ଓଡ଼ିଶୀ ନୃତ୍ୟର ତିନିଗୋଟି ପର୍ଯ୍ୟାୟ ଏକକ, ଦୈତ୍ୟ ଓ ଦଳଗତ ନୃତ୍ୟରେ ଦର୍ଶକ ବିଭୋର

(ଶ୍ରୀ ନୃତ୍ୟୋତ୍ସବ ୨୦୨୩ ଉଦଯାପିତ)

ଭୁବନେଶ୍ୱର,୧୦/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ଆୟୋଜିତ ଶ୍ରୀ ନୃତ୍ୟୋତ୍ସବ ୨୦୨୩ ଆଜି ଭଞ୍ଜ କଳା ମଣ୍ଡପରେ ଉଦଯାପିତ ହୋଇଯାଇଅଛି । ଉଦଯାପନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟର ଏକକ, ଦୈତ୍ୟ ଓ ଦଳଗତ ପର୍ଯ୍ୟାୟରେ ବିଶିଷ୍ଟ ଖ୍ୟାତନାମା ଶିଳ୍ପୀମାନଙ୍କ ପରିବେଷଣ ଦେଖିବାକୁ ମିଳିଥିଲା ।

ଉଦଘାଟନୀ ସଂଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ନାଲକୋର ଏଚ.ଆର. ନିର୍ଦ୍ଧେଶକ ଶ୍ରୀଯୁକ୍ତ ରାଧାଶ୍ୟାମ ମହାପାତ୍ର, ବିଶିଷ୍ଟ ମର୍ଦ୍ଧଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ, ଓଡ଼ଶୀ ନୃତ୍ୟ ବିଦୁସୀ ଶ୍ରୀମତୀ ମିନାକ୍ଷୀ ବେହେରା ଓ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ସଚିବ ଶ୍ରୀମତୀ ନମିତା ରାୟ । କାର୍ଯ୍ୟକ୍ରମ ଆରମ୍ଭରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ବିଦୁଶୀ ତଥା ଗୁରୁ ସ୍ନେହପ୍ରଭା ସାମନ୍ତରାୟ ଓ ପ୍ରଖ୍ୟାତ ଶିଳ୍ପୀ ପ୍ରହଲ୍ଲାଦ ପାଣିଙ୍କୁ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ସମ୍ମାନିତ କରାଯାଇଥିଲା ।

ସଂଧ୍ୟାର ପ୍ରଥମ ଉପସ୍ଥାପନା ଥିଲା ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ନମିତା ରାୟଙ୍କ ଓ ସାଥୀଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ । ସେମାନଙ୍କ ପ୍ରସ୍ତୁତିରେ ଥିଲା ଅଭିନୟ କୃଷ୍ଣ ଗଲା ପରେ, ବୃନ୍ଦାବନରୁ କୃଷ୍ଣ ଗଲାପରେ ରାଧାଙ୍କର କ’ଣ ଘଟିଥିଲା ତାହା ତାଙ୍କ ନୃତ୍ୟ ମାଧ୍ୟମରେ ବଖାଣି ଥିଲେ ଯାହାର ସଙ୍ଗୀତ ସଂଯୋଜନା ସତ୍ୟବ୍ରତ କାଠ ଏବଂ ନୃତ୍ୟ ସଂରଚନା ନିଜେ ନମିତା ରାୟ କରିଥିଲେ । ପରେ ପରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ ଡ଼ଃ. ଅରୁଣା ମହାନ୍ତିଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟାଭିନୟ ମହାଭାରତରୁ ଉଦ୍ଧୃତଅଶ୍ୱସ୍ଥାମା ପରିବେଷିତ ହୋଇଥିଲା ଯାହାର ଗୀତଲିପି ଶ୍ରୀ କେଦାର ମିଶ୍ର, ସଙ୍ଗୀତ ସଂଯୋଜନା ଗୁରୁ ରାମହରି ଦାସ, ତାଳ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଓ ନୃତ୍ୟ ସଂରଚନା ନିଜେ ଗୁରୁ ଡ଼ଃ. ଅରୁଣା ମହାନ୍ତି କରିଥିଲେ । ପରବର୍ତୀ ପ୍ରସ୍ତୁତିଟି ଥିଲା ପୌଲାମୀ ଚକ୍ରବର୍ତୀ ଓ ନିବେଦିତା ଦତାଙ୍କ ଦ୍ୱାରା ଓଡ଼ିଶୀ ଦୈତ୍ୟ ନୃତ୍ୟ । ତାଙ୍କ ପରିବେଷଣରେ ଥିଲା ଅଭିନୟ ତାରା ଓ ପରେ ପରେ ତାରା ପଲ୍ଲବୀ । ଦେବୀ ତାରାଙ୍କ ସୃଷ୍ଟି, ସ୍ଥିତି, ପ୍ରଳୟ ଓ ଅସୀମ ଶକ୍ତିର କଥା ଅଭିନୟ ତାରା ଯାହାର ସଙ୍ଗୀତ ସଂଯୋଜନା ସଙ୍ଗୀତା ପଣ୍ଡା, ତାଳବାଦ୍ୟ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ ଓ ନୃତ୍ୟ ସଂରଚନା ଗୁରୁ ଆଲୋକା କାନୁନଗୋ କରିଥିଲେ । ପରେ ପରେ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀ ସତ୍ୟ ପ୍ରକାଶ ମଲ୍ଲିକ ଓ ସମ୍ଭବୀ ନାୟକଙ୍କ ଦ୍ୱାରା ଓଡ଼ିଶୀ ଦୈତ୍ୟ ନୃତ୍ୟ ପରିବେଷିତ ହୋଇଥିଲା । ତାଙ୍କ ପ୍ରସ୍ତୁତିରେ ଥିଲା ଅଭିନୟ ରସିକ ମଣି କିମ୍ପାଇଁ ସାଜବଇରୀ ଯାହାର ସଙ୍ଗୀତ ନିର୍ଦ୍ଧେଶନା ସତ୍ୟବ୍ରତ କାଠ ଓ ନୃତ୍ୟ ସଂରଚନା ଗୁରୁ ନମିତା ରାୟ କରିଥିଲେ । ଶେଷରେ ବିପଞ୍ଚ ଦାସ ଓ ସାଥୀଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟାଭିନୟ ଶାରଳା ବନ୍ଦନାପରିବେଷିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମଟିକୁ ପ୍ରସ୍ତୁତିରେ ସହଯୋଗ କରିଥିଲେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସଙ୍ଗୀତ ନାଟକ ଏକାଡ଼େମୀ, ନାଲକୋ, ଇମ୍ଫା, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏଲ.ଆଇ.ସି, ପାରାଦ୍ୱୀପ ଫସଫେଟ ଲିମିଟେଡ଼, ମା ସାରଦା ପବ୍ଲିକେଶନ ଏବଂ ଓ.ପି.ଟି.ସି.ଏଲ । ଏହି କାର୍ଯ୍ୟକ୍ରମଟିକୁ ବିଶ୍ୱଜିତ ବଳିଆରସିଂହ ପରିଚାଳନା କରିଥିବା ବେଳେ ସଂଯୋଜନା କରିଥିଲେ ଗୁରୁ ନମିତା ରାୟ ।

Leave a Reply

Your email address will not be published. Required fields are marked *