ଭୁବନ ୧୯/୦୪/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ବିଶିଷ୍ଟ ପାଲା ଗାୟକ ତଥା ବରିଷ୍ଠ କଂଗ୍ରେସ ନେତା କାଳନ୍ଦି କୁଅଁର (୯୩) ଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଡୁବୁରୀ ସ୍ଥିତ ଟାଟା ମେଡିକୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ରାତି ପ୍ରାୟ ସାଢ଼େ ୧୨ ଘଟିକା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପୁତୁରା ଶିବ ପ୍ରସାଦ କୁଅଁର,ସନାତନ କୁଅଁର,ନାତି ତପନ କୁଅଁର ଙ୍କ ସମେତ ଝିଅ ଜ୍ୱାଇଁ,ନାତି ନାତୁଣୀ ଉପସ୍ଥିତ ଥିଲେ । ରବିବାର ସକାଳେ ତାଙ୍କ ମର ଶରୀର ଭୁବନରେ ପହଞ୍ଚିବା ପରେ କାଳୀ ବଜାର ବଣିକ ସଂଘ ତରଫରୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ତାଙ୍କ ସ୍ୱ ଗୃହ କେ .କେ କଲୋନୀ କୁ ନିଆଯାଇଥିଲା ।
ନଗରପାଳ ଶୁଭେନ୍ଦୁ କୁମାର ସାହୁ,କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ତାଙ୍କ ମର ଶରୀରକୁ ପୈତୃକ ଗ୍ରାମ ଦୟଣାବିଲି କୁ ନିଆଯାଇଥିଲା । ସେଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ସାହିଭାଇ,ଜ୍ଞାତି କୁଟୁମ୍ବ ଙ୍କ ଉପସ୍ଥିତିରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ୱର୍ଗତ କାଳନ୍ଦି ବାବୁ ପୂର୍ବତନ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ଥିଲେ । କଂଗ୍ରେସ ଦଳର ପିତାମହ ଭୀଷ୍ମ ଭାବେ ପରିଚିତ କାଳନ୍ଦି ବାବୁ ଭୁବନ ବ୍ଲକରେ କଂଗ୍ରେସ ସଂଗଠନକୁ ମଜଭୁତ କରିଥିଲେ ।
ଜଣେ ସୁସାହିତ୍ୟିକ ତଥା ବିଶିଷ୍ଟ ପାଲା ଗାୟକ ଭାବେ ସମଗ୍ର ଢେ଼ଙ୍କାନାଳ ଜିଲ୍ଲାରେ ପରିଚିତ ଥିଲେ ଓ ପାଲା ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କରିଥିଲେ । ଭୁବନ କାଳୀ ବଜାରରେ କେ.କେ କଲୋନୀ ପ୍ରତିଷ୍ଠା କରିବା ସହ କାଳୀ ବଜାର ବଣିକ ସଂଘ ସମେତ ବହୁ ସାମାଜିକ ଅନୁଷ୍ଠାନରେ ସାମିଲ ଥିଲେ ଓ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ବେଶ୍ ଚଳ ଚଞ୍ଚଳ ଥିଲେ । ଜଣେ ଶାନ୍ତ, ସରଳ,ଭଦ୍ର,ନମ୍ର,ଈଶ୍ୱର ବିଶ୍ୱାସୀ,ପରୋପକାରୀ, ମେଳାପୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ଏବଂ କାଳୀ ବଜାର ବଣିକ ସଂଘ ତରଫରୁ ଦିନକ ପାଇଁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରାଯାଇ ଶୋକ ପାଳନ କରାଯାଇଥିଲା ।
କାଳନ୍ଦି ବାବୁ ଙ୍କ ବିୟୋଗରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ କାଳନ୍ଦି ବାବୁ ” ସାହିତ୍ୟ,ସଂସ୍କୃତି ଓ ରାଜନୀତି ” ର ତ୍ରିବେଣୀ ସଙ୍ଗମ ଥିଲେ । ତାଙ୍କ ବିୟୋଗ ସମଗ୍ର ଭୁବନ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ଏବଂ ଏକ ଯୁଗର ଅବସାନ ଘଟିଲା ବୋଲି କହିଛନ୍ତି।
