ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଲେ ହିନ୍ଦୋଳ ମାଟିର ପୁଅ ଦିପେନ୍ଦ୍ର ସାମଲ..

ହିନ୍ଦୋଳ ୧୧/୧୦/୨୦୨୪ (ଓଡ଼ିଶା ସମାଚାର)-ଓଡିଶାରେ ବହୁଳ ଆଦୃତ ଓଡିଶା ଚଳଚିତ୍ର “ଦମନ” ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ଲାଭ କରିଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି “ଦମନ ” ଚଳଚ୍ଚିତ୍ର ପ୍ରଯୋଜକ ଦିପେନ୍ଦ୍ର ସାମଲ । ଉଲ୍ଲେଖଯୋଗ୍ୟ ପ୍ରଯୋଜକ ଦିପେନ୍ଦ୍ର ସାମଲ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଠୋକର ଗ୍ରାମର ବାସିନ୍ଦା । ଦିପେନ୍ଦ୍ରଙ୍କ ଏତାଦୃଶ୍ୟ ଜାତୀୟ ସ୍ତରୀୟ ସଫଳତା ପାଇଁ ସମଗ୍ର ଓଡିଶା ରାଜ୍ୟ ସହ ଢେଙ୍କାନାଳ ଜିଲ୍ଲା ଏବଂ ନିଜ ଜନ୍ମଭୂମି ହିନ୍ଦୋଳବାସି ଗୌରବାନ୍ୱିତ ହେବାସହ ସମଗ୍ର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳି ଯାଇଛି । ଓଡିଶାର କୋଣ ଅନୁକୋଣ ସହ ସମଗ୍ର ହିନ୍ଦୋଳରୁ ଜନସାଧାରଣ, ବୁଦ୍ଧିଜୀବୀ, ବହୁବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଠାରୁ ଶୁଭେଚ୍ଛାର ବାର୍ତ୍ତା ର ସୁଅ ଛୁଟିବା ସହ ଦିପେନ୍ଦ୍ର ସାମଲଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଦିପେନ୍ଦ୍ରଙ୍କ ଉଲ୍ଲେଖନିୟ ସଫଳତା ପାଇଁ ହିନ୍ଦୋଳ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ସୁଶାନ୍ତ ପତି ଓ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ବେହେରା ଶୁଭେଚ୍ଛା ଜଣାଇବାସହ କହିଛନ୍ତି ଦିପେନ୍ଦ୍ର ହିନ୍ଦୋଳର ଜଣେ ଉଜ୍ବଳ ତାରକା ଏବଂ ହିନ୍ଦୋଳବାସୀଙ୍କ ଗୌରବ । ଉଲ୍ଲେଖଯୋଗ୍ୟ ଦିପେନ୍ଦ୍ର ପିଲାଟିବେଳୁ ଚଳଚ୍ଚିତ୍ର ପ୍ରେମି ରହିବାସହ କିଭଳି ଓଡ଼ିଆ ଚଳଚିତ୍ରକୁ ଆଗକୁ ନୂତନ ଆଲୋକ ଦେଖାଇପାରିବେ ସେଥିପାଇଁ ସ୍ବପ୍ନ ରଖିବା ସହ କଠୋର ପରିଶ୍ରମ କରୁଥିଲେ । “ଦମନ ” ଚଳଚ୍ଚିତ୍ରର ଉଲ୍ଲେଖନିୟ ସଫଳତା ପଛରେ ଦିପେନ୍ଦ୍ରଙ୍କ କଠୋର ପରିଶ୍ରମ ଓ ଅଧ୍ୟବସାୟ ରହିଛି ଯାହାକି ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ।

Leave a Reply

Your email address will not be published. Required fields are marked *