ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳି ମାଡ଼ରେ ଜଣେ ଗୁରୁତର ଆହତ

ମନମୁଣ୍ଡା, ୨୮/୯/୨୦୨୪ (ଓଡ଼ିଶା ସମାଚାର)- ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କଷୁରବନ୍ଧ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳି ମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରତର ଆହତ ଜଣକ ହେଉଛନ୍ତି କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ରାତି ପ୍ରାୟ ୯ଟା ସମୟରେ କଷୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ ଓ ତାଙ୍କ ବାପା ଓ ଭାଇଙ୍କ ସହ ରାଜେନ୍ଦ୍ରଙ୍କ ବଚସା ହୋଇଥିଲା । ପରେ ସରପଞ୍ଚ ସରୋଜ କର୍ଣ୍ଣ ଉତ୍ତ୍ୟକ୍ତ ହୋଇ ରାଜେନ୍ଦ୍ରଙ୍କ ଉପରକୁ ପ୍ରଥମେ ଗୋଟିଏ ରାଉଣ୍ଡ ଫଲ୍ସ ଫାଇରିଙ୍ଗ କରିଥିଲେ । ପରେ ରାଜେନ୍ଦ୍ର ଙ୍କ ଦୁଇ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି କରିଥିଲେ । ଫଳରେ ରାଜେନ୍ଦ୍ର ତଳେ ପଡିଯାଇଥିଲେ । ପରେ ସରପଞ୍ଚ ସରୋଜ କର୍ଣ୍ଣ ଏବଂ ତାଙ୍କ ବାପା ଓ ଭାଇ ମିଶି ରାଜେନ୍ଦ୍ରଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ମନମୁଣ୍ଡା ଓ ପରେ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି । ଦୋଷୀମାନଙ୍କୁ କଠୋର ଦଣ୍ଡବିଧାନ ପାଇଁ ରାଜେନ୍ଦ୍ରଙ୍କ ପରିବାର ଲୋକ ଦାବି କରିଛନ୍ତି । ଖବର ପାଇ ମନମୁଣ୍ଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ସରପଞ୍ଚ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *