ୍ଷେ ପଦଯାତ୍ରା ଓ ପଥୋତ୍ସବ ଅନୁଷ୍ଠିତ

ଜଗତସିଂହପୁର, ୨୯/୧୦/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୫ ପରିପ୍ରେକ୍ଷୀରେ ନୂତନ ଭୋଟରମାନଙ୍କୁ ସଚେତନ କରିବା ନିମନ୍ତେ ପଦଯାତ୍ରା ଓ ପଥଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଆୟୋଜିତ ପଥଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଓ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଉଦଘାଟନ କରିଥିଲେ ଏଵଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନୂତନ ଭୋଟରମାନଙ୍କୁ ସ୍ଵାଗତ ଜଣାଇଥିଲେ। ଯୁବ ତଥା ନୂତନ ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ ଏବଂ ଏ ସମ୍ପର୍କରେ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଓ ପଥୋତ୍ସବ ଆୟୋଜନ କରାଯାଇଛି। ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ୨୯ ଅକ୍ଟୋବର ୨୦୨୪ ରୁ ଆରମ୍ଭ ହୋଇ ୨୮ ନଭେମ୍ବର ୨୦୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଳାର ୪ଟି ନିର୍ବାଚନ ମଣ୍ଡଳୀର ୧୦୫୧ ଟି ବୁଥ୍ ରେ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଯାଇଛି। ଭୋଟରମାନେ ଭୋଟର ହେଲ୍ପ ଲାଇନ ଆପ୍ ଜରିଆରେ/ ବି.ଏଲ୍.ଓ ମାନଙ୍କ ସହାୟତାରେ ପଞ୍ଜିକରଣ କରିପାରିବେ। ତାଲିକାରେ ନାମ ଯୋଗ କରିବା ପାଇଁ ଫର୍ମ-୬, ନାମ ବାଦ୍ ଦେବା ପାଇଁ ଫର୍ମ-୭ ଓ ସଂଶୋଧନ ପାଇଁ ଫର୍ମ-୮ ମାଧ୍ୟମରେ ଆବେଦନ କରିପାରିବେ। ଏହି ପରିପ୍ରେକ୍ଷୀରେ ଆଜି ସକାଳ ୭ଘ ୩୦ମି ରେ ଇଣ୍ଡୋର୍ ଷ୍ଟାଡିୟମ୍ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଓ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ନିର୍ବାଚନ ସମ୍ବନ୍ଧିତ ଆକର୍ଷଣୀୟ ରଙ୍ଗୋଲି ପ୍ରଦର୍ଶିତ  ହୋଇଥିଲା। ସରକାରୀ ଉଚ୍ଚ ବିଦ୍ୟାଳୟ, ରସଲପୁର, ଶିଶୁ ଆଶ୍ରମ,ଜଗତସିଂହପୁର, ବାସୁଦେବ ନୃତ୍ୟ କଳା ଏକାଡେମୀ, ନାଉଗାଁ ଓ କ୍ରିଷ୍ଣା କଲ୍ଚରାଲ ଗ୍ରୁପ୍ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ବିଭାଗ ର ଅଧିକାରୀ,ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ସ୍କାଉଟ, ଗାଇଡ,ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ୱେଚ୍ଛା ସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଆଶା ଓ ଅଙ୍ଗନବାଡି କର୍ମୀ, ମିଶନ ଶକ୍ତି ମହିଳା, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତନିଧି ପ୍ରମୁଖ  ଉପସ୍ଥିତ ଥିଲେ। ଏହି ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ ଅତିଥି ମାନେ ପୁରସ୍କୃତ କରିଥିଲେ। ରଙ୍ଗୋଲୀ ପ୍ରଦର୍ଶନ କରିଥିବା ଏସ ଏଚ ଜି ମା’ ମାନଙ୍କୁ ମଧ୍ୟ ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦସ୍ତଖତ ଅଭିଯାନ ଏବଂ ସେଲଫି ପଏଣ୍ଟ ହେବା ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିବା ଚିତ୍ରାଙ୍କନ ର ଚିତ୍ରକଳା ପ୍ରଦର୍ଶିତ କରାଯାଇଥିଲା। ଡେପୁଟି କଲେକ୍ଟର ଭରତ କୁମାର ପରିଡ଼ା,ଡେପୁଟି କଲେକ୍ଟର ହରପ୍ରିୟା ପୃଷ୍ଟି,ସହକାରୀ ଜିଲ୍ଲାପାଳ କଳ୍ପିତା କୁମାରୀ ଜେନା,ସହକାରୀ ଜିଲ୍ଲାପାଳ, ରାଜେଶ କୁମାର ସାହୁ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *